ଲୋକଙ୍କ ସେବା କରିବା ପାଇଁ ସତରେ ଡ଼ ରାମଚନ୍ଦାନୀଙ୍କ ଭଳି ମନଟିଏ ଲୋଡ଼ା
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ଟଙ୍କିକିଆ ଚାଉଳ ସ୍କିମ ଆଉ ସଂସଦ ଅପରାଜିତାଙ୍କ ଭୁବନେଶ୍ୱରରେ ଟଙ୍କିକିଆ ଖାଦ୍ୟ ବଣ୍ଟା ହେଉଥିବା ବେଳେ ଏଣେ ଚର୍ଚାକୁ ଆସିଛି ହେଲେ ଡ଼ ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକ | ଲୋକଙ୍କୁ ସାହାଯ୍ୟ କରି, ଅସାଧ୍ୟକୁ ସହାୟତାର ହାତ ବଢ଼ାଇ ତଥା ମାନବିକତାର ପରିଚୟ ଅନେକବାର ଦେଇ ଆସିଥିବା ଡ଼ ରାମଚନ୍ଦାନୀ ତାଙ୍କ ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ କାଢି ଆରମ୍ଭ କରିଛନ୍ତି ଟଙ୍କିକିଆ କ୍ଲିନିକ ଖାସ ଆର୍ଥିକ ଅସ୍ୱଚ୍ଛଳ ଲୋକଙ୍କ ପାଇଁ |
ବରଗଡ ଜିଲ୍ଲାର ପଦ୍ମପୁର ଅଞ୍ଚଳର ଏକ ମଧ୍ୟବିତ୍ତ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଡାକ୍ତର ଶଙ୍କର ରାମଚନ୍ଦାନୀ ବର୍ତ୍ତମାନ ବୁର୍ଲା ଭିମସାର ଡାକ୍ତରଖାନାର ମେଡିସିନ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଭାବରେ କାର୍ଯ୍ୟରତ | ଗରିବ ରୋଗୀମାନଙ୍କ ଦରଦୀ ବନ୍ଧୁ ସେ | କେବଳ ସେ ଏକା ନୁହନ୍ତି, ତାଙ୍କ ଧର୍ମପତ୍ନୀ ବି ତାଙ୍କ ସାଥ ଦେଇ ଆସୁଛନ୍ତି ତାଙ୍କର ମହତ କାର୍ଯ୍ୟକ୍ରମରେ | ସେବାକ୍ଷେତ୍ରରେ ସାରା ଓଡିଶାରେ ତାଙ୍କର ରହିଛି ସ୍ୱତନ୍ତ୍ର ନା । ଅନେକ ଅସହାୟଙ୍କ ପାଇଁ ଅନେକ ସମୟରେ ସେ ଆବିର୍ଭାବ ହୋଇଛନ୍ତି ଦେବଦୁତ ଭାବେ । ଜଣେ ଭଲ ଡାକ୍ତର ଭାବେ ସଦା ସର୍ବଦା ବ୍ୟସ୍ତ ରହୁଥିବା ଡ଼ ରାମଚନ୍ଦାନୀ ବର୍ତ୍ତମାନ ଗରିବ ରୋଗୀମାନଙ୍କ ସେବା କରିବା ପାଇଁ ବୁର୍ଲା ସ୍ଥିତ ଇନ୍ଦିରା ଛକ ଠାରେ ଏକ ଟଙ୍କିଆ କ୍ଲିନିକ ଖୋଲିଛନ୍ତି | ପ୍ରତ୍ୟେକ ଦିନ ଗୋଟିଏ ଘଣ୍ଟା ସମୟ ଅଗ୍ରାଧିକାର ଭିତ୍ତିରେ ଖାସ ଗରିବ ରୋଗୀଙ୍କ ପାଇଁ ସମର୍ପି ଦେଇଛନ୍ତି । ଆମର ପ୍ରତିନିଧି ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ ତାଙ୍କର ଆଭିମୁଖ୍ୟ ସମ୍ପର୍କରେ ପଚାରିବା ବେଲେ ସେ ଭାବବିହ୍ଵଳ ହୋଇ ପଡ଼ିଥିଲେ | ସେ କହିଥିଲେ ମୁଁ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଛି | ଗରିବୀ କଣ ଦେଖିଛି ଆଉ ଅଭାବବୋଧ କଣ ତାକୁ ଅଙ୍ଗେ ନିଭେଇଛି | ମୋର ବାପା ସ୍ବର୍ଗତ ବ୍ରହ୍ମାନନ୍ଦ ରାମଚନ୍ଦାନୀ ଏବଂ ମାଁ ଲଜ୍ଜ୍ୟାବନ୍ତିଙ୍କ ଆର୍ଶୀବାଦରୁ ଆଜି ଡାକ୍ତରଟିଏ ହୋଇ ଗରିବ ରୋଗୀଙ୍କ ସେବା କରିବାର ସୁଯୋଗ ପାଇଛି | ମୁଁ ମୋ ସ୍ବର୍ଗୀୟ ପିତାଙ୍କ ନିକଟରେ ଚୀରଋଣି ହୋଇ ରହିବା ସଙ୍ଗେ ସଙ୍ଗେ ଗରିବ ରୋଗୀଙ୍କ ସେବା କରି ତାଙ୍କର ମୁହଁ ରେ ଫୁଟୁଥିବା ହସକୁ ଦେଖିଲେ ମତେ ଯେଉଁ ଆତ୍ମ ତୃପ୍ତି ମିଳେ | ତାହା ହିଁ ମୋ ପାଇଁ ପରମ ସୌଭାଗ୍ୟ | "ଡାକ୍ତର ହେଲେ ଗରିବ ରୋଗୀମାନଙ୍କ ସେବା କରିବାର ପାଇଁ ପଛଘୁଞ୍ଚା ଦେବୁ ନାହିଁ" ବୋଲି ମୋ ବାପା ମତେ ଦେଇଥିବା ଉପଦେଶକୁ ଆଜି ମୁଁ ପାଳନ କରି ଖୁସି ତଥା ଗର୍ବିତ ଅନୁଭବ କରେଁ ।"
ସତରେ, ଡାକ୍ତର ଶଙ୍କର ରାମଚନ୍ଦନୀଙ୍କ ମାନସିକତାକୁ ଆମେ ସାଲ୍ୟୁଟ କରୁଛୁ | ଶାସକ ପ୍ରଶାସକ ପରିବାର ତରଫରୁ ଆମେ ତାଙ୍କର ଏ ମହତ ମାନସିକତାକୁ ଈଶ୍ୱର ଅଧିକ ସାମର୍ଥ୍ୟ ଦିଅନ୍ତୁ, ତାହାହିଁ ପ୍ରାର୍ଥନା କରୁଛୁ |