ଘଟଣା ସ୍ଥଳରେ ପହଂଚି ଛାନଭିନ କଲେ ଡିଆଇଜି ଓ ଏସପି
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୋଗେନ୍ଦ୍ରନାଥ ପୁର ଗ୍ରାମର ରାଜେନ୍ଦ୍ର ପାଣ୍ଡେଙ୍କର ନଅ ବର୍ଷର ଝିଅ ଗତ କାଲି ସନ୍ଧ୍ୟା ସମୟରୁ ନିଖୋଜ ଥିଲା । ଗତ ରାତିରେ ଏହି ସୂଚନା ପାଇକମାଲ ଥାନାରେ ପହଂଚିବା ପରେ ପୋଲିସ ଓ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଆଜି ସକାଳେ ଗ୍ରାମବାସୀମାନେ ଗୋଟେ କୁନି ଝିଅର ମୃତଦେହ ପଡିଥିବାର ଦେଖିଥିଲେ । ମୃତଦେହଟି ରାଜେନ୍ଦ୍ରଙ୍କ ଝିଅର ବୋଲି ଜଣା ପଡିଥିଲା । ମୃତଦେହ ମିଳିବାର ଖବର ପାଇ ସମ୍ବଲପୁର ଡିଆଇଜି ଶ୍ରୀ ନରସିଂହ ଭୋଳ , ବରଗଡ଼ ଏସପି ପଦ୍ମିନୀ ସାହୁ, ଅତିରିକ୍ତ ଏସପି ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର , ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ , ସାଇଣ୍ଟିଫିକ ଦଳ , ଓ ଅନୁସନ୍ଧାନି କୁକୁର ସହିତ ଘଟଣା ସ୍ଥଳକୁ ପହଞ୍ଚିଥିଲେ । ମୃତଦେହ ଦେଖିଲେ ଛୁଆଟିକୁ ହତ୍ୟା କରାଯାଇଥିବା ଜଣାପଡୁଛି । ପୋଲିସ ଅଧିକାରୀମାନେ ଘଟଣା ସ୍ଥଳର ମୁଆଇନା କରିବା ସହିତ ରାଜେନ୍ଦ୍ର ଓ ତାର ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି ।ଅନ୍ୟପଟେ ନିକଟସ୍ଥ ରତିପୁର ଗ୍ରାମର ଜଣେ ଯୁବକ ସହ ରାଜେନ୍ଦ୍ରଙ୍କର ଗତ ଦୁଇ ବର୍ଷ ତଳେ ଝଗଡା ହୋଇଥିବା ବେଳେ ଏହି ଘଟଣାରେ ଉକ୍ତ ଯୁବକର ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରୁଥିବା ରାଜେନ୍ଦ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଚନା ଦେଇଛନ୍ତି | ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବା କାରଣରୁ ପୁଙ୍ଖାନୁପୁଙ୍ଖ ଭାବରେ ଏହାର ତଦନ୍ତ କରାଯାଇ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବା ନିହାତି ଆବଶ୍ୟକ ରହିଛି । ଅନ୍ୟପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ,ଓ ସାଇନଟିଫିକ ଟିମର ରିପୋର୍ଟ ଆସିଲା ପରେ ବହୁତ କିଛି ସ୍ପଷ୍ଟ ହେବ ବୋଲି ଜଣା ପଡୁଛି । ଏସପି ପଦ୍ମିନୀ ସାହୁଙ୍କର ପ୍ରତକ୍ଷ ତତ୍ୱବାଧାନରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ପାଇକମାଲ ଥାନାରେ କେଶ ନମ୍ଭର 7/2021 ଧାରା 302 ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବା ବେଳେ ହତ୍ୟା ପଛରେ କାରଣ ଖୋଜିବା ପାଇଁ ପୁରା ଦମ ଲଗାଇ ଦେଇଛି ପୋଲିସ |