କେନ୍ଦ୍ର ସ୍ତରରେ ଥିବା ସମସ୍ୟା ଦୂର କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଲେଖିଲେ ପତ୍ର , ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଲେ କେନ୍ଦ୍ର କୃଷିମନ୍ତ୍ରୀ
ଭୁବନେଶ୍ୱର (ଗୌରାଙ୍ଗ ଚରଣ ଦାସ) : ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନାରେ କାହିଁକି ଓଡ଼ିଶାର ଚାଷୀ ବଂଚିତ ହେଉଛନ୍ତି ରାଜନୈତିକ ଆକ୍ରମଣ ହେଉଥିଲା ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ଉପରେ | ଆଉ ଏହି ପ୍ରସଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ରଲେଖି ପିଏମକିସାନ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପତ୍ର ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ହେଲେ କେନ୍ଦ୍ର ସ୍ତରରେ କିଛି ସମସ୍ୟା ରହିଥିବା ବା କେନ୍ଦ୍ରୀୟ ଅଧିକାରୀଙ୍କ ଅସହଯୋଗ ରହିଥିବା କଥା ବୋଧ ହୁଏ ତାଙ୍କ ଚିନ୍ତା ଭିତରେ ନଥିଲା | ହେଲେ ରାଜ୍ୟ କୃଷି ଓ କୁଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ ସାହୁ ଶ୍ରୀ ପ୍ରଧାନଙ୍କ ଚିଠିର ଉତ୍ତର ଦେଇଥିଲେ ଏକ ଚିଠି ମାଧ୍ୟମରେ | ଆଉ ଦର୍ଶାଇଥିଲେ କେମିତି କେନ୍ଦ୍ରରେ ପିଏମ କିସାନ ପୋର୍ଟାଲ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ମାନେ ଅସହଯୋଗ କରୁଛନ୍ତି | ଆହୁରି ପ୍ରଶ୍ନ କରିଥିଲେ ଗୋଟେ କିସ୍ତି ପିଏମ କିସାନ ନିଧି ପାଇବା ପରେ ଦ୍ଵିତୀୟ କିସ୍ତିରୁ ଜଣେ ହିତାଧିକାରୀ ବଂଚିତ ହେଉଛି କିପରି ? ପିଏମ କିସାନ ଡାଟା ବେଶରେ ରାଜ୍ୟ ସରକାର ତଥ୍ୟ ଅପଲୋଡ଼ କରୁଥିବା ବେଳେ ଆବଶ୍ୟକ ସ୍ଥଳେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ସୁଯୋଗ ଦିଆଯାଉନି | ଆଉ ଏହା ସହିତ କେତେକ ସମସ୍ୟା ଉଲ୍ଲେଖ କରିବା ସହ ତାହାର ସମାଧାନ ପାଇଁ କିଛି ପ୍ରସ୍ତାବ ରଖିଥିଲେ ରାଜ୍ୟ କୃଷି ମନ୍ତ୍ରୀ ଡ଼ ଅରୁଣ ସାହୁ ତାଙ୍କ ପାତ୍ରରେ | ଅରୁଣଙ୍କ ଦ୍ୱାରା ଉଠାଯାଇଥିବା ସମସ୍ୟା ବୈଷୟିକ ପ୍ରତିବନ୍ଧକର ଯୁକ୍ତିଯୁକ୍ତତାକୁ ହୃଦୟଙ୍ଗମ କରି ସେଗୁଡିକୁ ଦୂର କରିବା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଆଜି ଲେଖିଥିବା ପତ୍ରରେ କରିଥିଲେ ଅନୁରୋଧ | ରାଜ୍ୟ ସରକାର ଏବଂ କେନ୍ଦ୍ର କୃଷି ମନ୍ତ୍ରଣାଳୟ ମଧ୍ୟରେ ବୈଠକ ଡ଼କାଯାଇ ପିଏମ କିଷାନରେ ଥିବା ସମସ୍ତ ସମସ୍ୟାର ସମାଧାନ କରିବା ସହ ରାଜ୍ୟ ସରକାରଙ୍କୁ ଅତିରିକ୍ତ ବଲ୍କ ୱିଣ୍ଡୋ କ୍ଲିୟରାନ୍ସ କରିବା ପାଇଁ ଅନୁମତି ଦିଆଯାଉ ବୋଲି ପତ୍ରରେ ଉଲ୍ଲେଖ କରିଥିଲେ | କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପତ୍ର ଆଧାରରେ ଏ ଦିଗରେ ରହିଥିବା ସମସ୍ତ ପ୍ରତିବନ୍ଧକ ଦୂରକରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମାର |
ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ପରେ ଗତ ୪ ତାରିଖରେ ରାଜ୍ୟ କୃଷି ମନ୍ତ୍ରୀ ଡ଼ ଅରୁଣ ସାହୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଲେଖିଥିବା ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ ଯେ ପିଏମ୍-କିଷାନ ଯୋଜନାରେ ବ୍ୟବସ୍ଥା ରହିଛି ଯେ ଜମି ମାଲିକାନା ଥିବା ଯୋଗ୍ୟ ଚାଷୀଙ୍କ ପରିବାର କେବଳ ପିଏମ୍ କିଷାନ୍ ପୋର୍ଟାଲ୍ରେ ରାଜ୍ୟ ସରକାରଙ୍କ ଦ୍ବାରା ପଞ୍ଜୀକୃତ ହେବେ। ରାଜ୍ୟ ସରକାର କ୍ଷେତ୍ର ସ୍ତରରେ ଠିକ୍ ଯାଞ୍ଚ୍ କରି ଚାଷୀଙ୍କ ନାମ ପଞ୍ଜୀକୃତ କରିଛନ୍ତି। ପିଏମ୍-କିଷାନ୍ ପୋର୍ଟାଲ୍ରେ ଓଡ଼ିଶାରୁ ୪୩.୧୭ ଲକ୍ଷ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଥିଲେ ବି ସେମାନଙ୍କ ମଧ୍ୟରୁ ପିଏମ୍-କିଷାନ ଯୋଜନାରେ ସହାୟତା ପାଇବାକୁ ୩୮.୬୫ ଲକ୍ଷ ଚାଷୀଙ୍କ ନାମ ମଞ୍ଜୁର ହୋଇଛି। ଅବଶିଷ୍ଟ ୪.୫୨ ଲକ୍ଷ ପଞ୍ଜୀକୃତ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରିନାହାନ୍ତି କେନ୍ଦ୍ର ସରକାର | ତେଣୁ ଏପର୍ଯ୍ୟନ୍ତ ସାମିଲ ହୋଇ ନଥିବା ଚାଷୀଙ୍କୁ ଆବଶ୍ୟକ ସୁବିଧା କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି କୃଷି ମନ୍ତ୍ରୀ ଡ଼ ସାହୁ ତାଙ୍କ ପାତ୍ରରେ ଉଲ୍ଲେଖ କରିଥିଲେ ।
ସେହିପରି ମନ୍ତ୍ରୀ ଡ଼ ସାହୁ ତାଙ୍କ ଚିଠିରେ ଆଉ ଏକ ଅସଙ୍ଗତି ବିଷୟ ଉଲ୍ଲେଖ କରି କହିଥିଲେ ଯେ, ମଞ୍ଜୁର ହୋଇଥିବା ଚାଷୀଙ୍କ ମଧ୍ୟରୁ ୩୭.୧୯ ଲକ୍ଷ ଚାଷୀ(୯୬.୨୨%) ଏକ କିମ୍ବା ଅଧିକ କିସ୍ତିରେ ଅର୍ଥ ପାଇଛନ୍ତି। ପିଏମ୍-କିଷାନ ଯୋଜନାରେ ଗୋଟିଏ କିସ୍ତି ପାଇବାକୁ ଯୋଗ୍ୟ ହୋଇଥିବା ଜଣେ ଚାଷୀଙ୍କୁ ପରବର୍ତ୍ତୀ କିସ୍ତିଗୁଡ଼ିକରୁ କାହିଁକି କେନ୍ଦ୍ର ସରକାର ବଞ୍ଚିତ କରିଛନ୍ତି ତାହା ବୁଝିହେଉନି | ଏ ସମ୍ପର୍କରେ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ ବି ସୁଫଳ ମିଳୁନି । ପିଏମ୍ କିଷାନ୍ ଟେକ୍ନିକାଲ୍ ଟିମ୍ ଟ୍ରାଞ୍ଜାକ୍ସନ୍ ଫେଲ୍, ପଞ୍ଜୀକୃତ ଚାଷୀଙ୍କ ନାମ ଓ ସେମାନଙ୍କ ଆଧାର ନାମ ନ ମିଶିବା, ଏଲ୍ଜିଡି କୋଡ୍ରେ ପରିବର୍ତ୍ତନ, ପିଏମ୍ଏମ୍ଏସ୍ ସହିତ ବ୍ୟାଙ୍କର ସମନ୍ବୟ ନ ରହିବା ଆଦି ବିଭିନ୍ନ କାରଣ ଦର୍ଶାଇ ରାଜ୍ୟ ସରକାରଙ୍କ ଅନୁରୋଧକୁ ଏଡାଇ ଆସିଛନ୍ତି ବୋଲି ମନ୍ତ୍ରୀ ଡ଼ ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ |
ରାଜ୍ୟ କୃଷି ମନ୍ତ୍ରୀ ଆହୁରି ମଧ୍ୟ ତାଙ୍କ ପାତ୍ରରେ ଉଲ୍ଲେଖ କରିଥିଲେ ଯେ, ପଞ୍ଜୀକୃତ ଚାଷୀଙ୍କ ସମସ୍ତ ତଥ୍ୟ ପିଏମ୍-କିଷାନ ପୋର୍ଟାଲ୍ରେ ରାଜ୍ୟ ସରକାର ଅପ୍ଲୋଡ୍ କରିଛନ୍ତି। କିନ୍ତୁ ଏହି ପୋର୍ଟାଲ୍ରେ ଆବଶ୍ୟକ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ସୀମିତ ସୁଯୋଗ ରହିଛି । ଅଧିକ ସଂଖ୍ୟାରେ ବ୍ୟାଙ୍କ ତଥ୍ୟ ସଂଶୋଧନ ଓ ଅନ୍ୟାନ୍ୟ ସଂଶୋଧନ କରିବା ସରକାରଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ। ସେଥିପାଇଁ ସମ୍ପୂର୍ଣ୍ଣ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ଆଉ ଥରେ ସୁଯୋଗ ଦେବାକୁ ଓଡ଼ିଶା ଅନୁରୋଧ କରିଛି। ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ପ୍ରଶାସନିକ ଓ ସଂଶୋଧନ ସୁବିଧା ଉପଲବ୍ଧ କରାଇବା ପାଇଁ ପିଏମ୍-କିଷାନ୍ ପୋର୍ଟାଲ୍ ପରିଚାଳନା କରୁଥିବା ଟିମ୍କୁ ପରାମର୍ଶ ଦେବା ସକାଶେ ଶ୍ରୀ ସାହୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସହିତ ମନ୍ତ୍ରୀ ଡ଼ ସାହୁ ତାଙ୍କ ପତ୍ରରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ, ଓଡ଼ିଶା ସରକାରଙ୍କ ଟେକ୍ନିକାଲ୍ ଟିମ୍ ପିଏମ୍-କିଷାନ୍ର ଟେକ୍ନିକାଲ୍ ଟିମ୍ ସହ ଯୋଗାଯୋଗ ରଖି କାର୍ଯ୍ୟ କରୁଛନ୍ତି। ଏହା ଯୋଗୁ ଅନେକ ସମସ୍ୟା ମଧ୍ୟ ସମାଧାନ ହୋଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବହୁ ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି ରହିଛି। ତେଣୁ ଯଦି ପିଏମ୍-କିଷାନ୍ ପୋର୍ଟାଲ୍ରେ ସମ୍ପୂର୍ଣ୍ଣ ତଥ୍ୟ ସଂଶୋଧନ କରିବାର ସୁଯୋଗ ଓଡ଼ିଶାର ଟେକ୍ନିକାଲ୍ ଟିମ୍କୁ ଦିଆଯାଆନ୍ତା, ତେବେ ଚାଷୀ ଲାଭବାନ ହୋଇପାରନ୍ତେ ବୋଲି କୃଷି ମନ୍ତ୍ରୀ ଡ଼ ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଲେଖିଥିବା ଚିଠିରେ ଆଶାବ୍ୟକ୍ତ କରିଥିଲେ |