ରେଳ ବିକାଶ ପ୍ରସଙ୍ଗରେ ଯେ କୈାଣସି ଖୋଲା ବିତର୍କ ପାଇଁ ପ୍ରସ୍ତୁତ ଅଛୁ : ଗୋଲକ ମହାପାତ୍ର
ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଜ୍ୟର ନବୀନ ପଟ୍ଟନାୟକ ସରକାର ପ୍ରାକୃତିକ ଓ ଖଣିଜ ସମ୍ପଦାକୁ ଲୁଟିବାରେ ଏବଂ ଐତିହକୁ ନଷ୍ଟ କରିବାରେ ଲାଗିଛନ୍ତି । ହଜାର ବର୍ଷର ଐତିହ୍ୟ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ ସୌନ୍ଦଯ୍ୟକରଣ ନାଁରେ ଓ ବିନା ଏଏସଆଇ ଅନୁମତିରେ ଖୋଲାଖୋଲି ଆଇନ ଉଲ୍ଲଂଘନ କରି ନବୀନ ସରକାର ରାତିଅଧିଆ ବୁଲଡୋଜର ଲଗାଇ ଅନେକ ମହତ୍ୱପୂର୍ଣ୍ଣ ମନ୍ଦିର ଭାଙ୍ଗି ତାର ଅବଶିଷ୍ଟାଂଶକୁ କବାଡି ବାଲାଙ୍କୁ ବିକ୍ରି କରିଛନ୍ତି । ଏଭଳି ହିନ୍ଦୁ ପରମ୍ପରା, ମଠ, ମନ୍ଦିର ଏବଂ ସଂସ୍କୃତିର ଲୁଣ୍ଠନ କରୁଥିବା ଜବନମାନଙ୍କୁ ଓଡିଆରେ ଗୋଟିଏ ନାଁରେ ଡକାଯାଏ, ତା ହେଲା ‘କଳାପାହାଡ’ । ନବୀନ ସରକାର କଳାପାହାଡ ସାଜି ଆମର ହଜାର ହଜାର ବର୍ଷର ଐତିହ୍ୟ ପରମ୍ପରାକୁ ଖୋଲାଖୋଲି ଲୁଟୁଛନ୍ତି ବୋଲି ଡା.ଲେଖାଶ୍ରୀ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦିକା ଡା.ଲେଖାଶ୍ରୀ ସାମନ୍ତସିଂହାର ଭର୍ତ୍ସନା କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶାରେ ରେଳ ଭିତିଭୁମି, ରେଳ ସଂଯୋଗ ସ୍ଥାପନା ଏବଂ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି । ମୋଦି ସରକାର ଶାସନକୁ ଆସିବା ପୂର୍ବରୁ ଓଡିଶାକୁ ବାର୍ଷିକ ମାତ୍ର ୨୦୦ରୁ ୬୦୦ କୋଟି ଟଙ୍କାର ରେଳ ବଜେଟ ସୀମିତ ରହୁଥିଲା । ମାତ୍ର ୨୦୧୪ ମସିହା ପରେ ପ୍ରତି ବର୍ଷ ୫ ହଜାର, ୬ ହଜାର, ୭ ହଜାର କୋଟି ଟଙ୍କାର ରେଳ ବଜେଟ ଅନୁଦାନ ରାଜ୍ୟକୁ ମିଳୁଛି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର କ୍ରମାଗତ ଭାବରେ ସହାୟତା ଯୋଗାଇ ଆସୁଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ପରିମାଣ ୫୭୯୫ କୋଟି ଟଙ୍କା ଥିବାବେଳେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ବଜେଟ ୬୯୯୫ କୋଟି ଟଙ୍କାକୁ ପହଂଚିଛି, ଯାହାକି ନିଶ୍ଚିତ ଭାବେ ଐତିହାସିକ ଏବଂ ସ୍ୱାଗତଯୋଗ୍ୟ । ମାତ୍ର ହୀନ ରାଜନୈତିକ ସ୍ୱାର୍ଥକୁ ପ୍ରତିପାଦିତ କରିବା ପାଇଁ ଗତ କାଲି ପ୍ରେସ ମିଟ୍ ଜରିଆରେ ଯେଉଁ ଭଳି ଭାବେ ଶାସକ ବିଜେଡି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୋଦି ସରକାରଙ୍କୁ ବ୍ରିଟିଶ ଶାସନ ସହ ତୁଳନା କରିବା ଏବଂ ଓଡିଶାରୁ ଖଣିଜ ପଦାର୍ଥ ରେଳବାଇ ଯୋଗେ ଲୁଟି ନେବା ଭଳି ଅଭିଯୋଗ ଅତ୍ୟନ୍ତ ଲଜ୍ଜାଜନକ ଓ ହୀନ ବକ୍ତବ୍ୟ ବୋଲି ସେମାନେ କହିଛନ୍ତି |
