ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଆଜି ପାଇକମାଲ ବ୍ଲକ ଗୌରଜୁରୀ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ତିନିଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ପଚିଶ ଗୋଟି ମ୍ୟାଚ ଖେଳା ଯାଇଥବା ବେଳେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚର ବିଜେତା ଓ ଉପବିଜେତା ଦଳଙ୍କୁ ବିଧାୟକ ଟ୍ରଫି ଓ ନଗଦ ରାଶି ଦେଇ ପୁରସ୍କାର କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବିଧାୟକ ଶ୍ରୀ ବରିହା ବିଗତ ଦିନରେ ନିଜେ ଜଣେ ଖେଳାଳି ଥିଲେ । ସେଥିପାଇଁ ଖେଳ ଓ ଖେଳାଳି ମାନଙ୍କୁ ସେ ସବୁ ସମୟରେ ଉତ୍ସାହିତ କରିଥାନ୍ତି । ଆଜି ବିଧାୟକ ଗୌରଜୁରୀ ପଡିଆକୁ ପହଂଚିବା ପରେ ଗ୍ରାମବାସୀ ତଥା ଖେଳାଳି ମାନଙ୍କର ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ନିଜର ବକ୍ତବ୍ୟ ରେ ବିଧାୟକ କହିଲେ ଯେ ପଡ଼ିଆରେ ଖେଳା ଯାଉଥିବା ପ୍ରତ୍ୟେକ ଖେଳ ସ୍ୱାସ୍ଥ୍ୟ ପାଇଁ ଲାଭଜନକ । ଖେଳରେ ହାରିବା ଜିତିବା ଏକ ସାମାନ୍ୟ ଜିନିଷ । ହାରିଗଲେ ଆହୁରି ଅଧିକ ପରିଶ୍ରମ କରି ଜିତିବା ପାଇଁ ପ୍ରୟାସ ଜାରୀରଖିବା ଉଚିତ । ଏହି ଟୁର୍ଣ୍ଣାମେଣ୍ଟରେ ପାଇକମାଲ ପଂଚାୟତ ସମିତିର ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ, ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ପ୍ରମୁଖ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।