କଳାହାଣ୍ଡି/ ତୁଳମଣି ନାଗ: ଭବାନୀପାଟଣା ରିଜର୍ଭ ପୋଲିସ ବ୍ୟାରେକ ରୁ ଆସିଛି ଏଭଳି ଦୁଃଖଦ ଘଟଣା । ଏଠାରେ କାର୍ଯ୍ୟରତ ଜନୈକ ଓଏସଏପି କନଷ୍ଟେବଲଙ୍କୁ ସରଜେଣ୍ଟ ଖଗେଶ୍ବର ବିଶ୍ବାଳ ନିସ୍ତୁକ ମାଡ଼ ମାରିବା ଯୋଗୁଁ ଗୁରୁତର ଅବସ୍ଥାରେ ଯବାନ ଜଗବନ୍ଧୁ ମାଝିଙ୍କୁ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଗତକାଲି ରାତ୍ରୀ ୧୦ ଟା ସମୟରେ ସରଜେଣ୍ଟ ଖଗେଶ୍ବର ବିଶ୍ବାଳ, ଜଗବନ୍ଧୁ ମାଝିଙ୍କୁ କୋୖଣସି କାମ କରିବା ପାଇଁ ଫୋନ ମାଧ୍ୟମରେ ଡାକିଥିଲେ । ଜଗବନ୍ଧୁ ମାଝି ଦିନ ସାରା କାମ କରି ଥକି ଯାଇଥିବା ଦର୍ଶାଇ କାମଟିକୁ ସକାଳେ ସାରିଦେବା ପାଇଁ କହିଥିଲେ । ଏହାକୁ କେନ୍ଦ୍ର କରି ସରଜେଣ୍ଟ ଜଣକ ଜଗବନ୍ଧୁ ମାଝିଙ୍କୁ ଗାଳିଗୁଲଜ କରିବା ପରେ, ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା, ଏଥିରେ ଉତକ୍ଷିପ୍ତ ହୋଇ ସରଜେଣ୍ଟ ଖଗେଶ୍ବର ବିଶ୍ବାଳ ଅନ୍ୟ ଦୁଇ ସହଯୋଗୀଙ୍କ ସହିତ ମିଶି, ଖଟରେ ବ୍ୟବହୃତ ମଶାରୀ ପାଇପ ସାହାଯ୍ୟରେ ମାଝୀଙ୍କୁ ଅମାନୁଷିକ ଭାବେ ନିର୍ଧୁମ ମାଡ଼ ମାରିଥିଲେ । ମାଡ଼ ଯୋଗୁଁ ମାଝୀଙ୍କ କାନରୁ ପ୍ରବଳ ରକ୍ତଶ୍ରାବ ହେବା ସହିତ ଶରୀରର ଅନେକ ସ୍ଥାନରେ ଆଘାତ ପାଇଥିଲେ ।
ତେବେ ଟାଉନ ଥାନାରେ ପାଟିତୁଣ୍ଡ ଚାଲିଥିବା ସମୟରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ମୋବାଇଲକୁ ଟାଉନ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ, ଜନୈକ ସବ ଇନ୍ସପେକ୍ଟର ଛଡ଼ାଇନେଇ ସମସ୍ତ ଭିଜୁଏଲ ନଷ୍ଟ କରିବା ପୋଲିସ ଅଧିକାରୀଙ୍କ କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି କରୁଥିବା ବେଳେ ଦୋଷୀ ଅଧିକାରୀ ଙ୍କୁ ଘଣ୍ଟ ଘୋଡାଉଥିବା ପ୍ରତୀତ ହେଉଛି । ଏହା ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପରେ ସେ ତଦନ୍ତ ସରିବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।