ବିଜେପି ବିଲେଇପଦା ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ
-
ଥଇଥାନ କାର୍ଯ୍ୟ ସଂପୂର୍ଣ ନ କରିବା ପର୍ଯ୍ୟନ୍ତ ବିସ୍ଥାପିତଙ୍କୁ ବାସଚ୍ୟୁତ କରାନଯାଉ : ମୁରଲୀ
-
୧୦ ବର୍ଷରୁ ଅଧିକ ସମୟ ହେଲା ସେମାନଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉନି : ସୁକେଶୀ
ବଡ଼ବିଲ : ବିଜେପି ବିଲେଇପଦା ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଣ୍ଡଳର ନୂତନ କାର୍ଯ୍ୟକର୍ତାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଭାରତ ମାତାଙ୍କ ପୂଜା ସହିତ କାର୍ଯ୍ୟକ୍ରମର ଆରମ୍ଭ ହୋଇଥଇଲା ।
ମଣ୍ଡଳ ସଭାପତି ଅଲେଖ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ବିଜେପି ବରିଷ୍ଠ ନେତା ଡ଼ ମୁରଲୀ ମନୋହର ଶର୍ମା, ଜିଲ୍ଲା ଉପସଭାପତି ତଥା ମଣ୍ଡଳ ପ୍ରଭାରୀ ଦେବ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ମଣ୍ଡଳ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରିଥିଲେ । ଏ ଅବସରରେ ଉଦବୋଧନ ଦେଇ ଶ୍ରୀ ଶର୍ମା କହିଥିଲେ ଯେ, ବାସୁଦେବପୁର ଠାରେ ନିର୍ମାଣଧୀନ କାନପୁର ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତଙ୍କୁ ଥଇଥାନ ପାଇଁ ସରକାର ନିର୍ମାଣ କରିଥିବା ପୁନଃବାସ ଥଇଥାନ କଲୋନିରେ ମୌଳିକ ସୁବିଧା ନାହିଁ। ସରକାର ବିସ୍ଥାପନ ଓ ଥଇଥାନ ନିୟମ ୨୦୦୬କୁ ଠିକ ଭାବେ ପାଳନ କରି ନାହାନ୍ତି । ତେଣୁ ବିସ୍ଥାପିତଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି । ଥଇଥାନ କାର୍ଯ୍ୟ ସଂପୂର୍ଣ ନ କରିବା ପର୍ଯ୍ୟନ୍ତ ବିସ୍ଥାପିତଙ୍କୁ ବାସଚ୍ୟୁତ କରାନଯାଉ । ଚମକପୁର ବିସ୍ଥାପିତ ଗ୍ରାମବାସୀଙ୍କୁ ଥଇଥାନ ପାଇଁ ନିର୍ମାଣ କରାଯାଇଥିବା ଆଙ୍ଗୁଳିଆ ପୁନଃବାସ ଥଇଥାନ କଲୋନି, ରେଭେନସାପୁର (କ) ଗ୍ରାମବାସୀଙ୍କୁ ଥଇଥାନା ପାଇଁ ନାରଦପୁର ଗ୍ରାମରେ ନିର୍ମାଣ କରାଯାଇଥିବା କଲୋନି, ରେଭେନସାପୁର (ଖ) ଓ ଧୋବାକୁଚୁଡା ଗ୍ରାମବାସୀଙ୍କୁ ଥଇଥାନ ପାଇଁ ନିର୍ମିତ ଧୋବାକୁଚୁଡା କଲୋନି, ଶଙ୍କରପୁର ଓ ଧୋବାକୁଚୁଡା ଗ୍ରାମବାସୀ ପାଇଁ ନିର୍ମିତ ଶଙ୍କରପୁର କଲୋନି, ମୁରୁସୁଆଁ ଗ୍ରାମବାସୀଙ୍କୁ ଥଇଥାନ ପାଇଁ ନିର୍ମିତ ମୁକୁନ୍ଦପୁର କଲୋନିିରେ ପାନୀୟ ଜଳ, ରାସ୍ତାଘାଟ, ଶ୍ମଶାନ ଘାଟ, ପୋଖରୀ ନିର୍ମାଣ କରାଯାଇ ନ ଥିବା ବେଳେ ଗ୍ରାମର ଦେବାଦେବୀ ପୀଠ, ମନ୍ଦିର, ଠାକୁରାଣୀ ଶାଳଗୁଡିକୁ ଅଣାଯାଇ ନାହିଁ ବୋଲି ଶ୍ରୀ ଶର୍ମା ଉଦବେଗ ପ୍ରକାଶ କରିଥିଲେ |
