ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବୌଦ୍ଧ ଏନ୍.ଏ.ସି.ବାସୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିର୍ମିତ ହେବ ବହୁପ୍ରତୀକ୍ଷିତ ବୌଦ୍ଧ ଜିଲ୍ଲାର ମର୍ଜାକୁଦ ସେତୁ

08-06-18-baudha-nac-ra-13-0.jpg - 74.55 kB

ଭୁବନେଶ୍ୱର : ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ମର୍ଜାକୁଦର ଦୁଇଟି ଓ୍ୱାର୍ଡକୁ ଗମନାଗମନ ସୁବିଧା ପାଇଁ ସେତୁ ନିର୍ମାଣର ପ୍ରକ୍ରିୟା  ଆରମ୍ଭ ହୋଇଥିବା  ବୌଦ୍ଧବାସୀଙ୍କ ପାଇଁ ଏକ ଖୁସିର ବିଷୟ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିବାସୀମାନେ ତାଙ୍କର ଏହି ବଳିଷ୍ଠ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି । ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁଙ୍କ ସମେତ ସେହି ଅଞ୍ଚଳର କାଉନସିଲର ଓ ବୁଦ୍ଧିଜୀବୀମାନଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିନିଧି ଦଳରେ କାଉନସିଲର ଲତା ସେଠୀ, ଅମ୍ବିକା ବିଶ୍ୱାଳ, କାଦମ୍ବିନୀ ତରିଆ, ମହାଦେବ ବେହେରା, ଲଳିତ ମେହେର, ତପନ ରାଉତରାୟ, ଆଡ଼ଭୋକେଟ ପୃଥ୍ୱୀରାଜ ମେହେର, ସାଂସଦଙ୍କ ପ୍ରତିନିଧି  ବସନ୍ତ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଏହି ସେତୁର ନାମକରଣ କରାଯିବାକୁ ଏହି ପ୍ରତିନିଧିମଣ୍ଡଳୀ ପ୍ରସ୍ତାବ ଦେଇଥିଲେ । 

ଉଲ୍ଲେଖଯୋଗ୍ୟ ଯେ, ବାଚସ୍ପତି ପ୍ରଦିପ କୁମାର ଅମାତଙ୍କ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଏହି ଦୁଇଟି ଓ୍ୱାର୍ଡର ଗମନାଗମନ ସମସ୍ୟା ଦୀର୍ଘ ଦିନରୁ ରହିଆସିଛି । ଏକ ଦ୍ୱୀପାଞ୍ଚଳ ଭାବରେ ରହି ମର୍ଜାକୁଦ ଦୀର୍ଘ ବର୍ଷ ଧରି ବୌଦ୍ଧ ସହରାଞ୍ଚଳରୁ ଏକ ରକମ ବିଚ୍ଛିନ୍ନ ରହିଥିଲା ଓ ପରିବହନ ତଥା ଗମନାଗମନ କ୍ଷେତ୍ରରେ ଡଙ୍ଗା ବ୍ୟତୀତ ମର୍ଜାକୁଦବାସୀଙ୍କ ପାଇଁ କୌଣସି ବିକଳ୍ପ ନଥିଲା । ମର୍ଜାକୁଦବାସୀଙ୍କ ଦୀର୍ଘ ଦିନର ଏହି ଦାବୀ ପୂରଣ କ୍ରମେ ସେତୁ ନିର୍ମାଣ ମଞ୍ଜୁରି ମିଳିଥିବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଡିଫିବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । 

ପ୍ରସ୍ତାବିତ ମର୍ଜାକୁଦ ସେତୁର ଦୈର୍ଘ୍ୟ ହେବ ୯୧୦ ମିଟର ଓ ଏହାର ନିର୍ମାଣ ପାଇଁ ପ୍ରାୟ ୪୫ କୋଟି ଟଙ୍କା ବ୍ୟୟ କରାଯିବ । ଆସନ୍ତା ୨ ବର୍ଷ ମଧ୍ୟରେ ସେତୁ ନିର୍ମାଣ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଏହି ସେତୁ ନିର୍ମାଣ ହେବା ଫଳରେ ସେଠାରେ ଥିବା ୫ରୁ ୮ ହଜାର ଜନସାଧାରଣ ଉପକୃତ ହେବେ । ସେତୁର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଅନୁରୋଧ ଜଣାଇଥିଲେ । 

0
0
0
s2sdefault