କଲେଜ ଓ ଆଲୁମନିଙ୍କ ଭିତରେ ସମ୍ପର୍କର ସେତୁ ‘ମୋ କଲେଜ’
ଯେଉଁଠୁ ପାଇଛୁ ପରିଚୟ,ତାକୁ କିଛି ଫେରାଇବାର ନିଆରା ସୁଯୋଗ
ଲାଇଭ୍ ଷ୍ଟ୍ରିମିଂରେ ସାମିଲ ହେଲେ ରାଜ୍ୟ ତଥା ଦେଶ ବାହାରେ ଥିବା ଲକ୍ଷଲକ୍ଷ ଓଡ଼ିଆ
ଭୁବନେଶ୍ୱର: ଏକ ଭାବ ପୂର୍ଣ୍ଣ ପରିବେଶ ଭିତରେ ଲୋକାର୍ପିତ ହୋଇଯାଇଛି ‘ମୋ କଲେଜ’ ଅଭିଯାନ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ମୋ କଲେଜ’ ଅଭିଯାନ ଭଳି ଏକ ନିଆରା ଅବସର ଯୁକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଯାହାଦ୍ୱାରାକି ଯେଉଁ କଲେଜ ଆମକୁ ପରିଚୟ ଦେଇଛି ତାକୁ କିଛି ଫେରାଇବାର ସୁଯୋଗ ସୃଷ୍ଟି ହୋଇପାରିବ | ନିଜ କଲେଜ ପାଇଁ କିଛି କରିବାର ବା ଅବଦାନ ରଖିବାର ପ୍ରବଳ ଆଶା ମନ ଭିତରେ ଥିଲେ ମଧ୍ୟ ସେମିତି ଅବସର ନଥିଲା | ହେଲେ ମୋ କଲେଜ କାର୍ଯ୍ୟକ୍ରମ ଏବେ ପାଲଟିବା କଲେଜ ଓ ଏହାର ଆଲୁମନିଙ୍କ ଭିତରେ ସମ୍ପର୍କର ସେତୁ | ବିଶ୍ୱସ୍ତରୀୟ ଓଡିଆ ଆଲୁମିନିଙ୍କୁ ଓଡିଶାର ଆଲମା ମ୍ୟାଟର ସହିତ ଯୋଡିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।ଆଉ ଏହି କାର୍ଯ୍ୟକ୍ରମକୁ ଲୋକାର୍ପଣ କରିବା ସହ ଏକ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଖାପାଖି ୭୫୫ଟି ଶିକ୍ଷାନୁଷ୍ଠାନକୁ ଯୋଡ଼ା ଯାଇଛି ‘ମୋ କଲେଜ’ ଭଳି ମହତ୍ୱାକାଂକ୍ଷୀ ଅଭିଯାନରେ |
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ- ‘ମୋ କଲେଜ’ ଅଭିଯାନ ଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ କଲେଜ ସହ ଯୋଡ଼ି ହୋଇପାରିବେ । ‘ମୋ ସ୍କୁଲ’ ଭଳି ‘ମୋ କଲେଜ’ ଅଭିଯାନ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହି ଅଭିଯାନ କେବଳ କଲେଜ ଆଲୁମିନି ମଧ୍ୟରେ ସୀମିତ ନୁହେଁ ବରଂ ଏହା ସମସ୍ତଙ୍କ ଲାଗି ଉନ୍ମୁକ୍ତ । ଯେ କେହିବି ଚାହିଁଲେ ଯେ କୌଣସି ଶିକ୍ଷାନୁଷ୍ଠାନ ଲାଗି ଅର୍ଥ ଦେଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି । ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ଆପଣଙ୍କ ସହଯୋଗ ଆପଣ ପଢ଼ିଥିବା କଲେଜକୁ ଆଉ ଏକ ପାଦ ଆଗକୁ ଆଗେଇ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସରକାର ପ୍ରତି ଶିକ୍ଷାନୁଷ୍ଠାନକୁ ପ୍ରତିବର୍ଷ ୫୦ ହଜାର ଟଙ୍କା ‘ମୋ କଲେଜ’ ଅଭିଯାନ ପାଇଁ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କଲେଜ ଉନ୍ନତିକରଣ ପାଇଁ ବ୍ୟକ୍ତିବିଶେଷ ଦେଉଥିବା ଅନୁଦାନର ଦୁଇଗୁଣ ଅର୍ଥ ‘ମୋ କଲେଜ’ ଅଭିଯାନର ସ୍ଥାୟୀ ପାଣ୍ଠିରୁ ଯୋଗାଇ ଦେବେ । ‘ମୋ କଲେଜ’ ଅଭିଯାନ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହ ବଢ଼ାଇବା ସହ ଉଚ୍ଚରୁ ଉଚ୍ଚତମ ଶିଖର ଆହୋରଣ ଲାଗି ସାହାଯ୍ୟ କରିବ ବୋଲି ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ କହିଛନ୍ତି । ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ୍ ହେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।
୫୧ଟି ସରକାରୀ ମହାବିଦ୍ୟାଳୟ, ୫୫୮ଟି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୩ଟି ବିଶ୍ୱବିଦ୍ୟାଳୟ, ସଂସ୍କୃତି ବିଭାଗରେ ଥିବା ଗୋଟିଏ ବିଶ୍ୱବିଦ୍ୟାଳୟ ଭଳି ୭୫୫ଟି ଶିକ୍ଷାନୁଷ୍ଠାନ ‘ମୋ କଲେଜ’ ଅଭିଯାନକୁ ସାମିଲ୍ କରିଛନ୍ତି । ଏହାର ସୁପରିଚାଳନା ଲାଗି ଏକ କମିଟି ଗଠନ କରିଛନ୍ତି ସରକାର । ମିଳିଥିବା ଅନୁଦାନ କଲେଜର ଭିତ୍ତି ଭୂମି, ଛାତ୍ରଛାତ୍ରୀଙ୍କ ଶୈଖିକ ତଥା ପ୍ରତିଭା ବିକାଶ ଲାଗି ବ୍ୟୟ କରାଯିବ ।
ଲୋକସେବା ଭବନରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିବାବେଳେ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଉଦ୍ବୋଧନ ଦେଇଥିଲେ | ଉଚ୍ଚ ଶିକ୍ଷା ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ | ତେବେ ମୋ କଲେଜ ପୋର୍ଟାଲର ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାପ୍ରସାରଣ (ଲାଇଭ୍ ଷ୍ଟ୍ରିମିଂ) ବିଭିନ୍ନ ସୋସିଆଲ ମିଡିଆରେ ହୋଇଥିଲା। ଫଳରେ ରାଜ୍ୟ , ରାଜ୍ୟ ତଥା ଦେଶ ବାହାରେ ଥିବା ଲକ୍ଷଲକ୍ଷ ଓଡ଼ିଆ ଏହି ଲାଇଭ୍ ଷ୍ଟ୍ରିମିଂରେ ସାମିଲ ହୋଇଥିଲେ |