ବିଜେପି ରାଜ୍ୟ ଉପ ସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ କହିଥିଲେ ଯେ, ଗୋବିନ୍ଦପୁର, ଦଡୁଆଁ ଓ ବିରିକଳା ଗ୍ରାମକୁ ଥଇଥାନ ପାଇଁ ପ୍ରକଳ୍ପ ପକ୍ଷରୁ ଚିହ୍ନଟ କରାଯାଇଥିବା ଧୁବୁଲାବେଡାରେ ଜାଗାର ଉନ୍ନତୀକରଣ କରାଯାଇନି କି ବିସ୍ଥାପିତଙ୍କୁ ଜମି ପଟ୍ଟା ଦିଆଯାଇ ନାହିଁ । ସରକାରଙ୍କ ପକ୍ଷରୁ କାନପୁର ବିସ୍ଥାପିତଙ୍କୁ ଥଇଥାନ ପାଇଁ ଏପରି ୧୨ଟି ପୁନଃବାସ ଥଇଥାନ କଲୋନି ନିର୍ମାଣ କରାଯାଇଛି । ସେଠାରେ ଘର ଡିହ ଆବେଦନ କରିଥିବା ୬୫୫ ଜଣ ବାସଚ୍ୟୁତ ପରିବାର ଥଇଥାନ ହେବେ । ମାତ୍ର ସରକାରଙ୍କ ଅବହେଳା ଯୋଗୁଁ ବିସ୍ଥାପନ ଓ ଥଇଥାନ ନିୟମ – ୨୦୦୬ କାର୍ଯ୍ୟକାରୀ କରାଯାଇ ନାହିଁ । ସରକାର ସେମାନଙ୍କୁ ଚାଷ ଜମି ବଦଳରେ ଚାଷ ଜମି ଦେବାକୁ କହିଥିଲେ । କିନ୍ତୁ ଏବେ ସେତକ ମଧ୍ୟ ଦେବାକୁ ପ୍ରସ୍ତୁତ ନୁହନ୍ତି । ତେଣୁ ଯଦି ସରକାର ଚାଷ ଜମି ଦେଉ ନାହାନ୍ତି ତେବେ ଚାଷ ଜମି ବଦଳରେ ଜମି ଅଧିଗ୍ରମହଣ ଆଇନ ଅନୁସାରେ ବିସ୍ଥାପତିଙ୍କ ଚାଷଜମିର ବଜାର ମୂଲ୍ୟ ବା ସରକାରୀ ମୂଲ୍ୟର ୩ଗୁଣ ସେମାନଙ୍କୁ ଦେବା ଉଚିତ । ୨୦୦୬ ସର୍ଭେ ଅନୁଯାୟୀ ୧୪ଟି ବସ୍ଥାପିତ ଗ୍ରାମରୁ ୩୮୬୯ ଜଣ ବାସଚ୍ୟୁତ ପରିବାର ରହିଛନ୍ତି । ସେମାନଙ୍କ ମଧ୍ୟରୁ ଘର ୬୫୫ ଜଣ ଡିହ ଆବେଦନ କରିଥିଲେ । ଅବଶିଷ୍ଟ ୩୨୧୪ ଜଣ ସ୍ୱଇଚ୍ଛାରେ ସହାୟତା ରାଶି ନେଇ ଥଇଥାନ ହୋଇଛନ୍ତି । ଏହି ବାସଚ୍ୟୁତ ପରିବାରଗୁଡ଼ିକ ୬୨ କ୍ଲଷ୍ଟର ସ୍ଥାନରେ ନିଜେ ଘର ନିର୍ମାଣ କରିଛନ୍ତି । ୧୦ ବର୍ଷରୁ ଅଧିକ ସମୟ ହେଲା ସେମାନଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନଥିବା ସୁଶ୍ରୀ ଓରାମ କହିଛନ୍ତି ।
ଏହି କାର୍ଯ୍ୟକମରେ ସ୍ଥାନୀୟ ଦୁର୍ନୀତି, ସ୍ଥାନୀୟ ସମସ୍ୟା, ସ୍ଥାନୀୟ ଅଂଚଳରେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ବ୍ୟବସ୍ଥା, ଗ୍ରାମାଂଚଳରେ ପଂଚାୟତ ନିର୍ବାଚନ/ସହରାଂଚଳରେ ପୌର ନିର୍ବାଚନ ପ୍ରସଙ୍ଗ ଓ ଧାନ କିଣାରେ ଦୁର୍ନୀତି ଓ ଅବ୍ୟବସ୍ଥା ଭଳି ୫ଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଅଗନୁ ଚରଣ ମହାନ୍ତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ସୋମବାରୀ ମୁଣ୍ଡା, ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସରୋଜିନୀ ମହାକୁଡ, ମଣ୍ଡଳ ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ନାଏକ, ମଣ୍ଡଳ ଉପସଭାନେତ୍ରୀ ପ୍ରମିଳା ବାରିକ , ଓବିସି ମୋର୍ଚ୍ଚା ସଭାତି ଉଦୟନାଥ ବାରିକ, ଏସସି ମୋର୍ଚ୍ଚା ସଭାପତି ମିଲନ ବେହେରା ଓ କୃଷକ ମୋର୍ଚ୍ଚା ସଭାପତି ଚକ୍ରଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।