ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ସୋମବାର ଦିନ ବାଲ୍ୟ-ବିବାହ ନିଷେଧ ସମ୍ପର୍କରେ ଜିଲ୍ଲାର ସମସ୍ତ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ସୁପରଭାଇଜର , ଜିଲ୍ଲା ଚାଇଲଡ଼ ଲାଇନ ଓ ୱାନଷ୍ଟପ କେନ୍ଦ୍ର “ସଖୀ” ର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତୀ ଦେଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଶିଶୁ ଓ ମା’ ମାନଙ୍କ କ୍ଷେତ୍ରରେ କାର୍ଯ୍ୟରତ ସିଡିପିଓ ଓ ସୁପ୍ରଭାଇଜର ମାନେ ଗ୍ରାମାଞ୍ଚଳରେ ହେଉଥିବା ବାଲ୍ୟ-ବିବାହକୁ ରୋକିବା ଦିଗରେ ପ୍ରମୁଖ ଭୂମିକା ରହିଛି । ଅପ୍ରାପ୍ତ ବୟସରେ ଶିଶୁ ମାନଙ୍କ ବିବାହ ଅନୁପଯୁକ୍ତ ଓ ଆଇନ ବିରୋଧୀ ।ବାଲ୍ୟବିବାହ ହେଲେ ତାହା ସେମାନଙ୍କ ମାନସିକ , ଶାରୀରିକ ଓ ସାମାଜିକ ବିକାଶରେ ବାଧା କରିଥାଏ । କମ୍ ବୟସରେ ବିବାହ କରୁଥିବା ବାଳିକାର ସ୍ବାସ୍ଥ୍ୟପ୍ରତି ମଧ୍ୟ ଏହା ଘୋର ପ୍ରଭାବ ପକାଇଥାଏ ବୋଲି କହିଥିଲେ ।
ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧିକାରୀ ଶ୍ରୀ ପ୍ରମୋଦ କୁମାର ରାଉଳ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବାଲ୍ୟ-ବିବାହ ନିଷେଧ ଆଇନ ଓ ଏଥିପ୍ରତି ରହିଥିବା ଅଧିନିୟମ ଏବଂ ଏହି ବାଲ୍ୟବିବାହକୁ ରୋକିବା ଦିଗରେ କାର୍ଯ୍ୟରତ ସିଡିପିଓ: ସୁପ୍ରଭାଇଜର ଓ ଅନ୍ୟାନ୍ୟ ଲାଇନ ବିଭାଗ କର୍ମକର୍ତ୍ତା ମାନେ କିଭଳି ପଦକ୍ଷେପ ନେବାକୁ ହେବ , ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଶିଶୁ ସୁରକ୍ଷା ଓ ବାଲ୍ୟ-ବିବାହ ନିଷେଧ ଉପରେ ରାଜ୍ୟସ୍ତରୀୟ ପ୍ରଶିକ୍ଷକ ଶ୍ରୀ ମନୋଜ କୁମାର ତ୍ରିପାଠୀ ଯୋଗଦେଇ ଗଜପତି ଜିଲ୍ଲାରେ ହେଉଥିବା ବାଲ୍ୟ-ବିବାହକୁ କିଭଳି ରୋକା ଯାଇପାରିବ ଏବଂ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସମ୍ପୃକ୍ତ ଅଧିକାରୀ ମାନେ ଏ ଦିଗରେ ସେମାନଙ୍କ ଦାୟିତ୍ୱକୁ କିଭଳି ସୁଚାରୁରୂପେ ସମ୍ପାଦନା କରିବେ ଏବଂ କେଉଁ କେଉଁ ଦିଗ ପ୍ରତି ଓ କିଭଳି ପଦକ୍ଷେପ ନେବେ , ବାଲ୍ୟବିବାହକୁ ପ୍ରୋତ୍ସାହନ ଦେଉଥିବା ଓ କରୁଥିବାଙ୍କ ପ୍ରତି କିଭଳି ଆଇନଗତ ପଦକ୍ଷେପ ନିଆ ଯାଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ ।