ହେଡଲାଇନସ୍:

ବାବୁ ସହରରେ, ମାଫିଆ ମାତିଛନ୍ତି ଜଙ୍ଗଲରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଂକଟରେ ଶିମିଳିପାଳରେ ଶିରି : ବିପନ୍ନ ପ୍ରକୃତି ଆଉ ଜୀବସମ୍ପଦ 

  • ଶିମିଳିପାଳ ଅଭୟାରଣ୍ୟରେ ଗୁଳିବିଦ୍ଧ କଲରାପତରିଆ ବାଘର ମୃତ୍ୟୁକୁ ନେଇ ଚର୍ଚ୍ଚା

  • ଖୋଜିଲେ ମିଳୁନାହାଁନ୍ତି ଶିମିଳିପାଳ କ୍ଷେତ୍ର-ଉପନିର୍ଦ୍ଦେଶକ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଶିମିଳିପାଳ ଅଭୟାରଣ୍ୟର ପୋଡ଼ାଡିହା ରେଞ୍ଜର ଡଙ୍ଗାଡ଼ିହା ଓ ଭଞ୍ଜବସା ମଧ୍ୟରେ ଏକ ଗୁଳିବିଦ୍ଧ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି  । ଉକ୍ତ ବାଘ ମୃତ୍ୟୁ ଘଟଣାକୁ ନେଇ ବନ କର୍ମଚାରୀମାନେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ-କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଖବର ଦେବା ପରେ  ବାଘର ବ୍ୟବଚ୍ଛେଦ କରାଯାଇ ଥିବା ବିଷୟକୁ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ-କ୍ଷେତ୍ର ନିର୍ଦ୍ଦେଶକ  ଯଜ୍ଞଦତ୍ତ ପତିଙ୍କ ସହିତ ତାଙ୍କର ମୋବାଇଲ ନମ୍ବର ୯୪୩୭୯୬୨୬୯୬ରେ ବାରମ୍ବାର ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା । ଉପ-କ୍ଷେତ୍ର ନିର୍ଦ୍ଦେଶକ  ଶ୍ରୀ ପତି ଦିନକୁ ଦିନ ବିବାଦୀୟ ହେବା ଆରମ୍ଭ କରିଦେଇଛନ୍ତି ।  ସେହିପରି  ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ  ଯୁଗ ଜୟାନନ୍ଦଙ୍କ ସହିତ ମୋବାଇଲ ନମ୍ବର ୯୪୩୭୪୭୭୬୮୮ରେ ଯୋଗାଯୋଗ କରିବାରୁ କଲରାପତରିଆ ବାଘର ମୃତ ଦେହ ମିଳିଥିବାର ସ୍ଵୀକାର  କରିଥିଲେ । ମାତ୍ର ଗୁଳିବିଦ୍ଧ ଅବସ୍ଥାରେ ମୃତ୍ୟୁକୁ ଖଣ୍ଡନ କରିଥିଲେ । ବାଘର ବ୍ୟବଚ୍ଛେଦ ସମୟରେ ତାର ଦେହରେ ଗୁଳିର କୌଣସି ଚିହ୍ନ ନ ଥିଲା । ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ଥାଇ ମୃତ୍ୟୁ ହୋଇଛି  ବୋଲି କହିଥିଲେ । ତେବେ ଶିମିଳିପାଳ ଅଭୟାରଣ୍ୟ ଶିକାରୀ ଓ କାଠ ମାଫିଆମାନଙ୍କ ଚାରଣ ଭୂମିରେ ପରିଣତ ହୋଇଥିବା ବେଳେ ବିଭାଗୀୟ ପଦାଧିକାରୀ ଓ ଅଧିକାରୀମାନେ ସହର ଜଗି ବସିଥିବାର ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ପଶୁ, ପକ୍ଷୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଆସୁଥିବା ପର୍ଯ୍ୟଟକମାନେ ଜଙ୍ଗଲରେ ପଶୁ ଦେଖିବା ଦୂରର ବିଷୟ ପକ୍ଷୀ ଦେଖିବା ସେମାନଙ୍କ ପକ୍ଷେ ସୌଭାଗ୍ୟର ବିଷୟ ପାଲଟିଯାଇଛି । ଫଳରେ ପର୍ଯ୍ୟଟକମାନେ ଦ୍ୱିତୀୟ ଥର  ଶିମିଳିପାଳ ଭ୍ରମଣ ନିମନ୍ତେ ମୁହଁ ଫେରାଇ ନେଉଛନ୍ତି । ଫଳରେ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଯଦି ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ ନ କରନ୍ତି ତେବେ ଭବିଷ୍ୟତରେ ଶିମିଳିପାଳ ଇତିହାସରେ ପରିଣତ ହେବାକୁ ବେଶୀ ସମୟ ଲାଗିବ ନାହିଁ । 

 

0
0
0
s2sdefault