-
ପ୍ରକଳ୍ପ ପାଇଁ ୧୯,୪୨୨ କୋଟି ଟଙ୍କାର ବ୍ୟୟ ଅଟକଳ ।୧୪୪୭.୧୪ ଏକର ଜମି ମଞ୍ଜୁର ।
-
ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଓ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ବ ଦେବାକୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଏନ ଏଲ ସି ତଲାବିରା ଥର୍ମାଲ ପାୱାର ପ୍ଲାଣ୍ଟର ପ୍ରଥମ ପୁନର୍ବାସ ଓ ପାରିପାର୍ଶ୍ବିକ ଉନ୍ନୟନ ଉପଦେଷ୍ଟା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ,ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେଵ, ରେଙ୍ଗାଲି ବିଧାୟକ ନାଉରି ନାୟକ ପ୍ରଭୃତି ଲୋକପ୍ରତିନିଧି ଓ ଉତ୍ତରାଞ୍ଚଳ ଆଇ ଜି ନରସିଂହ ଭୋଳ,ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ,ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା,ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ, ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ବି. ଗଙ୍ଗାଧର,ଝାରସୁଗୁଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲଷ୍ମୀନାରାୟଣ ପଟେଲ ,ଏନଏଲସି ଇଣ୍ଡିଆ ପ୍ରକଳ୍ପ ମୁଖ୍ୟ ଓ ନିର୍ଦ୍ଦେଶକ,ଜିଲ୍ଲା ସ୍ତରୀୟ ଅଧିକାରୀ ଓ ପ୍ରକଳ୍ପ ପ୍ରଭାବିତ ଅଂଚଳର ପ୍ରତିନିଧି ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
ସୂଚନାନୁସାରେ, ପ୍ରକଳ୍ପ ପାଇଁ ୧୯,୪୨୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୧୪୪୭.୧୪ ଏକର ଜମି ମଞ୍ଜୁର ହୋଇଛି। ଏହି ଜମି ମଧ୍ୟରେ ଝାରସୁଗୁଡା ଜିଲ୍ଲାର ହିର୍ମା,କୁମ୍ଭାରି,ତରେଇକେଲା,ତୁମ୍ବକେଲା,ଲୁହୁରେଙ୍କାଛର ଗ୍ରାମ ଅନ୍ତର୍ଭୁକ୍ତ । ଝାରସୁଗୁଡ଼ା ଜିଲ୍ଲାପାଳ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରକଳ୍ପ ସମ୍ପର୍କିତ ସମସ୍ତ ବିବରଣୀ ଉପସ୍ଥାପନ କରିଥିଲେ । ପ୍ରକଳ୍ପ ପ୍ରଭାବିତ ଅଂଚଳରେ ଗ୍ରାମବାସୀ ଯେପରି ନିୟମ ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ପାଇବେ ସେଥିପ୍ରତି ଯତ୍ନବାନ ହେବାକୁ ଓ ଯଥା ସମ୍ଭବ ପ୍ରଦୂଷଣ ମାତ୍ରା କମ କରିବା ଦିଗ ପ୍ରତି ଦୃଷ୍ଟି ଦେବାକୁ ଅଧ୍ୟକ୍ଷ ତଥା ଉତ୍ତାରାଞ୍ଚଳ ରାଜସ୍ବ ଆୟୁକ୍ତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି। ସେହିପରି ନିୟମ ଅନୁଯାୟୀ ଯେପରି ସମସ୍ତଙ୍କୁ କ୍ଷତିପୂରଣ ମିଳିବ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ପ୍ରଭାବିତ ଅଂଚଳରେ ଯେପରି ଜନସାଧାରଣଙ୍କ ଜୀବନ ଜୀବିକା ସୁରକ୍ଷିତ ରହିବ ଓ ସ୍ଥାନୀୟ ନିଯୁକ୍ତି ପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ମନ୍ତ୍ରୀ,ସାଂସଦ ଓ ବିଧାୟକ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।