-
ପିସିସିଏଫ କହୁଛନ୍ତି ନିଆଁ ସମ୍ପୂର୍ଣ୍ଣ ଆୟତରେ ଅଛି
-
ପରିବେଶବିତଙ୍କ ମତ କିନ୍ତୁ ଭିନ୍ନ
-
ଠାକୁରମୁଣ୍ଡା ଓ ପୋଡ଼ାଡିହା ରେଞ୍ଜ୍ ସର୍ବାଧିକ ପ୍ରଭାବିତ
-
ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି ୧ହଜାର କର୍ମଚାରୀ
-
କୌଣସି ବଡ଼ ଗଛ କିମ୍ବା ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ ହୋଇନଥିବା ଦାବି
-
ଅବହେଳା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ: ପିସିସିଏଫ୍
ବାରିପଦା(ଦିଲ୍ଲୀପ ମହାନ୍ତି) : ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଗତକାଲିଠାରୁ ଶିମିଳିପାଳ ଗସ୍ତରେ ଥିବା ପିସିସିଏଫ(ବନ୍ୟପ୍ରାଣୀ) ଶଶୀ ପଲଙ୍କ ମତରେ ଶିମିଳିପାଳରେ ନିଆଁ ସମ୍ପୂର୍ଣ୍ଣ ଆୟତରେ ରହିଛି। ଶିମିଳିପାଳର ଠାକୁରମୁଣ୍ଡା ଓ ପୋଡ଼ାଡିହା ରେଞ୍ଜ୍ ସର୍ବାଧିକ ପ୍ରଭାବିତ ହୋଇଛି। ଜିଲ୍ଲାରେ ଥିବା ୨୦୯ ବିଟରୁ ମାତ୍ର ୩-୪ଟି ବିଟରେ ନିଆଁର ମାତ୍ରା ଅଧିକ ଥିଲା। ସେହିପରି ଏହି ନିଆଁରେ କୌଣସି ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ ହୋଇନାହିଁ। ବଡ଼ ଗଛ କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ସମ୍ପତ୍ତି ମଧ୍ୟ ଜଳିନଥିବା ଶ୍ରୀ ପଲ୍ ସୂଚନା ଦେଇଛନ୍ତି। ନିଆଁକୁ ଆୟତ କରିବାକୁ ଏସଟିଆରର ଏକ ହଜାର କର୍ମଚାରୀ ଏବଂ ୪୦ଟି ଗାଡ଼ି ନିୟୋଜିତ ଅଛି। ୭୫୦ ନିୟମିତ କର୍ମଚାରୀ ଥିବାବେଳେ ୨୫୦ ପ୍ରୋଟେକ୍ସନ୍ ଆସିଷ୍ଟାଣ୍ଟ୍ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ତେବେ ଆଜି ଆସିଥିବା ସାଟେଲାଇଟ୍ ଚିତ୍ରରୁ ପ୍ରାୟ ୧୮ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ୁଛି। ମାତ୍ର ଶିମିଳିପାଳର ୮-୯ଟି ସ୍ଥାନ ଏହି ଚିତ୍ରରେ ରହିଥିବା ପିସିସିଏଫ୍ କହିଛନ୍ତି । ଠାକୁରମୁଣ୍ଡା ରେଞ୍ଜର ଡଙ୍ଗାଡିହା, ପୁରୁଣାପାଣି ଭଳି କେତୋଟି ବିଟରେ ନିଆଁର ବ୍ୟାପକତା ଥିଲା। ମାତ୍ର ଏହାକୁ ନିୟନ୍ତ୍ରଣ କରାଯାଇସାରିଛି। ସେହିପରି ସାଟେଲାଇଟ୍ ଦେଖାଇଥିବା ଚିତ୍ରର ସ୍ଥାନଗୁଡ଼ିକୁ ମଧ୍ୟ ନିୟନ୍ତ୍ରଣକୁ ନିଆଯାଇଥିବା ଶ୍ରୀ ପଲ୍ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ କୌଣସି ସରକାରୀ ତଦନ୍ତ ହେବା ନେଇ ପ୍ରଶ୍ନକୁ ଏଡ଼ାଇଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଏବଂ ଆଗୁଆ ପ୍ରସ୍ତୁତିର ଅଭାବକୁ ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ପଲ୍ ସୂଚନା ଦେଇଛନ୍ତି। ସେହିପରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର କ୍ଷେତ୍ର ଉପନିର୍ଦ୍ଦେଶକ ଜଜ୍ଞଗତ୍ତ ପତି ଶିମିଳିପାଳରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭାଇ ଦିଆଯାଇଛି ଓ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ବନ କର୍ମଚାରୀମାନେ ଭିତରେ ଜଗି ରହିଛନ୍ତି ବୋଲି କହିଛନ୍ତି । ତେବେ ପିସିସିଏଫଙ୍କ ମତକୁ କିନ୍ତୁ ପରିବେଶବିତମାନେ ଗ୍ରହଣ କରିପାରିନାହାନ୍ତି । ଶିମିଳିପାଳ ସହିତ ସଂପୃକ୍ତ ଥିବା ବ୍ୟକ୍ତିବିଶେଷ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ଆୟତରେ ଥିବା ତଥ୍ୟ ସହିତ ଏକମତ ହୋଇପାରୁନାହାନ୍ତି। ପରିବେଶବିତ୍ ତଥା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ ପୋଡ଼ାଡ଼ିହା ରେଞ୍ଜ୍ ଅନ୍ତର୍ଗତ ବାଘଅନ୍ତ ଓ ଠାକୁରାଣୀ ଘାଟିରେ ବର୍ତ୍ତମାନ ବି ନିଆଁ ଜଳୁଛି। ନିଗିଲଦା, ମକାବାଡ଼ି, ଅନ୍ଧାରୀତୋଟା, କଚୁଦହମ୍ ଆଦି ସ୍ଥାନରେ ଏବେ ମଧ୍ୟ ନିଆଁ ଲାଗିଛି। ନିଆଁର ବ୍ୟାପକତା ଭୟଙ୍କର ଥିଲା। ତେଣୁ ବଡ଼ ଗଛ ପୋଡ଼ିନଥିବା କହୁଥିବା ଅଧିକାରୀମାନେ କିପରି ଛୋଟ ଗଛ ଆଦିକୁ ଭୁଲିଯାଉଛନ୍ତି। ବିରଳ ପ୍ରାଣୀ ବଜ୍ରକାପ୍ତାର ଛୁଆ, ମୟୂର ଅଣ୍ଡା, ସରୀସୃପ ଜାତୀୟ ପ୍ରାଣୀ, ବଣ କୁକୁଡ଼ା ଅଣ୍ଡା ଆଦି କିପରି ନଷ୍ଟ ହୋଇନାହିଁ ବୋଲି କିଏ କହୁଛି। ବହଳ ପତ୍ରରେ ନିଆଁ ଲାଗିଥିବା ବିଭାଗୀୟ ଅଧିକାରୀମାନେ ସ୍ବିକାର କରୁଛନ୍ତି। ଅଥଚ ଭୂମିରେ ଏବଂ ମାଟିତଳେ ବାସ କରୁଥିବା ସରୀସୃପ ଜାତୀୟ ପ୍ରାଣୀମାନେ କିପରି କ୍ଷତିଗ୍ରସ୍ତ ହୋଇନାହନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବିନା କୌଣସି ସରଜମିନ୍ ତଦନ୍ତ ଏବଂ ଖୋଜ୍ ଖବରରେ କିପରି କୁହାଯାଇପାରିବ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ସେହିପରି ଫାୟାର୍ ପଏଣ୍ଟ୍ ଏବଂ ଫାୟାର୍ ଲାଇନ୍ ନେଇ ଅର୍ଥ ଖର୍ଚ୍ଚ ହେଉଛି ଏବଂ ବ୍ୟବସ୍ଥା ହେଉଛି। ଅଥଚ କିପରି ଏହି ବ୍ୟବସ୍ଥା କାମରେ ଲାଗିଲାନି ସେନେଇ ସନ୍ଦେହ ଦେଖାଦେଇଛି। ଅନ୍ୟଜଣେ ପରିବେଶବିତ୍ ପ୍ରଦୀପ୍ତ କବିଙ୍କ ଅନୁଯାୟୀ ବନବିଭାଗ କହିବା ଅନୁସାରେ ନିଆଁ ପ୍ରାୟ ୧୦ ଦିନ ଧରି ଜଳୁଥିଲା। ତେଣୁ ଗୋଟିଏ ଦୁଇ ଦିନରେ ନିଆଁ ଲିଭିବା ସମ୍ଭବପର ନୁହେଁ। ବହଳ ପତ୍ରରେ ନିଆଁ ଲାଗିଥିବାରୁ ସରୀସୃପ ଜାତୀୟ ପ୍ରାଣୀ କ୍ଷତିଗ୍ରସ୍ତ ହୋଇଥିବା ନିଶ୍ଚିତ୍। ସେହିପରି ଏସଟିଆରର ବିଭିନ୍ନ ଅଞ୍ଚଳକୁ ନିଷିଦ୍ଧାଞ୍ଜଳ କରି ରଖାଯାଇଛି। ସେଠାକୁ କୌଣସି ବ୍ୟକ୍ତିବିଶେଷ କିମ୍ବା ଗଣମାଧ୍ୟମ ପଶିବାକୁ ମଧ୍ୟ ବାରଣ କରାଯାଇଛି। ତେଣୁ ବାସ୍ତବ କଥା ସମ୍ପର୍କରେ ସୂଚନା ମିଳିବା କଷ୍ଟକର। ତଥାପି ଏସ୍ଟିଆର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏପରି ବନାଗ୍ନି ହୋଇଥିବା ଶ୍ରୀ କବି ଅଭିଯୋଗ କରିଛନ୍ତି। ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କଲାପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଥିଲେ। ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମରେ ପିସିସିଏଫ୍ ଶଶୀ ପଲ୍ ଏଠାକୁ ଆସି ୨ ଦିନ ଧରି ରହିଥିଲେ। ଗତକାଲି ଶିମିଳିପାଳ ଆସିଥିବା ପିସିସିଏଫ୍ ଆଜି ଭୁବନେଶ୍ବର ଫେରିଥିବା କହିଛନ୍ତି। ଏହି ଘଟଣା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ହେଉଛି। ଭଞ୍ଜବଂଶର ଦାୟଦ ତଥା ଯୁବା ଉଦ୍ୟୋଦୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ ଏନେଇ ଟୁଇଟର୍ରେ ଉଦବେଗ ପ୍ରକାଶ କରିଥିଲେ।