ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେଶବ୍ୟାପୀ କୋଭିଡ୍ ମାହାମାରିର ଦ୍ଵିତୀୟ ଲହର ଆରମ୍ଭ ହୋଇ ଯାଇଥିବା ବେଳେ ଏହାର ପ୍ରଭାବ ଗଜପତି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲା ବିଭିନ୍ନ ଅଞ୍ଚଳ ସମେତ ପାରଳାଖେମୁଣ୍ଡି ସହରରେ ମଧ୍ୟ ଏହି କୋଭିଡ୍ ସଂକ୍ରମଣ ସଂଖ୍ୟା ଆଶାତୀତ ଭାବେ ବଢି ଚାଲିଥିବା ବେଳେ ବର୍ତ୍ତମାନ କିଛିଦିନ ହେଲାଣି କୋଭିଡ୍ ସଂକ୍ରମଣ ସ୍ଥିତି ଅସମ୍ଭାଳ ଆଡକୁ ଗତି କରିବା ଆରମ୍ଭ କଲାଣି ।
ଚଳିତ ମାସର ଗତ ୭ ତାରିଖ ଠାରୁ ଗଜପତି ଜିଲ୍ଲାରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି। ଗଜପତି ଜିଲ୍ଲାରେ ମୋଟ କୋଭିଡ୍ ସଂକ୍ରମଣ ଚିହ୍ନଟ ସଂଖ୍ୟାରୁ ଅଧିକାଂଶ ପାରଳାଖେମୁଣ୍ଡି ସହରର ବାସିନ୍ଦା । ଆଗକୁ ଏହି ସଂକ୍ରମଣ ସଂଖ୍ୟାକୁ ତୁରନ୍ତ ହ୍ରାସ କରାଯାଇ ନିୟନ୍ତ୍ରଣରେ ରଖିବା ପାଇଁ ୧୭ ଟି କୋଭିଡ୍ ଟେଷ୍ଟିଙ୍ଗ ଦଳ ଗଠନ କରାଯାଇଛି । ଏମାନଙ୍କ ଦ୍ୱାରା କୋଭିଡ୍ ପରୀକ୍ଷଣ ଓ ଚିହ୍ନଟ ପ୍ରକ୍ରିୟାକୁ ଖୁବ ଜୋରଦାର କରାଯାଇଛି । ପାରଳାଖେମୁଣ୍ଡି ସହରରେ ୫ ଟି ଟେଷ୍ଟିଙ୍ଗ ଦଳ ପୁରୁଣାପାଟଣା ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା ନାକା ଗେଟ୍ ସମେତ ବଜାର ଛକ , ଜିଲ୍ଲାମୁଖ୍ୟ ଚିକିତ୍ସାଳୟ , ରେଲୱେ ଷ୍ଟେସନ ଓ ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରତିଦିନ ଏହିସବୁ ଅଞ୍ଚଳରେ କୋଭିଡ୍ ଟେଷ୍ଟିଙ୍ଗ କରାଯାଉଛି । ଲୋକେ ମଧ୍ୟ ଆଗ୍ରହ ସହକାରେ ବହୁ ସଂଖ୍ୟାରେ ଆସି ଟେଷ୍ଟିଙ୍ଗ କରାଇ ନେଉଛନ୍ତି ।
ଏତଦ ବ୍ୟତୀତ ପାରଳାଖେମୁଣ୍ଡି ସହରରେ ପୌର ପରିଷଦର ରହିଥିବା ୧୬ ଗୋଟି ୱାର୍ଡରେ ୧୬ ଗୋଟି କୋଭିଡ୍ ଜ୍ୱର ପରୀକ୍ଷଣ କେନ୍ଦ୍ର ମାନ ଖୋଲାଯାଇଛି । ସେଠାରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ୱଚ୍ଛସାଥୀ , ଗୋଷ୍ଠୀ ଅଧିକାରୀ ଓ ଆରଆରଟି ପ୍ରମୁଖ ରହି ଆସୁଥିବା ଲୋକଙ୍କ ଜ୍ୱର ମାପକ ଯନ୍ତ୍ର ସାହାଯ୍ୟରେ ଜ୍ୱର ଓ ପଲସ ରେଟ ପରୀକ୍ଷା କରୁଛନ୍ତି । ଯାହା ଏଠାରୁ ଚିହ୍ନଟ ହେଉଛନ୍ତି , ସେସବୁ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଖୋଲା ଯାଇ କାର୍ଯ୍ୟକ୍ଷମ ହେଉଥିବା କୋଭିଡ କଣ୍ଟ୍ରୋଲ ରୁମରେ ଚିହ୍ନଟ ସଂକ୍ରମଣ କେଶ ଗୁଡାକୁ ଲାଇନ ଲିଷ୍ଟିଙ୍ଗ କରାଯାଇ ପଠାଉଛନ୍ତି । ତାହାକୁ ଫଲୋ- ଅପ୍ କରାଯାଇ ସେହିମାନଙ୍କ କୋଭିଡ୍ ଟେଷ୍ଟିଙ୍ଗ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ପାତ୍ର କହିଛନ୍ତି।