ବାରିପଦା(ଦିଲ୍ଲୀପ ମହାନ୍ତି)- ଆଜି କରୋନା କଟକଣା ମଧ୍ୟରେ ଉଦଯାପିତ ହେଲା ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ଚୈତ୍ରପର୍ବ ଅବସରରେ ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ । ଜିଲ୍ଲା ସଂସ୍କୃତି ଭିଭାଗ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବାରିପଦା ସହରର ଉତ୍ତରସାହି ଓ ଦକ୍ଷିଣସାହିର ଦୁଇ ଛଉନୃତ୍ୟଗୁରୁ ପ୍ରଦୀପ ଜାଳି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ଛଉନୃତ୍ୟ ଆରମ୍ଭ ହୋଇଥିଲା ।
ମୟୂରଭଞ୍ଜ ଛଉନୃତ୍ୟ କଳା, ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରରେ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତରେ ସ୍ୱତନ୍ତ୍ରତା ସୃଷ୍ଟି କରିଆସିଛି । ଏଥି ସହିତ ମୟୂରଭଞ୍ଜ ଛଉନୃତ୍ୟ ବିଶ୍ୱ ସଂସ୍କୃତି ପ୍ରତି ଏକ ମହନୀୟ ଅବଦାନ ରୂପେ ସ୍ୱୀକୃତ । ଛଉନୃତ୍ୟ କଳା ମୟୂରଭଞ୍ଜ ଜିଲ୍ଲା ସହିତ ଓଡ଼ିଶା ପ୍ରଦେଶକୁ ବିଶ୍ୱ ଦରବାରରେ ପରିଚିତ କରାଇପାରି ଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇପାରିଛି । ତେଣୁ ଏହି ନୃତ୍ୟ କଳାର ଉତ୍ତରୋତ୍ତର ବିକାଶ ଉପରେ ବିଶ୍ୱର ବିଭିନ୍ନ ଦେଶ ଆଗେଇ ଆସିଥିବା ବେଳେ ଉତ୍ପତ୍ତି ସ୍ଥଳ ମୟୂରଭଞ୍ଜ ଜିଲ୍ଲାରେ ଏହାକୁ ଅଣଦେଖା ପ୍ରଦର୍ଶନ କରାଯାଇ ଆସୁଛି । ଗତ ୨୦୧୯ରେ ନର୍ବାଚନୀ କଟକଣା, ୨୦୨୦ରେ କରୋନା କଟକଣା କାରଣରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଛଉନୃତ୍ୟକୁ ବନ୍ଦ କରି ଦିଆଯାଇଥିବା ସମୟରେ ଚଳିତ ବର୍ଷ ମଧ୍ୟ ଛଉନୃତ୍ୟକୁ ସେହି କରୋନା କଟକଣାକୁ ଢ଼ାଲ କରି ଅଙ୍କୁଶ ଲଗାଯାଇଥିଲା । ମାତ୍ର ଏହାକୁ ନେଇ ଛଉପ୍ରେମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୃତ୍ୟ ପରିବେଷଣ ନିମନ୍ତେ ବାରିପଦାରଉତ୍ତର ଓ ଦକ୍ଷିଣ ସାହିକୁ ଘଣ୍ଟାଏ ଲେଖାଁ ମୋଟ ୨ ଘଣ୍ଟା ପର୍ଯ୍ୟନ୍ତ ସର୍ତ୍ତମୂଳକ ଭାବେ ଅନୁମତି ଦେବା ପରେ ଆଜି ସନ୍ଧ୍ୟା ସାଢେ଼ ୭ରୁ ରାତି ସାଢେ଼ ୧୦ ମଧ୍ୟରେ ବାରିପଦା ସହରର ଦକ୍ଷିଣ ଓ ଉତ୍ତରସାହି ପକ୍ଷରୁ ଛଉନୃତ୍ୟ ପରିବେଷଣ କରାଯାଇଛି । କିନ୍ତୁ ରାଜଦରବାର ସମୟରେ ପ୍ରଚଳିତ ପ୍ରଥା ଓ ପରମ୍ପରାକୁ ଭଙ୍ଗ କରାଯାଇଛି । ଜିଲାରେ ଚୈତ୍ର ପର୍ବ କହିଲେ ଛଉନୃତ୍ୟ ଓ ଭକ୍ତାମେଲଣକୁ ବୁଝାଇଥାଏ । ଜନସାଧାରଣଙ୍କ ଧାର୍ମିକ ଭାବନା ସହିତ ସହିତ ଓତ୍ତପ୍ରୋତ୍ତ ଭାବେ ଜଡ଼ିତ । ପ୍ରଚଳିତ ପରମ୍ପରା ଅନୁଯାୟୀ ନିଶାର୍ଦ୍ଧରେ ମଞ୍ଚକୁ ପାଛୋଟି ହୋଇ ଆସିଥାନ୍ତି ଭକ୍ତାଗଣ । ଚୁଆ, ଚନ୍ଦନ, ଝୁଣାର ମହକ ସାଥୀରେ ନିଶାଘଟର ଉପସ୍ଥିତି ଚଇତି ନିଶିକୁ ଭୈରବମୟ କରିଦିଏ । ପ୍ରକମ୍ପତିତ ହୋଇ ଉଠେ ଛଉପଡ଼ିଆ । ଉଭୟ ସାହିର କଡ଼କା, ଢେ଼ାଲ, ଧୁମସା ଓ ମହୁରୀ ନାଦରେ “ସର୍ବେ ଭବନ୍ତୁ ସୁଖୀନଃ, ସର୍ବେସନ୍ତୁ ନିରାମୟା” ପ୍ରଭୂଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରି ସାରିବା ପରେ ମଞ୍ଚ ଉପରେ ଭକ୍ତାମାନଙ୍କୁ ସମ୍ମାନୀତ କରାଯିବାର ପ୍ରଥା ଓ ପରମ୍ପରା ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜାମାନଙ୍କ ଶାସନ ଅମଳରୁ ବଞ୍ଚି ରହି ଆସିଥିବା ସମୟରେ ଗତ ୩ ବର୍ଷ ଧରି ଏହି ପ୍ରଥା ଓ ପରମ୍ପରା ଭଙ୍ଗ ହୋଇ ଆସିଛି । ପରମ୍ପରା ମାଧ୍ୟମରେ ଜିଲାପ୍ରଶାସନ ପକ୍ଷରୁ ମଞ୍ଚ ଉପରକୁ ଜିଲାପାଳ ନିମନ୍ତ୍ରିତ ହୋଇ ଆସିବା ପରେ ଭକ୍ତାମାନଙ୍କୁ ପ୍ରଣାମୀ ସ୍ୱରୂପ ପ୍ରଦାନ କରିଥାନ୍ତି ଖଣ୍ଡିଏ ଶାଢ଼ୀ ଓ ଧୋତି । ଦରବାର ସମୟର ପ୍ରଣାମୀ ଆଜିର ପ୍ରଣାମୀର ଏପରି ଅଧୋଗତି “କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି” ସଦୃଶ । ପ୍ରତ୍ୟେକ ବର୍ଷ ଏହି ପର୍ବ ଅପ୍ରେଲ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇ ଆସୁଥିବା ବେଳେ ପ୍ରଥମ ଦିନ ଗ୍ରାମାଞ୍ଚଳ ଛଉ ପ୍ରତିଷ୍ଠାନ ନୃତ୍ୟ ପରିବେଷଣ କରିଥାନ୍ତି । ପରବର୍ତ୍ତି ଦ୍ୱିତୀୟ ଏବଂ ତୃତୀୟ ଦିନ ବାରିପଦା ଉତ୍ତରସାହି ଓ ଦକ୍ଷିଣ ସାହି ଛଉ ପ୍ରତିଷ୍ଠାନ ସେମାନଙ୍କର ନୃତ୍ୟ ପରିବେଷଣ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ମଞ୍ଚ ଉପରେ ଦେଖିବାକୁ ମିଳିନଥିଲା ନିଶାଘଟ ଅଥବା ଆମନ୍ତ୍ରିତ ହୋଇ ଆସିନଥିଲେ ଭକ୍ତଗଣ ଅଥବା ଜିଲ୍ଲାପାଳ । କେବଳ ନୃତ୍ୟ ଦେଖିବାକୁ ଉପସ୍ଥିତ ରହିଥିଲେ କେତେକ ଦର୍ଶକ ସହ ନୃତ୍ୟ ପରିବେଷଣ କରୁଥିବା ଦୁଇ ସାହିର କଳାକାରଗଣ । ଏହିପ୍ରକାରର କାର୍ଯ୍ୟକ୍ରମ ଯୁଗ ଯୁଗ ଧରି ରଜାରାଜୁଡ଼ା ଅମଳରୁ ଚଳିଆସୁଥିବା ପ୍ରଥା ଓ ପରମ୍ପରା ପ୍ରତି ଉପହାସ ସଦୃଶ୍ୟ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି ।