ହେଡଲାଇନସ୍:

ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତରେ  ଜାଗର 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସମେତ ଗଜପତି ଜିଲ୍ଲାର ବିଭିନ୍ନ ଶୈବ ପୀଠ ଓ ତଥା ଶିବ ମନ୍ଦିର ମାନଙ୍କରେ  ପବିତ୍ର ଶିବରାତ୍ରି ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି । କିନ୍ତୁ ରାମାୟଣ , ମହାଭାରତରେ ପ୍ରସିଦ୍ଧି ଲାଭ କରିଥିବା ଓଡିଶାର ହିମାଳୟ ମହେନ୍ଦ୍ରଗିରି ଇତିହାସରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ଭକ୍ତରେ ଶିବରାତ୍ରୀ ଜାଗର ପାଳନ ହୋଇଯାଇଛି । ଶିବରାତ୍ରୀ ସାରା ପୃଥିବୀରେ ଆଜି  ଗୁରୁବାର ରାତ୍ରରେ ପାଳନ ହୁଏ । କିନ୍ତୁ ମହେନ୍ଦ୍ରିଗିରି ଠାରେ ଶିବରାତ୍ର ଜାଗର ପାଳନ ଓ ମହାଦୀପ ଶିବରାତ୍ର ପୂର୍ବଦିନ ରାତ୍ରରେ ଅନୁଷ୍ଠିତ ହୁଏ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହେନ୍ଦ୍ରଗିରି ଠାରେ ଗତକାଲି ରାତିରେ ମହାଶିବରାତ୍ରୀ ପାଳନ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ମହେନ୍ଦ୍ରଗିରି ଠାରେ ପୂଜାପାଠ ଓ ବିଧି ବିଧାନ ପାଳନ କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରି ବିନା ଭକ୍ତରେ ଚଳିତ ବର୍ଷ ମହେନ୍ଦ୍ରଗିରିରେ ଜାଗର ପାଳନ ପାଇଁ ବହୁ ଦିନ ପୂର୍ବରୁ ଗଜପତିର ପଡୋଶୀ ଆନ୍ଧ୍ର ପ୍ରଦେଶ ,  ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ ପ୍ରଚାର କରିଥିଲେ । 

ଏଥି ସହ ମହେନ୍ଦ୍ରଗିରି ଯିବାକୁ ରହିଥିବା ବିଭିନ୍ନ ରାସ୍ତା ଯଥା, ବୁରୁଖତ, ରାଜବସା, ବାରଘର, ଚମ୍ପାପୁର, ଗୁଡିଖୁଡି, ଗଙ୍ଗାବାଡ, କଇଁପୁର ଆଦି ବିଭିନ୍ନ ୧୪ ଗୋଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଗତ ଦୁଇ ଦିନ ଧରି ସଜାଗ ରଖିଥିଲେ । ତେଣୁ ଚଳିତ ବର୍ଷ ଜଣେ ହେଲେ ଭକ୍ତ ମହେନ୍ଦ୍ରଗିରିକୁ ଜାଗର ପାଳନ ପାଇଁ ଯୋଗ ଦେଇ ନଥିଲେ । ସୂଚନା ଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ଶିବରାତ୍ରୀ ପାଳନ ପାଇଁ ମହେନ୍ଦ୍ରଗିରି ଠାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଜାଗର ପାଳନ କରାଯାଇଥାଏ । ବର୍ତ୍ତମାନ କରୋନାର ଭୟାଭହତା ପୁଣି ଦେଖା ଦେଇଥିବାରୁ ଚଳିତ ବର୍ଷ ଗଜପତି ପ୍ରଶାସନ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରଥିଲେ । ତେଣୁ ଚଳିତ ବର୍ଷ କେବଳ ମହେନ୍ଦ୍ରଗିରି ଠାରେ ଥିବା କୁନ୍ତି, ଭୀମ, ଯୁଧିଷ୍ଠିର, ଅର୍ଜୁନ, ଗୋକର୍ଣ୍ଣେଶ୍ୱର ଆଦି ମନ୍ଦିର ଗୁଡିକରେ କେବଳ ସେବାୟତଙ୍କ ଦ୍ୱାରା ଶିବରାତ୍ରର ଯଥାରୀତି ଅନୁଯାୟୀ ପୂଜାପାଠ ଓ ବିଧିବିଧାନ କରାଯାଇଥିଲା । ଗତକାଲି ରାତ୍ର ୧୨ଘଣ୍ଟା ସମୟରେ ବିଧି ଅନୁଯାଇ ମହାଦୀପ ପ୍ରଜ୍ୱୋଳନ କରାଯାଇଥିଲା । 

ଗତ ଦୁଇଦିନ ଧରି ମହେନ୍ଦ୍ରଗିରି ଶିଖରରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପୋଲିସ ଏସ୍‌ଡିପିଓ ରାମକୃଷ୍ଣ ପତି, ରାୟଗଡ ତହସିଲଦାର ଲୀଳାବତୀ ଆଚାରୀ ପ୍ରମୁଖଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଓ ପୋଲିସ ସଜାଗ ରହିଥିଲେ ।    ପାରଳାଖେମୁଣ୍ଡି ସମେତ ବିଭିନ୍ନ ଅଞ୍ଚଳରେ ଥିବା ଶିବ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପ୍ରବଳ ଗହଳି ଲାଗି ରହିଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ପ୍ରତ୍ୟୁଷରୁ ତଥା ପାହାନ୍ତିଆରୁ  ମନ୍ଦିର ମାନଙ୍କରେ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଲମ୍ବା ଲାଇନରେ ଠିଆ ହୋଇଥିବା ଦେଖା ଯାଇଥିଲା । 

ପାରଳାଖେମୁଣ୍ଡି ଓ ଆଖପାଖ ଅଞ୍ଚଳରେ ଥିବା ପ୍ରସିଦ୍ଧ ଶିବ ମନ୍ଦିର ଯଥା:- ଏକାମ୍ବେଶ୍ଵର , ଶ୍ରୀ ଗୋପେଶ୍ବର , ଶ୍ରୀ ଚନ୍ଦ୍ର ଶେଖରେଶ୍ବର , ଧବାଲେଶ୍ଵର , ମଲ୍ଲିକାର୍ଜ୍ଜୁନେଶ୍ବର , ରାମଲିଙ୍ଗେଶ୍ୱର , କାଶୀ-ବିଶ୍ଵନାଥେଶ୍ବର , ଶ୍ରୀ ଅର୍ଦ୍ଧନାରୀଶ୍ବର ପ୍ରଭୃତି ଶିବ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ପ୍ରାୟ ମଧ୍ୟାହ୍ନ ପର୍ଯ୍ୟନ୍ତ ଭିଡ ଲାଗି ରହିଥିଲା । ଶ୍ରଦ୍ଧାଳୁ ମହିଳା ମାନେ ଜାଗର ଦୀପ ଜାଳି ପୂଜାର୍ଚ୍ଚନା ପୂର୍ବକ ଲିଙ୍ଗେଶ୍ୱରଙ୍କୁ ଦର୍ଶନ କରିଥିଲେ । 

  ସମସ୍ତ ମନ୍ଦିର ମାନଙ୍କରେ ମାସ୍କ-ପିନ୍ଧିବା ପ୍ରତି ଅଧିକ ଗୁରୁତ୍ୱ ଦିଆ ଯାଇଥିଲା ।

0
0
0
s2sdefault