ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ସମ୍ବଲପର ରେ ବନ୍ଦ ହେବାକୁ ଯାଉଛି ୧୨୫ ବର୍ଷ ର ସମ୍ବଲପୁର ରୋଡ ରେଲଷ୍ଟେସନ । ଏଥିପାଇଁ ରେଲବିଭାଗ ପକ୍ଷରୁ ସମ୍ବଲପୁର ଡିଆରଏମ ଅଫିସ କୁ ସରକାରୀ ନିଦ୍ଦେର୍ଶ ର ଚିଠି ଆସି ପହଞ୍ଚି ସାରିଥିବା ବେଳେ ସମ୍ବଲପୁର ରେଲ ଡିଭିଜନ ଏହି ଷ୍ଟେସନ କୁ ବନ୍ଦ କରିବା ଆବଶ୍ୟକୀୟ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଥିବା ଜଣାପଡିଛି । ଅପରପକ୍ଷରେ ଏହି ସର୍ବପୁରାତନ ରେଲଷ୍ଟେସନ ସମ୍ବଲପୁର ରୋଡ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ
ଦାବି କରିଛି ସମ୍ବଲପୁର ଯୁବ ଛାତ୍ର ବିଜେଡି । ଏନେଇ ସମ୍ବଲପୁର ଡିଆରଏମ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ପାଣିଗ୍ରାହୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଧାରଣା କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ପୁର୍ବତନ ବିଧାୟକ ରମେଶ ପଟୁଆ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ ,ପୁର୍ବତନ ଜିଲ୍ଲା ବିଜେଡି ସଭାପତି ଡକ୍ଟର ପ୍ରମୋଦ ରଥ, ବରିଷ୍ଠ ବିଜେଡି ନେତା ବିଜୟ ମହାନ୍ତି, ବସନ୍ତ ମିଶ୍ର, ଜିଲ୍ଲା ଛାତ୍ର ବିଜେଡି ସଭାପତି ସିଦ୍ଧାନ୍ତ ମହାନ୍ତି ଙ୍କ ସମେତ ମହିଳା ବିଜେଡି ,ଯୁବ ବିଜେଡି, ଛାତ୍ର ବିଜେଡି ର ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇ ରେଲବିଭାଗ ସମ୍ବଲପୁର ରୋଡ (ଫାଟକ ଷ୍ଟେସନ ) ବନ୍ଦ ନିଷ୍ପତ୍ତି ର ଦୄଡ ବିରୋଧ କରିଥିଲେ । ଏହା ସହ ଧାରଣା ମାଧ୍ୟମରେ ବିଜେଡି ଅଭିଯୋଗ କରିଛି ଯେ ୧୨୫ ବର୍ଷ ଧରି ପଶ୍ଚିମ ଓଡିଶାରେ ଲୋକ ଙ୍କ ସେବା କରି ଆସିଥିବା ଏହି ଷ୍ଟେସନ ଟି ଜିଏମ ବିଶ୍ୱବିଦ୍ୟାଳୟ, ଜିଲା ମୁଖ୍ୟ ଚିକିକିତ୍ସାଳୟ, ବସଷ୍ଟାଣ୍ଡ ଆଦି ଅନେକ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ସହିତ ସହରର କେନ୍ଦ୍ରସ୍ଥଳୀରେ ଅଛି। ତେଣୁ ଯାତ୍ରୀମାନଙ୍କ ପାଇଁ ଏହି ଷ୍ଟେସନରେ ଓହ୍ଲାଇବା ସହଜ ହେଉଥିଲା। ଏଣୁ ଏଭଳି ଏକ ଐତିହ୍ୟ ସମ୍ପନ୍ନ ରେଳ ଷ୍ଟେସନକୁ ହେରିଟେଜ ଷ୍ଟେସନ ଭାବରେ ବିକଶିତ କରିବା ବଦଳରେ ଦିନକୁ ଦିନ ଏହି ଷ୍ଟେସନରେ ଟ୍ରେନ ରହଣି କୁ କମ କରିବା ସହିତ ଏହାକୁ ବନ୍ଦ କରିବା ପାଇଁ ଯୋଜନା ଦୁର୍ଭାଗ୍ୟଜନକ ଅଟେ ବୋଲି ବିଜେଡି କହିଛି ।ରେଲବିଭାଗ ଏହି ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଦୁର୍ବାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି । ଏନେଇ ଏକ ଦାବି ପତ୍ର ମଧ୍ୟ ସମ୍ବଲପୁର ଡିଆରଏମ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା।