-
ଗ୍ରାମର ନିଷ୍ପତ୍ତି,ସମସ୍ତଙ୍କର ହେବ କୋଭିଡ ପରୀକ୍ଷା
-
ଘର ଘର ବୁଲି ସ୍ୱାସ୍ଥ୍ୟ ବିଭାଗ କଲା ତଥ୍ୟ ସଂଗ୍ରହ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗିରିଡି ପଲ୍ଲୀ ପଂଚାୟତ ଝାଡସାହି ଗାଁରେ ଗୋଟିଏ ଦିନରେ ୪ ଜଣଙ୍କ ମୃତ୍ୟୁ ଘଟଣାର ଦିତୀୟ ଦିନରେ ଚାନ୍ଦପୁରରେ ଚିକିତ୍ସିତ ଅନ୍ୟ ଜଣକର ମୃତ୍ୟୁ ଘଟଣା ଗାଁରେ ଭୟାତୁର ପରିସ୍ଥିତି ସୃଷ୍ଟି କରିଛି । ଗତକାଲି ପ୍ରାଣ ହରାଥିବା କୁମାରୀ ଡାକୁଆଙ୍କ ୨ ପୁଅ ପ୍ରଭାତ, ରୁଷିଆ ଏବଂ ବୋହୁ ମାମାଲିଙ୍କ ଆଜି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚାନ୍ଦପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଦୁଃଖର କଥା ଅଧିକ ଚିକିତ୍ସା ନିମନ୍ତେ ଚାନ୍ଦପୁର କୋଭିଡ ହସ୍ପିଟାଲ ଯାଇଥିବା ବେଳେ ଗୁରୁତର ମାନଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ରହିଥିବା ହସ୍ପିଟାଲକୁ ସ୍ଥାନାନ୍ତର କରିବା କଥା । କିନ୍ତୁ ଗତକାଲି ମୃତ୍ୟୁ ବରଣ କରିଥିବା କୁମାରୀ ଡାକୁଆଙ୍କ ବୋହୁ ଆଜି ଚାନ୍ଦପୁର କୋଭିଡ ହସ୍ପିଟାଲରେ ମୃତ୍ୟୁବରଣ କରିବା ପରେ ସେଠାରେ ଚିକିତ୍ସାରେ ଅବହେଳା ନେଇ ସ୍ଥାନୀୟ ଅଂଚଳବାସୀ ମନରେ ସନେ୍ଦହ ସୃଷ୍ଟି ହୋଇଛି । ଫଳରେ କରୋନା ଭୟରେ ଥଣ୍ଡା କାଶ ଜ୍ୱରରେ ପିଡିତ ଥିବା ଗ୍ରାମବାସୀ ନିଜକୁ ଲୁଚାଇ ରଖୁଛନ୍ତି । ଆଜି ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ଗାଁକୁ ଯାଇ ସମସ୍ତଙ୍କୁ ପରାମର୍ଶ ଓ ସଚେତନ କରାଇଥିଲେ । ପରେ ଗ୍ରାମ ସଭାର ନିଷ୍ପତୀ ଅନୁସାରେ ଗ୍ରାମବାସୀ ନିଜର ସ୍ୱାସ୍ଥ୍ୟ ଗତ ତଥ୍ୟ ଦେବା ସହିତ ସମସ୍ତଙ୍କର କୋଭିଡ ପରୀକ୍ଷା ପାଇଁ ରାଜି ହୋଇଛନ୍ତି ।