୯୧ ପ୍ରତିଶତ ଓଡିଶାବାସୀ ମୋଦି ଏବଂ ତାଙ୍କ କାର୍ଯ୍ୟଶୈଳୀକୁ ଭଲ ପାଉଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟ ଓଡିଶା ପ୍ରତି ତାଙ୍କ ଦାୟୀତ୍ୱକୁ ନିଷ୍ଠାର ସହ ପାଳନ କରିଛନ୍ତି । ଦେଶର ସର୍ବାଙ୍ଗୀନ ବିକାଶ ପାଇଁ କେମିତି ଓଡିଶା ଭଳି ପଛୁଆ ରାଜ୍ୟ ଅଧିକ ଅନୁଦାନ ପାଇବ ସେହି ଦାୟିତ୍ୱ ନିଜ ଉପରକୁ ନେଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କୁ ବିଜୁ ଜନତା ଦଳ ଯେଉଁ ଅପମାନ କରିଛନ୍ତି ତାକୁ ଆମେ ନିନ୍ଦା କରୁଛୁବୋଲି ଡା.ସାମନ୍ତସିଂହାର କହିଛନ୍ତି ।
ସଂଘୀୟ ବ୍ୟବସ୍ଥାରେ ଯେଉଁ ରାଜ୍ୟ ଯେତିକି ଯୋଗଦାନ କରିପାରିବ ସେମାନେ କରନ୍ତି ଏବଂ ରାଜ୍ୟକୁ ଯାହା ଯାହା ଆବଶ୍ୟକ ଥାଏ, ସେହି ହିସାବରେ କେନ୍ଦ୍ର ସରକାର ତାଙ୍କୁ ତାହା ଦିଅନ୍ତି । ବିଜୁ ଜନତା ଦଳ ଭାରତ ବର୍ଷର ମହାନ ସଂଘୀୟ ବ୍ୟବସ୍ଥାକୁ ବୁଝି ଏଠି “ଦୋକାନ୍ ଖାତା” ଭଳି ‘କେତେ ଦେଲୁ କେତେ ପାଇଲୁ’ ତାର ହିସାବ କରୁଛନ୍ତି ବୋଲି ଡା.ଲେଖାଶ୍ରୀ କହିଛନ୍ତି ।
ମୋଦି ସରକାର ନିଜ ଦାୟିତ୍ୱ ବୁଝି ଓଡିଶା ମାଗିବା ଆଗରୁ ସବୁପ୍ରକାର ସହାୟତା ଓ ଅନୁଦାନ ବିଭିନ୍ନ ସମୟରେ ଦେବା ପାଇଁ ପ୍ରତିଶୃତିବଦ୍ଧ । କେନ୍ଦ୍ରରୁ ମିଳିଥିବା ଡିଏମଏଫ ଫଣ୍ଡର ମାତ୍ର ସାତ ଭାଗରୁ ୧ ଭାଗ ଓଡିଶା ସରକାର ଖର୍ଚ୍ଚ କରିପାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କର ବଢୁଥିବା ଲୋକପ୍ରିୟତାରେ ଭୟଭୀତ ଓ ଇର୍ଷାନ୍ନୀତ ହୋଇ ତାଙ୍କୁ ଅଶାଳୀନ ଭାଷାରେ ଗାଳି ନକରି ବରଂ ବିଜେଡି ସରକାର ରାଜ୍ୟର ଐତିହ୍ୟ ଓ ପରମ୍ପରାର ସରକ୍ଷଣରେ ଲାଗୁ ବୋଲି ଡା. ସାମନ୍ତସିଂହାର କହିଛନ୍ତି ।
ବଜେଟରେ ରେଳ କ୍ଷେତ୍ରରେ ଓଡିଶାକୁ ଅବହେଳା କରାଯାଇଥିବା କହି ବିଜେଡି ନିଜର ରାଜନୈତିକ ସ୍ୱାର୍ଥ ପାଇଁ ନିଜର ସ୍ଥାଣୁତା ଓ ଅପାରଗତା ଲୁଚାଇ ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ଭଳି ହୀନ ଉଦ୍ୟମ କରୁଛି । ରେଳମନ୍ତ୍ରୀ ପିୟୂଷ ଗୋଏଲ ୧୫ ଜୁନ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଓଡିଶାରେ ରେଳ ପ୍ରକଳ୍ପ ଆଗକୁ ନଯିବା ମାମଲାରେ ଉଠାଇଥିବା ପ୍ରସଙ୍ଗ ଗୁଡିକ ଉଠାଇଥିଲେ । ଜମି ଅଧିଗ୍ରହଣ, ଆଇନ ବିଶୃଙ୍ଖଳା ଏବଂ ଜଙ୍ଗଲ ବିଭାଗ ଅନୁମତି ସମସ୍ୟା ନେଇ ପତ୍ରରେ ଉଲ୍ଲେଖ କରିବା ସହ ରେଳ କାମର ଅଗ୍ରଗତି ହେଉନଥିବା କହିଥିଲେ ରେଳମନ୍ତ୍ରୀ । ଏ ସମ୍ପର୍କରେ ରାଜ୍ୟ ସରକାର ଦୃଷ୍ଟି ଟିକେ ଦିଅନ୍ତୁ । କେବଳ କେନ୍ଦ୍ର ଅବହେଳା କଥା କହି ରାଜ୍ୟ ସରକାର ନିଜ ଦାୟୀତ୍ୱରୁ ନଓହରିବାକୁ କହିବା ସହ ରେଳ ବିକାଶ ପ୍ରସଙ୍ଗରେ ଯେ କୈାଣସି ଖୋଲା ବିତର୍କ ପାଇଁ ପ୍ରସ୍ତୁତ ଅଛୁ ବୋଲି ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଶ୍ରୀ ମହାପାତ୍ର ସୁଚନା ଦେଇ କହିଛନ୍ତି ଯେ, ୨୮୯ କିଲୋମିଟର ଖୋର୍ଦ୍ଧାରୋଡ – ବଲାଙ୍ଗୀର ୩୭୯୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଚଳିତ ବଜେଟ୍ରେ ୧୦୦୦ କୋଟିର ବ୍ୟବସ୍ଥା କରାଯାଇଛି । ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରୀ ପ୍ରଦାନରେ ରାଜ୍ୟ ସରକାର ବିଳମ୍ବ କରିବାରୁ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ୯୮.୭ କିଲୋମିଟର ଅନୁଗୁଳ – ସୁକିନ୍ଦାରୋଡ ବ୍ରଡ ଗଜ୍ ପାଇଁ ଚଳିତ ବଜେଟରେ ୪୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାର ଜମି ଅଧିଗ୍ରହଣରେ ବିଳମ୍ବତା, ୨୦୦୬ ମସିହା ଆରଆର ପଲିସି ଆଧାରରେ କାର୍ଯ୍ୟ ଅସମାପ୍ତ ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ପ୍ରଶାସନିକ ସମସ୍ୟା କାର୍ଯ୍ୟକୁ ବିଳମ୍ବିତ କରିଛି । ୧୫୦ କିଲୋମିଟର ଦୀର୍ଘ ୧୯୨୮ କୋଟି ଟଙ୍କାର ତାଳଚେର – ବିମଳାଗଡ ନୂତନ ରେଳ ଲାଇନ୍ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ହସ୍ତାନ୍ତର, ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରୀ ପ୍ରଦାନ କରିବାରେ ରାଜ୍ୟ ସରକାର ବିଳମ୍ବ କରିଛନ୍ତି । ୧୫୭୯ କୋଟିର ସମ୍ବଲପୁର – ତାଳଚେର ୧୭୪ କିଲୋମିଟର ଦୋହରୀକରଣ ପ୍ରକଳ୍ପ ପାଇଁ ଚଳିତ ରେଳ ବଜେଟରେ ୧୭୩.୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ରାଜ୍ୟ ସରକାର ଜମି ଯୋଗାଇ ଦେବା ଓ ପରିବେଶ ମଞ୍ଜୁରୀରେ ଅହେତୁକ ବିଳମ୍ବ ପ୍ରକଳ୍ପ ଆଗେଇବାରେ ସବୁଠୁ ବଡ ସମସ୍ୟା ସୃଷ୍ଟି କରିଛି । ୧୧୭୩ କୋଟିର ରାଜଆଠଗଡ ଦେଇ ବୁଢାପଙ୍କ ଏବଂ ସାଲେ ଗାଁ ତୃତୀୟ ଓ ଚତୁର୍ଥ ଲାଇନ ସମ୍ପ୍ରସାରଣ ୧୭୦ କିଲୋମିଟର ପ୍ରକଳ୍ପ ପାଇଁ ଚଳିତ ବଜେଟରେ ୨୧୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କାର୍ଯ୍ୟ ଓ ଜଙ୍ଗଲ ନିୟମ ଅନୁମତିରେ ଅହେତୁକ ବିଳମ୍ବ କରି ଆସିଛନ୍ତି । ୮୧୦ କୋଟି ଝାରପଢା – ବୁଢାପଙ୍କ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ ଓ ତାଳଚେରରେ ଫ୍ଲାଏଓଭର ବ୍ରିଜ ପାଇଁ ୧୦୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରାଜ୍ୟ ସରକାର ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରୀ ପ୍ରଦାନରେ ବିଳମ୍ବ ପ୍ରକଳ୍ପ ପାଇଁ ବାଧକ ସାଜିଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ସମାଧାନ ପାଇଁ କଣ ପଦକ୍ଷେପ ନେଇଛନ୍ତି ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ କଣ ଉତର ରେଳମନ୍ତ୍ରୀଙ୍କୁ ଦେଇଛନ୍ତି ତାହା ସର୍ବସାଧାରଣଙ୍କୁ ଜଣାନାହିଁ । ଏହାର ଉତର ରାଜ୍ୟ ସରକାର ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।