ହେଡଲାଇନସ୍:

ଜଳସଂପଦ ବିଭାଗର ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ ରହିବାକୁ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର-  ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସଂପଦ ବିଭାଗ ତରଫରୁ ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ୨ୟ  ପ୍ରସ୍ତୁତି ବୈଠକ  ଭିଡିଓ କନଫରେନ୍ସିଂ  ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।  ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏହି ବୈଠକରେ ଅଧ୍ୟକ୍ଷତା କରି  ଆଗାମୀ ସମ୍ଭାବ୍ୟ ବନ୍ୟା ପୂର୍ବରୁ ଏହାର ପ୍ରସ୍ତୁତି ନେଇ ବିଭାଗ ଦ୍ଵାରା ପ୍ରସ୍ତୁତ ମାନକ କାର୍ୟ୍ୟବିଧି  ପଦ୍ଧତି ବା ମାର୍ଗଦର୍ଶିକା (ଏସ. ଓ. ପି ) ଅନୁସାରେ ସମସ୍ତ ପ୍ରକାର  ପ୍ରସ୍ତୁତି ଶେଷ କରିବାକୁ  ବିଭାଗୀୟ  ଯନ୍ତ୍ରୀ  ଓ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ମୁଖ୍ୟ ଯନ୍ତ୍ରୀ (ବନ୍ୟା ନିୟନ୍ତ୍ରଣ) ଇଂ.  ଭକ୍ତରଞ୍ଜନ ମହାନ୍ତି  ପାୱାର ପଏଣ୍ଟ ଜରିଆରେ  ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ  ନଦୀବନ୍ଧ ମରାମତି ନେଇ ଯୁଗ୍ମ ତନଖି, ଦୁର୍ବଳ ଥିବା ନଦୀବନ୍ଧ ଚିହ୍ନଟ, ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ଉପକରଣ ମହଜୁଦ ରଖାଯିବା, ବିଭିନ୍ନ ସ୍ଥାନରେ ପୂର୍ବରୁ ହୋଇଥିବା ଘାଇ ଓ ଘଳିଆ ମରାମତି, ସ୍ଲୁଇସ ଗେଟ ଓ ବ୍ୟାରଜ ଗେଟ ଗୁଡିକର ମରାମତି ତଥା ଉନ୍ନତିକରଣ ବନ୍ୟା ସମୟରେ  ଆଗୁଆ ସତର୍କ ସୂଚନା, ଗଣମାଧ୍ୟମକୁ ସୂଚନା ପ୍ରଦାନ, ସମ୍ପ୍ରତି କୋଭିଡ କଟକଣା ମାର୍ଗଦର୍ଶିକା  ଅନୁପାଳନ ପୂର୍ବକ ବନ୍ୟା ପ୍ରାକ ପ୍ରସ୍ତୁତି ଓ ବନ୍ୟା ମୁକାବିଲା କାର୍ୟ୍ୟ ସମ୍ପାଦନ କରିବା ଉପରେ ବୈଠକରେ ଗୁରୁତ୍ଵ ଦିଆଯାଇଛି । 

ବୈଠକରୁ ଜଣାଯାଇଛି ଯେ, ଚଳିତ ମଇ ମାସ ୧୦  ତାରିଖ ସୁଦ୍ଧା ଜଳସଂପଦ ବିଭାଗୀୟ ଯନ୍ତ୍ରୀ ଓ ସମ୍ପୃକ୍ତ ବିଭିନ୍ନ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହିତ ସମସ୍ତ  ନଦୀ ବନ୍ଧର  ଯୁଗ୍ମ ତନଖି କାର୍ୟ୍ୟ ସରିଛି । ଯେଉ ସବୁ ନଦୀବନ୍ଧର ଦୁର୍ବଳ ସ୍ଥାନରେ ସାମୟିକ ମରାମତି ବା ପୁନରୁଦ୍ଧାର କାର୍ୟ୍ୟ ବାକି ରହିଛି, ତାହାକୁ ଆଗାମୀ ଜୁନ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଖାଲି ସିମେଣ୍ଟ ବ୍ୟାଗ, ବାଲି, ବାଉଁଶ, ବଲ୍ଲା  ଆଦି ଜୁନ ୧ ତାରିଖ ସୁଦ୍ଧା  ସରକାରୀ ବ୍ୟବସ୍ଥାରେ ସଂଗ୍ରହଣ ପରେ  ଜୁନ ୧୫ ତାରିଖ ସୁଦ୍ଧା ପ୍ରୟୋଜନୀୟ ଅତ୍ୟାବଶ୍ୟକ ସ୍ଥାନରେ ରଖିବାକୁ  ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ସାମଗ୍ରୀର ସଂଗ୍ରହଣ ଓ ମହଜୁଦ ସମ୍ପର୍କରେ  ବିଭାଗୀୟ ୱେବସାଇଟ ରେ ଉପଲବ୍ଧ ହେବ ।  ସେହିପରି ୨୦୨୦  ବନ୍ୟାରେ ଚିହ୍ନଟ ହୋଇଥିବା ସମସ୍ତ  ଘଳିଆର  ମରାମତି କାର୍ୟ୍ୟ ଚଳିତ ମେ  ମାସ ୨୫ ତାରିଖ ଏବଂ ଘାଇ ମରାମତି କାର୍ୟ୍ୟ ଆଗାମୀ ଜୁନ ୧୦ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ସମସ୍ତ ଘାଇ ମରାମତି ସମ୍ପର୍କିତ ସ୍ଥିତି ସମ୍ପର୍କରେ ବିଭାଗୀୟ ୱେବସାଇଟରେ ମଧ୍ୟ ଉପଲବ୍ଧ ହେବ । ମରାମତି ବା ପୁନରୁଦ୍ଧାର  ଆବଶ୍ୟକ କରୁଥିବା ସମସ୍ତ ସ୍ଲୁଇସ  ଗେଟ  ଏବଂ ବ୍ୟାରେଜ ଗେଟଗୁଡିକୁ  ଜୁନ ୧୫ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।   

