ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ତୋଟାଗୁମୁଡା ଗ୍ରାମରେ ୧୪/୫/୨୦୨୧ ତାରିଖରେ ହେବାକୁ ଯାଉଥିବା ଏକ ବାଲ୍ୟବିବାହ ସମ୍ପର୍କେ ଚାଇଲ୍ଡ ଲାଇନର ୧୦୯୮ ଜରିଆରେ କୋଲାବ ଚାଇଲ୍ଡ ଲାଇନ ଗଜପତିକୁ ସୂଚନା ଆସିଥିଲା ।
ସୂଚନା ପାଇବା କ୍ଷଣି କୋଲାବ ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜକ ଶ୍ରୀ ନାଗେଶ୍ୱର ଚୌଧୁରୀ ଉକ୍ତ ବିବାହକୁ ସ୍ଥିଗିତ କରିବା ନିମନ୍ତେ ଜିଲ୍ଲାର ବିଭିନ୍ନ ଅଧିକାରୀ ମାନଙ୍କ ସହ ବିବାହ ସ୍ଥଳରେ ପହଞ୍ଚିଥିଲେ ।
ଏହି ଦଳରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ , "ସଖୀ" ୱାନ୍ ଷ୍ଟପ ସେଣ୍ଟରର କେନ୍ଦ୍ର ପରିଚାଳିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ , ଗୁରାଣ୍ଡି ଥାନା ସବ୍-ଇନ୍ସପେକ୍ଟର ଶ୍ରୀମତି ମମତା ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶ୍ରୀ ଜୟ ପ୍ରକାଶ ବାଡତ୍ୟା , ସୁପରଭାଇଜର ଶ୍ରୀମତି ସୁଜାତା ଗନ୍ତାୟତ , ଶ୍ରୀ ସୁରେଶ କୁମାର ଓ ଗ୍ରାମବାସୀ ପ୍ରମୂୁଖ ଯୋଗଦେଇ ବିବାହକୁ ସ୍ଥଗିତ କରିଥିଲେ । ଘଟଣା ସ୍ଥଳରେ ପହଞ୍ଚି ବିବାହ ହେବାକୁ ଯାଉଥବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରି ଝିଅର ବାପା ମାଆଙ୍କୁ ବୁଝାମଣା କରିଥିଲେ। ବାଲ୍ୟ ବିବାହର କୁ-ପ୍ରଭାବ ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା ।
ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ରାଉଳ ଝିଅଙ୍କୁ ସମିତି ସମ୍ମୁଖରେ ୧୭ ତାରିଖରେ ଉପସ୍ଥାପନା କରିବା ପାଇଁ ଝିଅର ପିତା ମାତାଙ୍କୁ ନିର୍ଦ୍ଦେଶ ଦେଇ ସେମାନଙ୍କ ଠାରୁ ଝିଅକୁ ୧୮ବର୍ଷ ପୂର୍ତ୍ତି ନ ହେବା ପର୍ଯ୍ୟନ୍ତ ବିବାହ ନ କରିବା ପାଇଁ ଲିଖିତ ପ୍ରତିଶୃତି ନେଇଥିଲେ ।