ହେଡଲାଇନସ୍:

ମୟୂରଭଞ୍ଜରେ ଗଡ଼ୁନି ୪ଶହରରୁ ଊର୍ଧ୍ବ ବସ୍ ,ସମସ୍ୟାରେ ୨ହଜାରରୁ ଊର୍ଧ୍ବ କର୍ମଚାରୀଙ୍କ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆର୍ଥିକ ସଙ୍କଟରେ ୨୦୦ରୁ ଊର୍ଧ୍ବ ମାଲିକ, ପରିବହନ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ଦାବି

ବାରିପଦା,/ ଦିଲ୍ଲୀପ ମହାନ୍ତି : କରୋନାରେ ୨ୟ ଲହର ମୟୂରଭଞ୍ଜରେ ତାଣ୍ଡବ ରଚୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସଂକ୍ରମଣର ଗତି ଦ୍ରୁତତର ହେବା ଯେତିକି ବାଧୁଛି ସମପରିମାଣରେ କଷ୍ଟ ଦେଉଛି ଏନେଇ ହୋଇଥିବା ପରିବହନ କଟକଣା। ମହାମାରୀର ୨ୟ ସଂକ୍ରମଣ କାରଣରୁ ମୟୂରଭଞ୍ଜରେ ଠପ୍ ହୋଇଯାଇଛି ବସ ପରିବହନ ସେବା। ଗତବର୍ଷର ଲକଡାଉନ ଏବଂ ସଟ୍ଡାଉନ କାରଣରୁ ହୋଇଥିବା କ୍ଷତିର ଭରଣା ନହେଉଣୁ ଚଳିତ ବର୍ଷ ପୁନର୍ବାର ବନ୍ଦ ହୋଇଯାଇଛି ବସ ଚଳାଚଳ। ପ୍ରଥମେ ଆନ୍ତଃରାଜ୍ୟ ବସ୍ ପରିବହନ ଗତମାସରୁ ବନ୍ଦ ହୋଇଥିଲା। ଆଉ ଚଳିତ ମାସରୁ ବନ୍ଦ ହୋଇଛି ରାଜ୍ୟ ମଧ୍ୟରେ ବସ ଚଳାଚଳ। ଫଳରେ ଜିଲ୍ଲାରେ ଗଡ଼ୁନି ପ୍ରାୟ ୪୫୦ ବସ। ଜିଲ୍ଲା ସଦରମହକୁମା ବାରିପଦା ବସଷ୍ଟାଣ୍ଡ୍ରେ ଯେଉଁଠି ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭିଡ଼ ରହୁଥିଲା, ଏବେ ସେଠି ନୀରବତା ବିରାଜମାନ କରୁଛି। ବାରିପଦା, ଉଦଳା, କରଞ୍ଜିଆ, ଯଶୀପୁର ଓ ରାଇରଙ୍ଗପୁର ଆଦି ସ୍ଥାନକୁ ମିଶାଇ ଜିଲ୍ଲାରେ ପ୍ରାୟ ୪୫୦ ବସ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନ ସହିତ କୋଲକତା, ଟାଟା ଓ ରାଞ୍ଚି ଭଳି ଅନ୍ତଃରାଜ୍ୟ ପରିବହନରେ ନିୟୋଜିତ ଅଛନ୍ତି ଏହି ବସ୍। ମୟୂରଭଞ୍ଜ ବସ୍ ମାଲିକ ସଂଘ ଅଧିନରେ ପ୍ରାୟ ୧୨୨ଜଣ ମାଲିକ ରହିଥିବା ବେଳେ ଜିଲ୍ଲାରେ ପ୍ରାୟ ୨୦୦ରୁ ଊର୍ଧ୍ବ ଘରୋଇ ବସ୍ ମାଲିକ ରହିଛନ୍ତି। ଆଉ ଏହି କ୍ଷେତ୍ରରେ ଜିଲ୍ଲାରୁ ପ୍ରାୟ ୨ହଜାର ପ୍ରତ୍ୟେକ୍ଷ ଏବଂ ୫ହଜାର ପରୋକ୍ଷ କର୍ମଚାରୀ ନିୟୋଜିତ ଥିଲେ। ମାତ୍ର ଲକ୍ଡାଉନ ଦିନରୁ ବେରୋଜଗାର ହୋଇପଡ଼ିଛନ୍ତି ଏହି କ୍ଷେତ୍ର ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ପ୍ରାୟ ୫ହଜାରରୁ ଊର୍ଧ୍ବ ଡ୍ରାଇଭର୍, କଣ୍ଡକ୍ଟର୍, ହେଲ୍ପରଙ୍କ ସହିତ  ବୁକିଂ କର୍ମଚାରୀ, ଗାଡି ସଫା କରୁଥିବା ଶ୍ରମିକ, ବସ୍ଷ୍ଟାଣ୍ଡ୍ ସୁପରଭାଇଜର୍, ମ୍ୟାନେଜର୍, ଗ୍ୟାରେଜ୍ କର୍ମଚାରୀଙ୍କ ପରିବାର ଦୁର୍ଦ୍ଦଶା ଦେଇ ଗତିକରୁଛନ୍ତି। ଗତବର୍ଷ ଏମାନଙ୍କ ମଧ୍ୟରୁ କିଛି ନିଜର ବେଉସା ପରିବର୍ତ୍ତନ କରିଥିଲେ। ସ୍ବାଭାବିକ ସ୍ଥିତି ଫେରିବା ପରେ ପୁନର୍ବାର କାମରେ ଯୋଗଦେଇଥିଲେ ଏମାନେ। ମାତ୍ର କିଛି ମାସ ବ୍ୟବଧାନରେ ପୁଣି ଜୀବିକା ହରାଇଛନ୍ତି। ଗତବର୍ଷ ବସ ମାଲିକମାନେ କିଛିଦିନ ସମ୍ଭାଳିବା ପରେ ହାତ ଟେକିଦେଇଥିଲେ। ଚଳିତ ବର୍ଷ କିନ୍ତୁ ଆରମ୍ଭରୁ ନିରାଶା ଦେଖାଯାଇଛି। ତେଣୁ ପରିବାର ପ୍ରତିପୋଷଣ ଚିନ୍ତାରେ ରହିଛନ୍ତି କର୍ମଚାରୀ। ସେହିପରି ମାଲିକମାନଙ୍କ ଅବସ୍ଥା ମଧ୍ୟ ନକହିବା ଭଲ। ଅଧିକାଂଶ ମାଲିକ ବିଭିନ୍ନ ବ୍ୟାଙ୍କ୍ ଏବଂ ଫାଇନାନ୍ସ ସଂସ୍ଥାରୁ ଋଣ ଆଣି ବସ୍ ବ୍ୟବସାୟ କରୁଛନ୍ତି। ବସ୍ ଚାଲୁ କି ନଚାଲୁ ପ୍ରତିମାସରେ କିନ୍ତୁ ରାଜ୍ୟ ସରକାରଙ୍କୁ ମୋରଟଯାନ ଟିକସ, ବୀମା ଏବଂ ଇଏମ୍ଆଇ ଦେବା ଧାର୍ଯ୍ୟ। ଏହାଛଡ଼ା କର୍ମଚାରୀଙ୍କ ଦରମା। ଗାଡି ଚାଲିଲେ ରୋଜଗାର ହେଉଥିବା ଆୟରୁ ହିଁ ଦରମା ପ୍ରଦାନ କରାଯାଇଥାଏ। ଗତବର୍ଷର କ୍ଷତି ଭରଣା ନହେଉଣୁ ଚଳିତ ବର୍ଷର ଲକଡାଉନ ବେଡ଼ି ଉପରେ କେରାଡ଼ା ମାଡ଼ ଭଳି ହୋଇଥିବା ମାଲିକଙ୍କ ପକ୍ଷରୁ ପ୍ରକାଶ। ତେବେ ଏହି କ୍ଷେତ୍ର ସହିତ ଜଡ଼ିତ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ପ୍ରଦାନ କରିବାକୁ ରାଜ୍ୟ ସରକାର କହିଥିଲେ ମଧ୍ୟ ଏଯାବତ କିଛି ହୋଇନାହିଁ। ଫଳରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି। 

ଲକ୍ଡାଉନ କାରଣରୁ ବସ୍ ମାଲିକମାନେ ଭୟଙ୍କର କ୍ଷତିରେ ଅଛନ୍ତି। କର୍ମଚାରୀମାନେ ମଧ୍ୟ କଷ୍ଟରେ ଅଛନ୍ତି। ତେଣୁ ରାଜ୍ୟ ସରକାର ୩ ମାସ ପାଇଁ ପରିବହନ ଟିକସ ସହିତ ଇଏମ୍ଆଇ ଛାଡ଼ କରନ୍ତୁ। ସେହିପରି ବୀମାରାଶିକୁ ମଧ୍ୟ ୩ମାସ ଛାଡ କରାଯାଉ। ଏଥିସହିତ ପରିବହନ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ପ୍ରଦାନ କରାଯାଉ ବୋଲି   ମୟୂରଭଞ୍ଜ ବସ୍ ମାଲିକ ସଂଘ  ସାଧାରଣ ସମ୍ପାଦକ ସୁନୀଲ କୁମାର ଦାଶ ପ୍ରକାଶ କରିଛନ୍ତି । 

 

0
0
0
s2sdefault