ବନ୍ୟା ସମୟରେ ମାନକ କାର୍ୟ୍ୟବିଧି ପଦ୍ଧତି ( ଏସ.ଓ.ପି) କଡ଼ାକଡ଼ି ଭାବେ ପାଳନ କରି କାର୍ୟ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ନିୟନ୍ତ୍ରଣ ପ୍ରକୋଷ୍ଠର ପରିଚାଳନା, ଟେଲିଫୋନ ଡିରେକ୍ଟୋରୀ ପ୍ରସ୍ତୁତି, ଅଧିକାରୀଙ୍କ ମଧ୍ୟରେ ବନ୍ୟା ପରିଚାଳନା ନେଇ ଉତ୍ତରଦାୟିତ୍ଵ, ବିନା ଅନୁମତିରେ ଛୁଟି ମଞ୍ଜୁର କରାନଯିବା, ଜରୁରୀ ପରିସ୍ଥିତିରେ  କଣ୍ଟ୍ରାକ୍ଟର ଓ ସ୍ଥାନୀୟ ଲୋକଙ୍କ ପାଖରେ ଥିବା ଆବଶ୍ୟକ ଯନ୍ତ୍ରପାତି ବ୍ୟବହାର ନେଇ ପ୍ରସ୍ତୁତି, ବର୍ଷା ପରିମାଣ , ଜଳଭଣ୍ଡାରର ସ୍ଥିତି ସମ୍ପର୍କରେ  ଗୁଗୁଲ ସିଟ ଏବଂ  ହାଇଡ୍ରୋମେଟ  ଆପ ଜରିଆରେ ଜଣାଇବା , ଲାଇଫ ଜ୍ୟାକେଟ ପ୍ରସ୍ତୁତ ରଖିବା, ପରିବହନ ସୁବିଧା ପାଇଁ ନଦୀ ବନ୍ଧ ରାସ୍ତା ସବୁବେଳେ ଯାତାୟତ ଉପଯୋଗୀ ହେଉଥିବା ଆଦି ଏସ.ଓ.ପି ଅନୁସରଣ କରିବାକୁ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ଏହା ବ୍ୟତୀତ ବନ୍ୟା ସମୟରେ କଣ କରାଯିବା  ଉଚିତ ଓ କଣ ଅନୁଚିତ, ସେ ସମ୍ପର୍କରେ ଜନସଚେତନତା ପାଇଁ ସଂବାଦପତ୍ର ତଥା ସାମାଜିକ ଗଣ ମାଧ୍ୟମରେ ନିୟମିତ ପ୍ରକାଶନ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।

               ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗ ସର୍ବୋଚ୍ଚ  ଯନ୍ତ୍ରୀ  ଜ୍ୟୋତିର୍ମୟ ରଥ , ସର୍ବୋଚ୍ଚ  ଯନ୍ତ୍ରୀ ( ଯୋଜନା ଓ ନକ୍ସାଙ୍କନ)  ଧୀରେନ କୁମାର ସାମଲ, ବିଭିନ୍ନ ନଦୀ ଅବବାହିକା ପରିଚାଳନା ଦାୟିତ୍ବରେ ଥିବା  ମୁଖ୍ୟ ଯନ୍ତ୍ରୀ ତଥା ବେସିନ ମ୍ୟାନେଜର, ପରିଚାଳନା ନିର୍ଦ୍ଦେଶକ , ବିଭାଗୀୟ ଯୁଗ୍ମ ଶାସନ ସଚିବ, ଓଡିଶା କଂଷ୍ଟ୍ରକ୍ସନ କର୍ପୋରେସନ ଲିଃ ର ପରିଚାଳନା ନିର୍ଦ୍ଦେଶକ  ପ୍ରମୁଖ ଯୋଗ ଦେଇଥିଲେ ।

 

 

0
0
0
s2sdefault