ମାଲକାନଗିରି - (ବି ଶ୍ରୀନିବାସ ପାତ୍ର) ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଥାନା ନିକଟସ୍ଥ କୋଇମେଟଲା ପଞ୍ଚାୟତର ମାରନପାଲ୍ଲୀ ଗ୍ରାମରେ ଜୁଆଖେଳ ଚାଲିଥିବା ସମୟରେ ଏସଡିପିଅଙ୍କୁ ଲୋକମାନେ ଆକ୍ରମଣ କରି ଆହାତ କରିଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ,ଦୀର୍ଘ ୩ ଦିନ ହେଲା କାଲିମେଳା ଥାନା ଅନ୍ତର୍ଗତ କୋଇମେଟଲା ପଞ୍ଚାୟତର ମାରନପଲ୍ଲୀ ଗ୍ରାମ ନିକଟସ୍ଥ ଏକ ପଡିଆରେ ମକର ସଂକ୍ରାନ୍ତି ଉପଲକ୍ଷେ କୋୟା ଆଦିବାସୀ ସଂପ୍ରଦାୟର ଲୋକମାନେ ମକରମେଳା ପାଳନ କରୁଥିବା ବେଳେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ପାଳନ କରି ଆସୁଥିଲେ । ମକର ମେଳା ସପ୍ତାହ ବ୍ଯାପି ଚାଲିଥାଏ । ଆଖ ପାଖର ଲୋକମାନେ ମେଳା ଦିଖିବାକୁ ଆସିନ୍ତି । ଅସ୍ଥାୟୀ ଦୋକାନରୁ ବିଭିନ୍ନ ସାମଗ୍ରୀ କ୍ରୟ କରିବା ସହ ପାଟି ସୁଆଦିଆ ଖାଦ୍ଯ ଖାଇ ମନ ରଞ୍ଜନ କରନ୍ତି । ମେଳାରେ ବିଶେଷ ଆକର୍ଷଣ ଭାବେ କୋୟାମାନଙ୍କ ପାରମ୍ପାରିକ ନାଚ ଗୀତ ଚାଲେ । ତା ସହ କୁକୁଡା ଗାଲି, ଖୁଡୁଖୁଡି ସାଙ୍ଗକୁ ମହୁଲୀ ପାନୀୟ ମଧ୍ଯ ବିକ୍ରିବଟା ଚାଲେ । ଏହା କୋୟାମାନଙ୍କର ଏକ ପରମ୍ପରା ଭାବେ ବର୍ଷ ବର୍ଷ ଚାଲି ଆସୁଛି । ଏଥି ପାଇଁ ସ୍ଥାନୀୟ ଥାନାବାବୁଙ୍କ ସହିତ ଭିତିରିଆ ବୁଝାମଣା ଗାଁ କମିଟି କରିଥାଏ ।
ଗତ କାଲି ସୋମବାର ଦିନ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ମାରନପାଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସେହି ଗ୍ରାମରେ ଏକ ଜୁଆ ଖେଳ (ଖୁଡ଼ଖୁଡି) ଚାଲିବା ସମୟରେ ଏସଡିପିଓ ଅଭିଳାଷ ଜି ଙ୍କ ସହ ଏକ ପୋଲିସ ଦଳ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ । ଫଳରେ ପୋଲିସ ର ଅତର୍କିତ ଚଢାଉକୁ ଲୋକମାନେ ସହଜରେ ଗ୍ରହଣ କରି ପାରି ନଥିଲେ । ଲୋକମାନେ ପୋଲିସ ଉପରକୁ ଟେକା ପଥର ଫୋପାଡି ଆକ୍ରମଣ କରିଥିଲେ । ଫଳରେ ଏସଡିପିଓ ପଥର ମାଡରେ ଆହାତ ହୋଇଥିବା ବେଳେ ଏହି କାର୍ଯ୍ଯରେ ସଂଶ୍ଲିଷ୍ଠ ଥିବା ବ୍ଯକ୍ତିମାନଙ୍କୁ ପୋଲିସ ଠାବ କରି କାଲିମେଳା ଥାନାରେ ଅଟକ ରଖି ତଦନ୍ତ ଜାରୀ ରଖିଛି । ଧୀରେ ଧୀରେ ଅସ୍ଥାୟୀ ଦୋକାନଗୁଡିକ ଉଠାଇ ଯିଏ ଯାହା ପଥ ଆବୋରିଥିବା ବେଳେ ପୋଲିସର ଗିରଫ ଭୟରେ ଗ୍ରାମରେ ପୁରୁଷ ଶୂନ୍ଯ ହେବାର ସୂଚନା ମିଳୁଛି । ତେବେ ପୋଲିସ କେତେ ଜଣଙ୍କୁ ଆଣି ଅଟକ ରଖିଛି ଅଦ୍ଯବଧି ପ୍ରକାଶ କରି ନାହିଁ ।
ପ୍ରକାଶ ଥାଉକି ମାଲକାନଗିରିର ବିଭିନ୍ନ ଆଦିବାସୀ ଅଞ୍ଚଳରେ ମକର ପର୍ବ ପାଳନ କରାଯାଉଥିବା ବେଳେ ମକର ମେଳନରେ କୁକୁଡା ଗାଲି ଏବଂ ଖୁଡୁଖୁଡି ଖେଳ ଚାଲିଥାଏ । ଏହା ଏକ ପ୍ରକାର ଜୁଆ ଖେଳ କହିଲେ ଚଳେ । ଏଥି ପାଇଁ ପରମ୍ପରା ଅନୁଯାୟୀ ସାଧାରଣତଃ ଗାଁ କମିଟି ସ୍ଥାନୀୟ ଥାନ ସହ କଥାବାର୍ତା ହୋଇ କୁକୁଡା ଗାଲି ମାଲକାନଗିରି ଜିଲ୍ଲାରେ ଦୀର୍ଘ ବର୍ଷ ବର୍ଷ ଧରି ଚାଲି ଆସିଛି ।