ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୪ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ଦିନ ପ୍ରାୟ ୨୮୪ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ତଥା ଆଗଧାଡ଼ିର କୋଭିଡ୍ ଯୋଦ୍ଧା ମାନଙ୍କୁ କୋଭିଡ୍ ଟୀକା ପ୍ରଦାନ କରାଯାଇଛି ।
ଜିଲ୍ଲାର ଗୋଷାଣୀ ବ୍ଲକ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ କାଶୀନଗର , ରା:-ଉଦୟଗିରି ଓ ବି:-ଖଜୁରିପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ପ୍ରାୟ ୨୮୪ ଜଣଙ୍କୁ ଏହି କୋଭିଡ୍ ଟୀକା ପ୍ରଦାନ କରାଯାଇଛି।
ମୁଖ୍ୟତଃ ଯେଉଁ ସ୍ବାସ୍ଥ୍ୟକର୍ମୀ ଓ କର୍ମଚାରୀ କୋଭିଡ୍ ଯୋଦ୍ଧାମାନେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମରେ କୌଣସି କାରଣ ବଶତଃ ଟୀକା ନେଇ ପାରି ନ ଥିଲେ , ସେମାନେ ଏହି କୋଭିଡ୍ ଟୀକା ନେବାକୁ ଅତ୍ୟନ୍ତ ଆଗ୍ରହର ସହ ଆସି କେନ୍ଦ୍ରରେ କୋଭିଡ୍ ଟିକା ନେଇଥିଲେ । ହିତାଧିକାରୀ ମାନେ ଟୀକା ନେବା ପରେ ସେମାନଙ୍କୁ ନିରୀକ୍ଷଣ କକ୍ଷଠାରେ ୩୦ ମିନିଟ ପର୍ଯ୍ୟନ୍ତ ବସିବାକୁ କୁହା ଯିବା ସହ କୌଣସି ପାଶ୍ୱପ୍ରତିକ୍ରିୟା ଦେଖା ଦେଲେ ତୁରନ୍ତ ଜଣାଇବା ପାଇଁ କୁହାଯାଇଥିଲା । ତେବେ କାହା ଠାରେ ହେଲେ ଟୀକା ନେବା ପରେ ପାଶ୍ୱପ୍ରତିକ୍ରିୟା ଦେଖାଯାଇ ନ ଥିବା ଜଣାଯାଇଛି ।
ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି କୋଭିଡ୍ ଟୀକା ନେବା ପରେ ୩ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ତଥା ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ପ୍ରମୋଦ କୁମାର ନାୟକ , ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ବି: ଜଗଦମ୍ବା ଏବଂ ସ୍ୱାସ୍ଥ୍ୟ ସୁପରଭାଇଜର ଶ୍ରୀ ଶରତ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସେମାନଙ୍କ ପ୍ରତିକ୍ରିୟାରେ ସେମାନେ କହିଛନ୍ତି ଯେ , ଏହି କୋଭିଡ ଟୀକା ନେବା ପରେ ମୁଁ ବର୍ତ୍ତମାନ ନିରୀକ୍ଷଣ କକ୍ଷରେ ବସିଛି ।କୌଣସି ପାର୍ଶ୍ଵ-ପ୍ରତିକ୍ରିୟା ଅନୁଭବ କରୁନାହୁଁ । ମୁଁ ବର୍ତ୍ତମାନ ପୂର୍ବଭଳି ସୁସ୍ଥ ଅଛି । ଏହି କୋଭିଡ୍ ଟୀକା ସମସ୍ତେ ନିଅନ୍ତୁ , କରୋନାରୁ ନିଜେ ସୁସ୍ଥ ରହିବା ସହ ସମାଜକୁ କରୋନା ମୁକ୍ତ କରାଇବାରେ ସହୟକ ହୁଅନ୍ତୁ ବୋଲି କହିଛନ୍ତି ।
ଡାଃ ପତିତପାବନ ବାରିକ ଓ ବିପିଏମ ଶ୍ରୀ ଏମ:-ଖଗେଶ୍ବର ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ ହୋଇଥିଲା ।