-
"କୋଭିଡି କାମ ଶେଷ, ଚାକିରୀ ବି ଶେଷ : ପୁନଃନିଯୁକ୍ତି ହେବାର ଯୋଜନା ନାହିଁ"
-
-ଅକାରଣରେ ବସିଛନ୍ତି କୋଭିଡ ବେଳେ କାମ କରିଥିବା ଅସ୍ଥାୟୀ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମୀ"
-
-ଅସ୍ଥାୟୀ ଏଏନ୍ଏମ୍ ଓ ସ୍ୱାସ୍ଥ୍ୟକର୍ମୀମାନେ ଧାରଣାରୁ କ୍ଷାନ୍ତ ରୁହନ୍ତୁ"
-
-ବେଆଇନ ଅର୍ଥ ଆଦାୟକାରୀଙ୍କ ପ୍ରତି ସଚେତନ ରହିବା ଉଚିତ୍ ।
ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ-୧୯ର ମୁକାବିଲା ନିମନ୍ତେ ଯେଉଁ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମୀମାନେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିଲେ ଏବଂ ପୁନଃ ନିଯୁକ୍ତି ଦାବିରେ ଧାରଣା ଦେଇଅଛନ୍ତି | ପ୍ରତ୍ୟେକ ଜିଲ୍ଲାରେ ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି | ଜିଲ୍ଲା ପ୍ରଶାସନ ଆଉ ସିଡିଏମଓ ମାନେ ଏହାକୁ ନେଇ ଆକ୍ରୋସର ଶିକାର ହୋଇଆସିଛନ୍ତି | ଏବେ ଜିଲ୍ଲା ସ୍ତରରୁ ଆସି ଧାରଣା ରାଜଧାନୀରେ | କିଛି ଅସାଧୁ ବ୍ୟକ୍ତି ବିଶେଷ, ଏହି ଧାରଣାରତ ଏଏନଏମ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପୁନଃ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିବା ବେଳେ କିଛି ଲୋକଙ୍କୁ ପୋଲିସ ବି ଗିରଫ କରିଛି | ତେଣୁ ଏ ବିବାଦ ଓ ଦ୍ଵନ୍ଦ୍ୱାତ୍ମକ ସ୍ଥିତିରେ ପୂର୍ଣ୍ଣଛେଦ ପକାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଛି ସ୍ପଷ୍ଟୀକରଣ | ପଦିଏ କଥାରେ ସ୍ପଷ୍ଟ କରିଦେଇଛି ଧାରଣାରତ ଅସ୍ଥାୟୀ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ |
ଆଜି ଏକ ସ୍ପଷ୍ଟୀକରଣରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି ଯେ, "କୋଭିଡ-୧୯ର ମୁକାବିଲା ନିମନ୍ତେ ଯେଉଁ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମୀମାନେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିଲେ ଏବଂ ପୁନଃ ନିଯୁକ୍ତି ଦାବିରେଧାରଣା ଦେଇଅଛନ୍ତି, ସେମାନେ ସମ୍ପୂର୍ଣ୍ଣ ରୂପେ ଅବଗତ ଥିଲେ ଯେ, ଏହି ନିଯୁକ୍ତି କେବଳ କୋଭିଡ-୧୯ ର ମୁକାବିଲା ନିମନ୍ତେ ଦିଆଯାଇଥିଲା ଏବଂ ତାହା ସମ୍ପୂର୍ଣ୍ଣ ଭାବେ ଅସ୍ଥାୟୀ ଥିଲା । ଏହା ଜାଣି ସୁଦ୍ଧା ଅକାରଣରେ ସେମାନେ ବିଗତ କିଛି ଦିନ ଧରି ଧାରଣାରେ ବସିଛନ୍ତି । ଏହା ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନଜରକୁ ଆସିଛି ଯେ, କିଛି ଅସାଧୁ ବ୍ୟକ୍ତି ବିଶେଷ, ଏହି ଧାରଣାରତ ଏଏନଏମ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପୁନଃ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଅର୍ଥ ଆଦାୟ କରୁଛନ୍ତି । ଏହାମଧ୍ୟ ଜଣାଇ ଦିଆଯାଉଅଛି ଯେ, ଏହିପରି ଅର୍ଥ ଆଦାୟ କରୁଥିବା ତିନିଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛନ୍ତି । କୌଣସି ପରିସ୍ଥିତିରେ ଏଭଳି ପୂର୍ବରୁ କୋଭିଡ-୧୯ ର ମୁକାବିଲା ନିମନ୍ତେ ଅସ୍ଥାୟୀ ଭାବେ ନିଯୁକ୍ତି କରାଯାଇଥିବା ଏଏନଏମ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପୁନଃ ନିଯୁକ୍ତି ଦେବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୋଜନା ନାହିଁ । ଏଣୁ ଧାରଣାରତ ସମସ୍ତ ଏଏନଏମ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିବେଦନ ଯେ, ସେମାନେ ଏଭଳି ଅର୍ଥ ଆଦାୟ କରୁଥିବା ବ୍ୟକ୍ତିମାନଙ୍କ ଚକ୍ରାନ୍ତର ଶିକାର ନହୋଇ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ଧାରଣରୁ କ୍ଷାନ୍ତ ହୁଅନ୍ତୁ" ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି |