ବାରିପଦା(ଦିଲ୍ଲୀପ ମହାନ୍ତି) -ମୟୂରଭଞ୍ଜ ଓଡ଼ିଶାର ସବୁଠାରୁ ବଡ ଆଦିବାସୀ ବହୁଳ ଜିଲ୍ଲା। ମହାମାରୀ କରୋନା କଟକଣା ଯୋଗୁଁ ସମସ୍ତ ଛାତ୍ରଛାତ୍ରୀମାନେ ନିଜନିଜ ଗ୍ରାମରେ ରହୁଛନ୍ତି । ଦ୍ୱିତୀୟ ଥର +୩ ନାମଲେଖା ନିମନ୍ତେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଯେଉଁ ସୁଯୋଗ ଦେଲେ ତାହା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଜାଣି ପାରିଲେ ନାହିଁ । ତେଣୁ ଦ୍ୱିତୀୟ ଥର ନାମଲେଖା ପରେ ମହାବିଦ୍ୟାଳୟ ସ୍ତରୀୟ ସ୍ପଟ ଆଡମିସନ ସୁଯୋଗ ଦେବାର ଆବଶ୍ୟକତା ଅଛି । ତେଣୁ ରାଜ୍ୟ ସରକାର ୧୫ ଦିନ ପାଇଁ ମହାବିଦ୍ୟାଳୟ ସ୍ତରୀୟ ଅଫ୍ ଲାଇନ ସ୍ପଟ ଆଡମିସନର ସୁଯୋଗ ଦିଅନ୍ତୁ ଯେଉଁଥିରେ ମହାବିଦ୍ୟାଳୟମାନେ ଖାଲିଥିବାସ୍ଥାନରେ ଛାତ୍ରଛାତ୍ରୀମାନଙ୍କ ଚୟନ କରି ଇ-ସ୍ପେସରେ ତଥ୍ୟ ଅପଲୋଡ କରିବେ ଏବଂ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପଇସା ଦାଖଲ କରି ଆଡମିସନ ନେବେ, ତାହା ହେଲେ ପାଠ ପଢିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ପାଠ ପଢିବାର ସୁଯୋଗ ପାଇପାରିବେ ଏବଂ ମହାବିଦ୍ୟାଳୟମାନଙ୍କର ଖାଲି ସିଟ୍ ପୂରଣ ହୋଇ ପାରିବ ବୋଲି ରାଜ୍ୟ ସରକାରଙ୍କର ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ ମତ ପ୍ରକାଶ କରିଛନ୍ତି । ଦ୍ୱିତୀୟ ଥର ଆଡମିସନ ନିମନ୍ତେ କୌଣସି ବିଜ୍ଞାପନ ଖବର କାଗଜରେ ପ୍ରକାଶିତ ହୋଇ ନ ଥିଲା ଏବଂ ପ୍ରଥମ ଥର ସ୍ପଟ ଆଡମିସନର ବ୍ୟବସ୍ଥା ଠିକ୍ ନ ଥିବାରୁ କିଛି ଛାତ୍ରଛାତ୍ରୀ ଏକାଧିକ ମହାବିଦ୍ୟାଳୟରେ ଚୟନ ହୋଇପାରିଥିବା ବେଳେ କିଛି ଛାତ୍ରଛାତ୍ରୀ ନିର୍ଦ୍ଧିଷ୍ଟ ସମ୍ମାନରେ ନିର୍ଦ୍ଧିଷ୍ଟ ମହାବିଦ୍ୟାଳୟରେ ଆବେଦନ ମଧ୍ୟ କରି ପାରି ନ ଥିଲେ । ରାଜ୍ୟ ସରକାର ମହାବିଦ୍ୟାଳୟ ସ୍ତରୀୟ ଅଫ୍ ଲାଇନ ସ୍ପଟ ଆଡମିସନ ପାଇଁ ସୁଯୋଗ ଦେଉଥିବା ବେଳେ ଅଧିକ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ମାନଙ୍କରେ ଆଡମିସନ ନେଉଥିଲେ । କିନ୍ତୁ ରାଜ୍ୟ ସରକାର ସେଣ୍ଟ୍ରାଲାଇଜଡ କରିବା ଫଳରେ ମହାବିଦ୍ୟାଳୟ ମାନଙ୍କରେ ସିଟ୍ ଫାଙ୍କା ରହୁଛି । ସେହିପରି ପି.ଜି. ଆଡମିସନରେ ମଧ୍ୟ ସମାନ ବ୍ୟବସ୍ଥା ଦେଖିବାକୁ ମିଳୁଛି । ବିଶ୍ୱବିଦ୍ୟାଳୟରେ ମଧ୍ୟ ସିଟ୍ ଖାଲି ପଡିଛି । ତେଣୁ ରାଜ୍ୟ ସରକାର +୩ ଏବଂ ପି.ଜି. ଅଫ୍ ଲାଇନ ସ୍ପଟ ଆଡମିସନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ କରାଇବାକୁ ପୂର୍ବତନ ରାଜ୍ୟସଭା ସାଂସଦ ଓ ପୂର୍ବତନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ ଦାବୀ କରିଛନ୍ତି । ବ୍ୟବସ୍ଥାର ସରଳି କରଣ କରାଯିବା ସହିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଅଧିକ ସୁଯୋଗ ଦେବାକୁ ଶ୍ରୀମତୀ ହେମ୍ବ୍ରମ ମତ ପ୍ରକାଶ କରିଛନ୍ତି । ସେହିପରି ଦ୍ୱିତୀୟ ବର୍ଷ ମହାବିଦ୍ୟାଳୟରୁ ମହାବିଦ୍ୟାଳୟକୁ ବଦଳୀ ଆବଶ୍ୟକତା ମଧ୍ୟ ରହିଛି । ତେଣୁ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ଶାସନ ସଚିବ ସେଥି ପ୍ରତି ଦୃଷ୍ଟି ଦେବାକୁ ଶ୍ରୀମତୀ ହେମ୍ବ୍ରମ ଅନୁରୋଧ କରିଛନ୍ତି ।