ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଏକ ଧାରଣା ଦିଆଯାଇଛି। ରାଜ୍ୟରେ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଓ ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଏହି ଧାରଣା ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି କର୍ମକର୍ତ୍ତା। ଏ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛି ବିଜେପି।
ଧାରଣାରେ ଯୋଗ ଦେଇ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଓ ଚାଷୀ ବିରୋଧୀ ଆଚରଣ ଯୋଗୁଁ ଆଜି ଝାରସୁଗୁଡ଼ା ଓ ରାଜ୍ୟର ସମସ୍ତ ଚାଷୀ ଆର୍ଥିକ ତଥା ସାମାଜିକ ନ୍ୟାୟରୁ ବଞ୍ଚିତ। ରାଜ୍ୟ ଧାନ ମଣ୍ଡିରେ ପଡ଼ି ରହୁଛି ଏବଂ ଚାଷୀ ମାନସିକ ଚାପର ଶୀକାର ହେଉଛନ୍ତି।ରାଜ୍ୟ ସରକାର ତୁରନ୍ତ ଚାଷୀମାନଙ୍କ ଧାନ ଉଠାଇବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଭାରତୀୟ ଜନତା ଯୁବ ମୋର୍ଚ୍ଚୋର ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡଙ୍ଗୀ କହିଛନ୍ତି।
ଅନ୍ୟ ପକ୍ଷରେ ବିଜେପି ଅଭିଯୋଗ କରିଛି ଯେ ରାଜ୍ୟର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ। ମାତ୍ର ରାଜ୍ୟ ସରକାର ଚାଷୀଙ୍କୁ ଲୁଟ କରୁଛନ୍ତି। ଚାଷୀଙ୍କୁ ଶୋଷଣ କରା ଯାଉଥିବାରୁ ସେମାନେ ଅମଳ ଧାନକୁ ବିକ୍ରି କରିପାରୁ ନାହାଁନ୍ତି।ମଣ୍ଡିରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ପଡ଼ିଥିଲେ ସୁଦ୍ଧା ମିଲରମାନଙ୍କ ଦେଖା ନାହିଁ। ଏହି ସବୁ ଧାନକୁ ଉଠାଇବା ପାଇଁ ତୁରନ୍ତ ଜରୁରୀକାଳୀନ ମଣ୍ଡି ଖୋଲିବା ପାଇଁ ବିଜେପି ଦାବୀ ଜଣାଇଛି ।ଯେଉଁ ଚାଷୀମାନେ ଧାନ ବିକ୍ରି କରି ପାରୁ ନାହାଁନ୍ତି, ସେମାନଙ୍କ ଧାନ କିଣିବାର ବ୍ୟବସ୍ଥା ମଧ୍ୟ କରିବାକୁ ସେମାନେ ଦାବି ଜଣାଇଛନ୍ତି। ଏତଦବ୍ୟତୀତ ଅଚଳ ହୋଇ ଯାଇଥିବା ଟୋକନ ଗୁଡିକର ପୁନଃ କାର୍ଯ୍ୟକ୍ଷମ,ଧାନ କ୍ରୟ ସମୟରେ କରା ଯାଉଥିବା କଟନୀ ଛଟନୀ ବନ୍ଦ, ସମସ୍ତ ଚାଷୀଙ୍କୁ ବସ୍ତା ଓ ସୁତୁଲି ବାବଦ ପଇସା ପରିବହନ ଖର୍ଚ୍ଚ ପ୍ରଦାନ, ପ୍ରତ୍ୟେକ ମଣ୍ଡିରେ ଭିଭିଭୂମି ପାଇଁ ଆବଶ୍ୟକ ପାଣ୍ଠି ଯୋଗାଣ, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରୁ ବଂଚିିତ ହୋଇଥିବା ଚାଷୀଙ୍କ ତାଲିକା ତୁରନ୍ତ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା,୧୦ ଏକରରୁ ଅଧୁକ ଜମି ଥିବା ଚାଷୀଙ୍କୁ ଟୋକନ୍ ପ୍ରଦାନ କରି ତାଙ୍କ ଧାନକୁ କିଣିବା ପାଇଁ ବ୍ୟବସ୍ଥା କରିବା, ଧାନ କିଣା ପ୍ରକ୍ରିୟାକୁ ସରଳୀକରଣ କରାଯାଉ ବୋଲି ମଧ୍ୟ ବିଜେପି ପକ୍ଷରୁ ଦାବି କରାଯାଇଛି । ଏହି ଅବସରରେ ବରଗଡ ସାସଂଦ ପ୍ରତିନିଧି ରଘୁ ନନ୍ଦନ ପଣ୍ଡା,ବାଞ୍ଛାନିଧି ସାହୁ, ଚକାନନ ସା, କୁନ୍ଦନ ସିଂହଦେଓ, ବଲବିନ୍ଦର ସିଂ, ବିଶାଲ ପତି ଏବଂ ଜିଲ୍ଲା ବିଜେପିର ଶତାଧିକ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।