ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତ୍ତି ଅନୁଯାୟୀ ସ୍ଥଗିତ ଥିବା ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାତିଲ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ | ସେହିପରି ଚଳିତ ବର୍ଷର ମଦ୍ରାସା ପରୀକ୍ଷା ମଧ୍ୟ ବାତିଲ ହୋଇଛି । ଏଥିନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି |
ନିଆ ଯାଇଥିବା ଅନୁଯାୟୀ, ମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ଘୋଷଣା କରାଯିବ । ଏଥିରେ ମିଳିଥିବା ମାର୍କ ଏବଂ ଗ୍ରେଡ୍ ରେ ଯଦି କୌଣସି ଛାତ୍ରଛାତ୍ରୀ ଅସହମତି ପ୍ରକାଶ କରନ୍ତି ତେବେ କରନା ସ୍ଥିତି ସ୍ୱାଭାବିକ ହେବ ପରେ ସେମାନଙ୍କ ପାଇଁ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିବ ।
ସୂଚନାଯୋଗ୍ୟ ଯେ ପର୍ଯ୍ୟାୟକ୍ରମେ ଇତିମଧ୍ୟରେ ସିବିଏସଇ ଏବଂ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ କରିସାରିଛନ୍ତି | ତେଣୁ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ ପଢ଼ୁଥିବା ଦଶମ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଅନୁରୂପ ଦାବି ହୋଇଥିଲା | ଗତକାଲି ଭୁବନେଶ୍ୱର କିଛି ସ୍କୁଲର ମାଟ୍ରିକ୍ ଛାତ୍ରଛାତ୍ରୀମାନେ ନବୀନ ନିବାସ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ କରିବା ସହ ମାଟ୍ରିକ୍ ପରୀକ୍ଷା ବାତିଲ୍ ପାଇଁ ଦାବି କରିଥିଲେ |