ଭୁବନେଶ୍ୱର - ଚଳିତ ମାସ ମେ ୨୧ ତାରିଖ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ପଡ଼ୁଅଛି । କଂଗ୍ରେସ ଦଳ ତରଫରୁ ପ୍ରତିବର୍ଷ ଏହି ଦିନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ସାରା ଭାରତର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଜନସାଧାରଣ ନିଜ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ।
କଂଗ୍ରେସ ଦଳ ସର୍ବଦା କରୋନା ପୀଡ଼ିତଙ୍କୁ ଯଥାସମ୍ଭବ ସାହାଯ୍ୟ ଓ ସହଯୋଗ ଜାରି ରଖିଛି । ଏଆଇସିସିର ନିର୍ଦ୍ଦେଶକ୍ରମେ ପ୍ରଦେଶ କଂଗ୍ରେସ କମିଟି ଚଳିତମାସ ୨୧ ତାରିଖ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସକୁ କରୋନା ପୀଡ଼ିତଙ୍କ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବା ନିଷ୍ପତି ନିଆଯାଇଛି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।
ତେଣୁ କରୋନା ପୀଡିତଙ୍କୁ ମାକ୍ସ, ସାନିଟାଇଜର, ଔଷଧ, ଖାଦ୍ୟ ଓ ଯଥାସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇବା ସହ ସାଧାରଣ ଲୋକଙ୍କୁ କରୋନା ମହାମାରୀ ସଂପର୍କରେ ସଚେତନ କରିବାକୁ ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କମିଟି ସଭାପତି, ପିସିସି ପର୍ଯ୍ୟବେକ୍ଷକ,ସାଂସଦ, ସାଂସଦ ପ୍ରାର୍ଥୀ, ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ, ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତା ଏବଂ ବ୍ଲକ ଓ ନଗର କଂଗ୍ରେସ ସଭାପତି ମାନଙ୍କୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।
ଏହାକୁ ଅତ୍ୟନ୍ତ ଗୁରୁତ୍ୱ ମନେ କରି କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦିତ କରିପାରିଲେ ଏହି କରୋନା ବିପତି ସମୟରେ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କୁ ତାଙ୍କର ପୂଣ୍ୟ ଶ୍ରାଦ୍ଧବାର୍ଷିକ ପାଳନ ଅବସରରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ।