ବିଶ୍ୱ ପେଟ୍ରୋକୋଲ୍ କଂଗ୍ରେସ ଏବଂ ବିଶ୍ୱ ଭବିଷ୍ୟତ ଇନ୍ଧନ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
ନୂଆଦିଲ୍ଲୀ/ଭୁବନେଶ୍ୱର, – ଉର୍ଜା କ୍ଷେତ୍ରରେ ଉପଲବ୍ଧି ଏବଂ ସୁଲଭ ଦରରେ ସନ୍ତୁଳନ ଆଣି ଭାରତ ଉର୍ଜା ନ୍ୟାୟର ଏକ ବିଶ୍ୱ ମଡେ଼ଲ ତିଆରି କରୁଛି ଏବଂ ସବୁଜ ଉର୍ଜା ରୂପାନ୍ତରଣ ପାଇଁ ନିଜର ଋଣନୀତି ଓ ପଥ ମଧ୍ୟ ପ୍ରସ୍ତୁତ କରୁଛି ବୋଲି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଆୟୋଜିତ ୧୧ତମ ବିଶ୍ୱ ପେଟ୍ରୋକୋଲ କଂଗ୍ରେସ ଓ ବିଶ୍ୱ ଭବିଷ୍ୟତ ଇନ୍ଧନର ସମ୍ମିଳନୀ ୨୦୨୧ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଉର୍ଜା ଚାହିଦା ଭବିଷ୍ୟତରେ ବୃଦ୍ଧି ପାଇବ ଏବଂ ଏହି ଦୃଷ୍ଟିରୁ ସବୁଜ ଉର୍ଜା ପଥ ଆପଣାଇବା ତଥା ପ୍ରଦୂଷଣ ହ୍ରାସ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଆନ୍ତର୍ଜାତୀୟ ଉର୍ଜା ସଂସ୍ଥା(ଆଇଇଏ), ଓପେକ ଏବଂ ବ୍ରିଟିଶ ପେଟ୍ରୋଲିୟମ ରିପୋର୍ଟ ଦର୍ଶାଉଛି ଯେ ବିଶ୍ୱର ମୋଟ ପ୍ରାଥମିକ ଉର୍ଜାର ଚାହିଦା ୨୦୪୦ ସୁଦ୍ଧା ବାର୍ଷିକ ୧ ପ୍ରତିଶତରୁ କମ ବୃଦ୍ଧି ପାଇପାରେ । କିନ୍ତୁ ଅପରପକ୍ଷରେ ଭାରତର ଉର୍ଜା ଚାହିଦା ୨୦୪୦ ପର୍ଯ୍ୟନ୍ତ ବାର୍ଷିକ ୩ ପ୍ରତିଶତ ବୃଦ୍ଧି ପାଇବାର ଆକଳନ କରାଯାଇଛି ।
ଉର୍ଜା ନ୍ୟାୟକୁ ଶେଷ କରିବା ପାଇଁ ଦେଶର ସବୁ ଘରକୁ ସ୍ୱଚ୍ଛ ଇନ୍ଧନ ପହଁଚାଇବା ମୋଦି ସରକାରଙ୍କ ଋଣନୀତିର ଏକ ଚାବିକାଠି ହୋଇଛି । ବିଗତ ୬ ବର୍ଷରେ ଦେଶରେ ଏଲପିଜି ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ଭାବରେ ପରିବର୍ତିତ ହୋଇଛି । ୨୦୧୪ରେ ଏଲପିଜି ଉପଭୋକ୍ତା ୧୪.୫ କୋଟି ଥିଲା ବେଳେ ୨୦୨୧ ସୁଦ୍ଧା ଏହା ବୃଦ୍ଧି ପାଇଁ ୨୯ କୋଟିରେ ପହଁଚିଛି । ବହୁତ କମ୍ ବର୍ଷ ମଧ୍ୟରେ ଏଲପିଜି କଭରେଜ୍ ୫୬ ପ୍ରତିଶତରୁ ବଢି ୯୯.୫ ପ୍ରତିଶତ ହୋଇଛି । ରେକର୍ଡ ସମୟରେ ଉଜ୍ଜଳା ଯୋଜନାରେ ୮ କୋଟି ବିପିଏଲ ପରିବାରକୁ ଗ୍ୟାସ ଦିଆଯାଇଛି । ଉଜ୍ଜଳା ଯୋଜନା ମହିଳାଙ୍କ ସାମାଜିକ ଓ ଅର୍ଥନୀତିକୁ ପରିବର୍ତନ କରିବା ସହ ସଶକ୍ତିକରଣ ମଧ୍ୟ କରିଛି । ସେହିପରି ଚଳିତ ସାଧାରଣ ବଜେଟରେ ଉଜ୍ଜଳା ଯୋଜନାରେ ଆଉ ୧
କୋଟି ଅଧିକ ହିତାଧିକାରୀଙ୍କୁ ଯୋଡ଼ିବା ଘୋଷଣା ହେବା ଦ୍ୱାରା ଏହା ସର୍ବଭାରତୀୟ ସ୍ତରରେ କଭରେଜ୍ ହାସଲ କରିବାରେ ସହାୟକ ହେବ । ସେହିପରି ବିଏସ-୬ ଭଳି ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବା ପାଇଁ କାରଖାନା ଗୁଡ଼ିକର ଉନ୍ନତିକରଣ ପାଇଁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ୩୪ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିଛନ୍ତି । ଏହାସହ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ତଥା ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ସ୍ୱରୂପ ୬୦ ବିଲିୟନ ଆମେରିକୀୟ ଡ଼ଲାର ଖର୍ଚ୍ଚ କରାଯାଉଛି ବୋଲି ସେ କହିଛନ୍ତି ।