ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ପ୍ୟାଲେସ ସାମନା ସ୍ଥିତ ଅର୍ବାନ-ବ୍ୟାଙ୍କ ପଡିଆ ଠାରେ ହାଇଦ୍ରାବାଦ ସ୍ଥିତ ସାଇବର ସୁରକ୍ଷା କାର୍ଯ୍ୟାଳୟର ଜନ-ସୁରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପରିଷଦ ପକ୍ଷରୁ ମାସବ୍ୟାପୀ "ସାଇବର କ୍ରାଇମ" ସମ୍ପର୍କିତ ଜନସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।
ମୁଖ୍ୟଅତିଥି ରୂପେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେ ମୁଖ୍ୟତଃ ଆଜିକାଲି ବିଭିନ୍ନ ସ୍ଥାନରେ ପ୍ରାୟ ପ୍ରତିଦିନ ଯେଉଁ ମାତ୍ରାରେ ସାଇବର ଅପରାଧ ସବୁ ଘଟି ଚାଲିଛି , ସେଥିରେ ଜନସାଧାରଣ ମାନସିକ ଓ ଆର୍ଥିକ ସ୍ତରରେ ବହୁ କ୍ଷତି ସହିବାକୁ ପଡୁଛି । ତେଣୁ ଏଥିରୁ ରକ୍ଷା ପାଇବାକୁ ହେଲେ ଏ ଦିଗରେ ସତର୍କତା ଓ ସଚେତନତାର ନିହାତି ଆବଶ୍ୟକତା ରହିଛି ବୋଲି କହିଥିଲେ ।
ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ:ନାରାୟଣ ରାଓ କାର୍ଯ୍ୟକ୍ରମରେ ସ୍ଵତନ୍ତ୍ରଅତିଥି ଭାବେ ଯୋଗଦେଇ ଓଡିଶାରେ କୌଣସି ଠାରେ ସାଇବର ଥାନା ନାହିଁ , ସାଇବର ଅପରାଧ ଘଟିଲେ ଅଭିଯୋଗକୁ ଆଧାର କରି ଥାନା ମାନଙ୍କ ପକ୍ଷରୁ ତଦନ୍ତ , ଗିରଫ ଓ ମକଦ୍ଦମା ପ୍ରକ୍ରିୟା କରାଯାଉଛି । ହେଲେ ସାଇବର ଅପରାଧ ଉପରେ ସେଭଳି କୌଣସି ଦୃଢ଼-ଆଇନ ନ ଥିବା ଯୋଗୁଁ ଅପରାଧୀ ବିଭିନ୍ନ ଉପାୟରେ ଖସିଯିବାରେ ସକ୍ଷମ ହୋଇ ଯାଉଛନ୍ତି , ତେଣୁ ଏ ଦିଗରେ କଡା ଆଇନ ପ୍ରଣୟନର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକାନନ୍ଦ ସ୍ବାଇଁ ଅତିଥି ଭାବେ ଯୋଗଦେଇ ନିଜର ଏଟିଏମ , ବ୍ୟାଙ୍କ ପାସବୁକ, ପାଶୱାର୍ଡ , ମୋବାଇଲ ସିକ୍ରେଟ ଓ ଅନ୍ୟାନ୍ୟ ସବୁ ଯାହା ବ୍ୟକ୍ତିଗତ ରହିଛି , ତାହାର କୌଣସି ତଥ୍ୟ କାହାକୁ ନ ଦେବା , ଏସବୁ ସୁରକ୍ଷିତ ରଖିବା ଏବଂ କୌଣସି ପ୍ରକାରର ସାଇବର ଅପରାଧ ଘଟିଲେ ତୁରନ୍ତ ଥାନାରେ ରିପୋର୍ଟ ଦେଲେ ଅପରାଧୀକୁ ଧରିହେବା ସହ ସମ୍ପୃକ୍ତଙ୍କ ବ୍ୟାଙ୍କ ଟଙ୍କା ସୁରକ୍ଷିତ ରହି ପାରିବ ବୋଲି କହିଥିଲେ । ପରିଷଦର ସାଇବର ତଦନ୍ତ ଏକ୍ସପାର୍ଟ ଶ୍ରୀ ସଞ୍ଜୟ କୁମାର ପାଢୀ ଉପସ୍ଥିତ ରହି ସାଇବର କ୍ରାଇମ କଣ , ଏହା କିପରି ହୋଇଥାଏ ଏବଂ ଏଥିପ୍ରତି କିଭଳି ସତର୍କ ଓ ସଚେତନ ରହିବାକୁ ହେବ , ତାର ବିଭିନ୍ନ ଦିଗ ଉପରେ କହିଥିଲେ ।
ଶ୍ରୀ ଦେବଦତ୍ତ ବେବର୍ତ୍ତା , ଶ୍ରୀ ରମାକାନ୍ତ ପଟ୍ଟନାୟକ ଏବଂ ଶ୍ରୀ ପ୍ରଶାନ୍ତ କୁମାର ପରିଛା ପ୍ରମୁଖ ସାଇବର କ୍ରାଇମର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ। ପରେ ସାଇବର କ୍ରାଇମ ସମ୍ପର୍କରେ ଜନସଚେତନ ସୃଷ୍ଟି କରି ଆସୁଥିବା ଏବଂ ସେମାନଙ୍କ ଏ ଦିଗରେ ଐକ୍ୟବଦ୍ଧତା , ଦାୟିତ୍ୱ ଓ ଉତ୍ସର୍ଗୀତ ସେବା ସହ ପ୍ରୋତ୍ସାହିତ ପାଇଁ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ମୋମେଣ୍ଟ ଓ ମାନପତ୍ର ପ୍ରଦାନ କରା ଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ସମ୍ପାଦନା ଓ ପରିଚାଳନା କରିଥିଲେ ।
ଶେଷରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।