ପୁରୀ: ଆରମ୍ଭ ହେଲା ରଥ ନିର୍ମାଣ । ପ୍ରଥମ ଦିନରେ ଆଗେଇ ଚାଲିଛି ତିନି ରଥର ତୁମ୍ବ କଟିଂ । ଥର୍ମାଲ ସ୍କ୍ରିନିଂ ପରେ ମହାରଣା ସେବକ ମାନେ ତୁମ୍ବ କଟିଂ କାମ ଆରମ୍ଭ କରିଛନ୍ତି । ତୁମ୍ବ କଟିଂ କାମକୁ ୩ରଥର ମୁଖ୍ଯ ମହାରଣାଙ୍କୁ ମିଶାଇ ୯ ଜଣ ମହାରଣା ସେବକ, ୬ଜଣ କରତିଆ ଓ ଜଣେ ରଥ ଅମିନ କାର୍ଯ୍ୟକୁ ଆଗେଇ ନେଇଛନ୍ତି ।
ଆଜି ତିନି ରଥର ଗୋଟିଏ ଲେଖାଁଏ ତୁମ୍ବ କରତିଆ ସେବକ ମାନେ କଟିଂ କରିଛନ୍ତି । ଯାହାକୁ କି ତିନି ରଥ ମୁଖ୍ୟ ମହାରଣା ମାନେ ବାରିସୀରେ ହାଣି ଗୋଲେଇ କରିବା କାର୍ଯ୍ୟ ଜାରି ରଖିଛନ୍ତି । ନନ୍ଦିଘୋଷ ରଥ ଏବଂ ତାଳଦ୍ୱାଜ ରଥର ତୁମ୍ବ ସାଇଜ ୨ଫୁଟ ୮ଇଂଞ୍ଚ ରହୁଥିବା ବେଳେ ମା' ସୁଭଦ୍ରା ଙ୍କ ତୁମ୍ବ ମାପ ୩ ଫୁଟ ରହିଥାଏ ।
ସୂଚନା ଥାଉକି, ଗତକାଲି ଅକ୍ଷୟ ତୃତୀୟାରେ ଶ୍ରୀଜୀଉ ମାନଙ୍କ ଆଜ୍ଞା ମାଳ ଆସିବା ପରେ ରଥ କାଠ ଅନୁକୁଳ କରାଯାଇଥିଲା । ଆଜି ପୂର୍ବାହ୍ନରେ ମହାରଣା ସେବକ ଓ ରଥ ଅମିନଙ୍କ ଉପସ୍ଥିତିରେ ଯଥାରୀତି ରଥ ନିର୍ମାଣ କାମ ଆରମ୍ଭ କରାଯାଇଥିଲା ।