-
୩ବର୍ଷ ୮ମାସ ଅତିକ୍ରାନ୍ତ, ତଥାପି ସୂଚନା ମିଳୁନି
-
ସୂଚନା କମିଶନଙ୍କ ଅଦାଲତରେ ମାମଲା
-
ଆବେଦନକାରୀଙ୍କ କୌଣସି ସୂଚନା ନାହିଁ
-
ସୂଚନା କମିଶନଙ୍କୁ ତଥ୍ୟ ମାଗିଲେ ବିଶ୍ବବିଦ୍ୟାଳୟ ପିଆଇଓ
ବାରିପଦା(ଦିଲ୍ଲୀପ ମହାନ୍ତି): ସୂଚନା ଅଧିକାର ଆଇନକୁ ଫୁଃ କରିଦେଇଛନ୍ତି ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ତତ୍କାଳୀନ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଜନ ସୂଚନା ଅଧିକାରୀଙ୍କ ନିକଟରୁ ଜନୈକ ଆର କେ ମହାନ୍ତ ୧୯ ଜୁନ, ୨୦୧୭ରେ ଇଣ୍ଟିଗ୍ରେଟେଡ୍ ବିଏଡ୍/ଏମ୍ଏଏଡ୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ତଥ୍ୟ ମାଗିଥିଲେ। ୨୦୧୬-୧୭ ଶିକ୍ଷା ବର୍ଷରେ ଉପରୋକ୍ତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ କେତେଜେଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ, ଚୟନ ପ୍ରକ୍ରିୟାର ବ୍ୟବସ୍ଥା, କଟ୍ ଅଫ୍ ମାର୍କ ସହିତ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ କ୍ୟାରିଅର୍ ମାର୍କିଙ୍ଗ୍ର ସବିଶେଷ ବିବରଣୀ ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ସେହିପରି ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ମାର୍କ/ଗ୍ରେଡ୍ ଆଦି ପ୍ରକାଶ କାହିଁକି କରାଯାଇନଥିଲା ସେନେଇ କାରଣ ମାଗିଥିଲେ ଆବେଦନକାରୀ। ଏମ୍ପିସି ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍ ବିଏଡ୍ କୋର୍ସର ନାମଲେଖା ନେଇ ମେରିଟ୍ ଲିଷ୍ଟ୍ ସହିତ ମାର୍କ ସାଧାରଣ ଅବଗତି ନିମନ୍ତେ ପ୍ରକାଶ କରିଥିଲେ। ମାତ୍ର ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ(ବର୍ତ୍ତମାନର ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜ ବିଶ୍ବବିଦ୍ୟାଳୟ) କର୍ତ୍ତୃପକ୍ଷ କିନ୍ତୁ ଏହା କରିନଥିଲେ। ଫଳରେ ଉପରୋକ୍ତ ପାଠ୍ୟକ୍ରମରେ ନାମଲେଖାରେ ସ୍ବଚ୍ଛତା ଅବଲମ୍ବନ କରାଯାଇନଥିବା ଅଭିଯୋଗ ହୋଇଥିଲା। ଏନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ନିମନ୍ତେ ଆବେଦନ ମଧ୍ୟ କରାଯାଇଥିଲା। ପ୍ରାୟ ୪ବର୍ଷ ହେବାକୁ ବସିଲାଣି। ଅଥଚ ଆବେଦନକାରୀଙ୍କୁ କୌଣସି ସୂଚନା ଏଯାବତ ପ୍ରଦାନ କରାଯାଇନାହିଁ। ଯାହାକି ବର୍ତ୍ତମାନ ରାଜ୍ୟ ସୂଚନା କମିଶନଙ୍କ ଅଦାଲତରେ ପହଞ୍ଚିଛି ଏହି ମାମଲା। ସେକେଣ୍ଡ୍ ଅପିଲ୍ ନଂ-୨୪୭୪/୧୭ ମୂଳେ ଏହି ମାମଲାର ଶୁଣାଣି ଚଳିତ ମାସ ୨୨କୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ସୂଚନା ଅଧିକାର ଆଇନର ବ୍ୟବସ୍ଥା ମତେ ସମସ୍ତ ପ୍ରକ୍ରିୟା ଅନୁସରଣ କରିଛନ୍ତି। ଏପରିକି କୁଳାଧିପତିଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ(ପିଆଇଓ)ଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ଆବେଦନକାରୀ। ଏନେଇ ରାଜଭବନର ପିଆଇଓ ତୁରନ୍ତ ଘଟଣାର ଗୁରୁତ୍ବ ଉପଲବ୍ଧି କରି ବିଶ୍ବବିଦ୍ୟାଳୟ ପିଆଇଓଙ୍କୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ମାତ୍ର କୌଣସି ସୁଫଳ ମିଳିନଥିଲା। ପରେ ଘଟଣା ସମ୍ପର୍କରେ ରାଜ୍ୟ ସୂଚନା କମିଶନଙ୍କୁ ମଧ୍ୟ ଅବଗତ କରାଯାଇଥିଲା। କମିଶନଙ୍କ ପକ୍ଷରୁ ମଧ୍ୟ ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଦିଆଯାଇଥିଲା। ତେବେ ବିଶ୍ବବିଦ୍ୟାଳୟ ପିଆଇଓ କିନ୍ତୁ ତାଙ୍କ ପାଖରେ ଆବେଦନକାରୀଙ୍କ କୌଣସି ସୂଚନା ନଥିବା ଦର୍ଶାଇ କମିଶନଙ୍କ ନିକଟରୁ ତଥ୍ୟ ମାଗିଥିଲେ। ଯାହାକି ନିହାତି ହାସ୍ୟାସ୍ପଦ ବୋଲି ଆବେଦନକାରୀ ଶ୍ରୀ ମହାନ୍ତ ପ୍ରକାଶ କରିଛନ୍ତି। ଏହାପରେ କମିଶନ ଆବେଦନକାରୀଙ୍କ ଦରଖାସ୍ତର ସମସ୍ତ ନକଲ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ। ମାତ୍ର ଏଯାବତ କର୍ତ୍ତୃପକ୍ଷ କୌଣସି ସୂଚନା ପ୍ରଦାନ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ବିଭିନ୍ନ ବିଭାଗର ଏକାଧିକ ବରିଷ୍ଠ ଅଧିକାରୀ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ନଦେବା କାରଣରୁ ଅର୍ଥ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ମାତ୍ର ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିନ୍ତୁ ସୂଚନା ଦେବା ନେଇ କଣ ପାଇଁ ଏପରି ଖାମଖିଆଲି ମନୋଭାବ ପ୍ରଦର୍ଶନ କରୁଛନ୍ତି ତାହା ଆଶ୍ଚର୍ଯ୍ୟ କରୁଛି। ତେବେ ୨୦୧୬-୧୭ ଶିକ୍ଷା ବର୍ଷରେ ଇଣ୍ଟିଗ୍ରେଟେଡ୍ ବିଏଏଡ୍/ଏମ୍ଏଏଡ୍ ପାଠ୍ୟକ୍ରମ ନାମଲେଖାରେ କିଛି ଗଫଲତି ହୋଇଥିଲା କି। ଯେଉଁଥିପାଇଁ ତତ୍କାଳୀନ ସମୟରେ ଉପରୋକ୍ତ ବିଭାଗ ଦାୟିତ୍ବରେ ଥିବା ଅଧିକାରୀ କୌଣସି ସୂଚନା ପ୍ରଦାନ କରୁନାହାନ୍ତି। ଏହା ଘଟଣାକୁ ସନ୍ଦେହ ଭିତରକୁ ଟାଣି ନେଉଛି। ତେବେ ୨୨ରେ ହେବାକୁ ଥିବା କମିଶନଙ୍କ ଶୁଣାଣୀ ଉପରେ ସମସ୍ତଙ୍କର ନଜର ରହିଛି।