ହେଡଲାଇନସ୍:

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ : ସ୍ୱତନ୍ତ୍ର ରିଲିଫ୍‍ କମିଶନର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସରକାରଙ୍କ ପକ୍ଷରୁ ନିଆଯାଉଅଛି ସମସ୍ତ ପଦକ୍ଷେପ 

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ସମୟରେ ସ୍ଥାନାନ୍ତରଣ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ  ବ୍ୟବସ୍ଥା, ପୁନରୁଦ୍ଧାର ଇତ୍ୟାଦି କାର୍ଯ୍ୟ ସଂପୃକ୍ତ ବିଭାଗ ପକ୍ଷରୁ ସୂଚାରୁ ରୂପେ ସଂପୂର୍ଣ୍ଣ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଅଛି ବୋଲି ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‍ କମିଶନର ଶ୍ରୀଯୁକ୍ତ ପ୍ରଦୀପ ଜେନା ପ୍ରକାଶ କରିଛନ୍ତି । 

ଉତ୍ତର ଆଣ୍ଡାମାନ ସାଗର ଓ ତତ୍‍ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ପନ୍ନ  ହେଉଥିବା ଲଘୁଚାପ କ୍ଷେତ୍ର ୨୩ ତାରିଖରେ କ୍ରମଶଃ ଘନୀଭୂତ ହେବ ଏବଂ  ଏହା ଅବପାତ ରୂପ ନେଇ  ଆସନ୍ତା ୨୪ ତାରିଖରେ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ସଂସ୍ଥା ସୂଚନା ମୁତାବକ ୨୬ ତାରିଖ ବେଳକୁ ଉତ୍ତର ଓଡ଼ିଶା ଓ ପଶ୍ଚିମବଂଗ ଉପକୂଳରେ ପହଞ୍ଚିବାର ଅନୁମାନ କରାଯାଇଛି । ତେବେ ଏହାର ଗତିପଥ, ବେଗ, ଭୟାଭୟତା, ବୃଷ୍ଟିପାତ ଓ ସ୍ଥଳଭାଗ ଛୁଇଁବା ସ୍ଥାନ ସଂପର୍କରେ ସବିଶେଷ ତଥ୍ୟ ଆସନ୍ତାକାଲି ସୁଦ୍ଧା  ଜଣାପଡିବ ।  

ଓଡ୍ରାଫ୍‍, ଅଗ୍ନିଶମ ବାହିନୀ, ଏନ୍‍ଡିଆରଏଫ୍‍, ଭାରତୀୟ ତଟରକ୍ଷୀ ସହିତ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତ ହୋଇରହିଛନ୍ତି । ଏନଡିଆରଏଫ୍‍ର ୧୭ ଟି ଟିମ୍‍, ଓଡ୍ରାଫ୍‍ ର ୨୦ ଟି ବାଟାଲିୟନ ଏବଂ ଉପକୂଳ ଓଡ଼ିଶାରେ ଥିବା ଅଗ୍ନିଶମ ବାହିନୀର ଦଳ ସହିତ ଅନ୍ୟସ୍ଥାନରୁ ୧୦୦ ଗୋଟି ଟିମ୍‍   ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି । ଗ୍ରାମ ପଞ୍ଚାୟତକୁ ସାମିଲ କରି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କାର୍ଯ୍ୟ ସଠିକ୍‍ ରୂପେ କରାଯିବା ପାଇଁ ନିର୍ଦ୍ଦେଶ  ଦିଆଯାଇଛି । ଯେପରି କେହି ବାତ୍ୟା ସମୟରେ ଆଜବେଷ୍ଟ, ମାଟି କିମ୍ବା କଚ୍ଚା ଘରେ ରହିବେ ନାହିଁ ତାହା ସେମାନେ ସୁନଶ୍ଚିତ କରିବାକୁ କୁହାଯାଇଛି । ଏହି ବାତ୍ୟାକୁ ଆଖିରେ ରଖି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଦ୍ୟୁତ  ବିଭାଗ ଓ ବଂଟନ ସଂସ୍ଥା, ଟେଲିକମ୍‍ କାର୍ଯ୍ୟାଳୟ ଓ ଏନ୍‍ଡିଏମ୍‍ଏ ସହିତ ଆଲୋଚନା କରାଯାଇଛି ।

ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଯାଇଛି । ପାରାଦ୍ୱୀପର ସନ୍ଧାନକାରୀ ଦଳ ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରି ଯିବା ପାଇଁ ଅବଗତ କରାଉଛନ୍ତି । ଏବେସୁଦ୍ଧା ମାତ୍ର ୩୯ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଅଛନ୍ତି ଏବଂ ସେମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଛି । ପାରାଦ୍ୱୀପ, ଧାମରା ଓ ଗୋପାଳପୁର ବନ୍ଦର ପକ୍ଷରୁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ସମୁଦ୍ର ମଧ୍ୟରେ ରହିଯାଇଥିବା ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରାଇ ଆଣିବାକୁ ପାରାଦ୍ୱୀପରେ ଥିବା ତଟରକ୍ଷୀ ବାହିନୀର ଦୁଇଗୋଟି ଉଡାଜାହାଜ ଓ ଦୁଇଗୋଟି ଜାହାଜ ବଙ୍ଗୋପସାଗରରେ ପଇଁତରା ମାରୁଛନ୍ତି । ଏଥିସହିତ ସେମାନେ ବାହାରୁ ଆସିଥିବା ମତ୍ସ୍ୟଜୀବୀ ବୋଟକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଗ୍ରହଣ କରିବେ । ମତ୍ସ୍ୟଜୀବୀମାନଙ୍କର ଟ୍ରଲର, ଡଙ୍ଗା ଓ ଜାହାଜ ଯେପରି କ୍ଷତିଗସ୍ତ ନହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । 

ନଗର ଉନ୍ନୟନ ବିଭାଗ ପାନୀୟ ଜଳ ଯୋଗାଣକୁ ସଂପୂର୍ଣ୍ଣ ରୂପେ ସୁବ୍ୟବସ୍ଥିତ କରୁଛନ୍ତି । ଆବଶ୍ୟକ ସ୍ଥଳେ ଏଥିନିମନ୍ତେ ଜେନେରେଟର ବ୍ୟବସ୍ଥା କରିବାକୁ କୁହାଯାଇଛି । ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳ ସଂପଦ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇ ମାନବ ସମ୍ବଳ, ଯନ୍ତ୍ରାଂଶ ଓ ସାମଗ୍ରୀ ମହଜୁଦ ରଖିବାକୁ ବ୍ୟବସ୍ଥା କରାଯାଉଛି ।  ବନ୍ୟ ବିଭାଗ ପକ୍ଷରୁ ରାସ୍ତାରେ ପଡିଥିବାଗଛ କାଟିବା ପାଇଁ ପ୍ରସ୍ତୁତ ରହିଛନ୍ତିି । କୋଭିଡ ନିୟମକୁ ଦୃଷ୍ଟିରେ ରଖି ଯଥେଷ୍ଟ ଅଧିକ ସଂଖ୍ୟକ ଆଶ୍ରୟସ୍ଥଳ ବ୍ୟବସ୍ଥା କରାଯାଇଛି । ଆଶ୍ରୟ ନେଉଥିବା ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସମ୍ଭବ ହୋଇପାରିବ । ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳୀରେ ରହିବା ସମୟରେ କୋଭିଡ୍‍ ନିୟମର କିଭଳି ଅନୁପାଳନ କରାଯିବ ସେଥିନିମନ୍ତେ ଗୁରୁତ୍ୱ ଦିଆଯାଉଛି ।

ବାତ୍ୟା ପୂର୍ବରୁ ବିିଭିନ୍ନ ବିଜ୍ଞାପନ ଓ ହୋଡିଂ ବୋର୍ଡକୁ ଉଠାଇ ଦିଆଯିବା ପାଇଁ ନିର୍ଦ୍ଦେଶ  ଦିଆଯାଇଛି । କୃଷି ବିଭାଗ ତରଫରୁ ଅମଳ ହୋଇନଥିବା ଶସ୍ୟକୁ ଶୀଘ୍ର କିଭଳି ଅମଳ କରାଯିବ ଏବଂ ଅମଳ ହୋଇସାରିଥିବା ଶସ୍ୟର କିଭଳି ସୁରକ୍ଷା କରାଯାଇ ପାରିବ ସେ ସଂପର୍କରେ କୃଷି ବିଭାଗ ତରଫରୁ ମାର୍ଗଦର୍ଶିକା ଦିଆଯାଇଛି । 

 

0
0
0
s2sdefault