ବଲାଙ୍ଗିର/ ନିରୋଜ ମିଶ୍ର -କରୋନା ଯୋଗୁଁ ଫିକା ପଡିଛି ଚାଷ ଅନୁକୂଳର ଆରମ୍ଭ ପର୍ବ ଅକ୍ଷୟ ତୃତୀୟା । ସରକାରୀ ଭାବେ ଜିଲା ପ୍ରଶାସନ ଦ୍ୱାରା ଏହାକୁ ବାତିଲ କରାଯାଇଥିବା ବେଳେ କେତେକ ସ୍ଥାନରେ ଏହାକୁ ଚାଷୀମାନେ ପାଳନ କରିଛନ୍ତି ।
ଚାଷୀ ନେତା ତଥା ଜିଲା କୃଷକ ମହାସଂଘର ସଭାପତି ଡା.ସୁଧିର ପରିଚ୍ଛା ପ୍ରତିବର୍ଷ ସଦର ବ୍ଲକ ଅନ୍ତର୍ଗତ କୌଣସି ନା କୌଣସି ଗାଁରେ ଚାଷୀର ଏହି ପର୍ବକୁ ଆୟୋଜନ କରିଥାନ୍ତି । ଗତ ବର୍ଷ କରୋନାରେ ଆକ୍ରାନ୍ତ ହେବା ଓ ସ୍ୱାସ୍ଥ୍ୟଗତ କାରଣାରୁ ଏଥର ସେ ଆୟୋଜନ କରିପାରିନଥିଲେ । କିନ୍ତୁ ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ପରମ୍ପରାକୁ ବଞ୍ଚାଇ ରଖିବାକୁ ଯାଇ ତାଙ୍କ ଭାଇ ସୌମେନ୍ଦ୍ର ପରିଚ୍ଛା ଓରଫ ଚଗଲା ଏଥର ଅଣ୍ଟା ଭିଡିଛନ୍ତି । ନିଜ ଗାଁ ମାଟି ସଦର ବ୍ଲକ ଅନ୍ତର୍ଗତ ଜନକପୁର ଠାରେ ସେ ଅକ୍ଷୟ ତୃତୀୟା ଆୟୋଜନ କରିଥିଲେ । କରୋନା କଟକଣାକୁ ଆଖି ଆଗରେ ରଖି ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ସହ ମାକ୍ସ ପରିଧାନ କରି ଚାଷ ଜମିରେ ହଲ ଲଙ୍ଗଳ କରି ଧାନ ବୁଣିଥିଲେ ।
ଗାଁରେ ବିଧି ଓ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଗାଁରେ ଅକ୍ଷୟ ତୃତୀୟ ପାଳନ କରାଯାଇଥିଲେ ହେଁ ଚାଷୀମାନଙ୍କ ମନରେ ସେତେଟା ଉଲ୍ଲାସ ଦେଖିବାକୁ ମିଳିନଥିଲା । ସକାଳୁ ସକାଳୁ ଗାଁର କିଛି ଚାଷୀଙ୍କୁ ନେଇ ଚାଷୀମାନଙ୍କ ପର୍ବକୁ ପାଳନ କରାଯାଇଥିଲା । ପ୍ରଥମେ ଗ୍ରାମ୍ୟ ଦେବୀଙ୍କ ଠାରେ ଭୋଗ ଲାଗି ହେବା ପରେ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଗାଁର ଚାଷୀ ପିତାମ୍ବର ବିଶି, ନୀଳକଣ୍ଠ ଭୋଇ ପଶ୍ଚିମ ଓଡିଶାର ପ୍ରସିଦ୍ଧ ରାମ ଯେ ଲଇଖନ ହୋ,ଦୁଇ ଭାଇ...ହଲିଆ ଗୀତ ଗାଇଥିବା ବେଳେ ଗ୍ରାମ୍ୟଦେବୀଙ୍କୁ ପ୍ରଥମେ ଧାନ ବୁଣିବା ପାଇଁ ଆଦେଶ ମଗାଯାଇଥିଲା । ଏହା ପରେ ଘରୁ ଧାନ ବାହାର କରାଯିବାର ବିଧି ଶେଷ ହେଲା ପରେ ଚାଷୀମାନେ ହଲ ଲଙ୍ଗଲ ଧରି ଚାଷ ଜମି ଅଭିମୁଖେ ଯାଇଥିଲେ । କରୋନା ଯୋଗୁଁ ଚାଷୀମାନେ ନିଜ ନିଜ ଭିତରେ ସଚେତନ ହୋଇ ସାମାଜିକ ଦୂରତ୍ୱ,ମାକ୍ସ ପିନ୍ଧି ଅକ୍ଷୀ ମୁଠି ଧରିଥିଲେ । ଗାଁର ଚାଷୀ ବେଣୁଧର ବିଶି,ବିନୋଦ କୁମାର ରାଉତ,ପଞ୍ଚାନନ ବିଶି,ବିଷ୍ଣୁ ବିଶି,ବସନ୍ତ ରାଉତ, ହେମନ୍ତ ରାଉତ, ନେପାଳ ବିଶି, ବୀଣା ରାଉତ,ଲଙ୍ଗରାଜ ରାଉତ ହଲ ଧରିଥିଲେ । ଆଗାମି ଦିନରେ ଚାଷ ଠିକରେ ବର୍ଷା ହେବା ସହ ପାଣିପାଗ ଠିକରେ ରହୁ ବୋଲି ଗୀତ ବୋଲିବା ସହ ଇନ୍ଦ୍ରଦେବତାଙ୍କୁ ବର୍ଷା ଜଳ ଭିକ୍ଷା କରିଥିଲେ । ଚାଷୀମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି କରୋନା ସମୟରେ ଚାଷୀମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗେଇଦେବାକୁ ଶ୍ରୀ ପରିଚ୍ଛା ଦାବି କରିଛନ୍ତି ।