ସମ୍ବଲପୁର/ରମାକାନ୍ତ ବିଶ୍ବାଳ - ସମ୍ବଲପୁର ଠାରେ ଥିବା ଆଇଆଇଏମର ବହୁପ୍ରତିକ୍ଷିତ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ଜାନୁଆରୀ ୨ ତାରିଖରେ ହେବ । ଏନେଇ ସୁଚନା ଦେଇଛନ୍ତି ଆଇଆଇଏମ ସମ୍ବଲପୁର ର ନିର୍ଦ୍ଦେଶକ ପ୍ରଫେସର ମହାଦେବ ପ୍ରସାଦ ଜଏସୁଆଲ ।
ଶିଳାନ୍ୟାସ କାର୍ଯ୍ୟକ୍ରମଟି ଭରଚୁଆଲ ମୋଡ଼ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ତାରିଖ ଦିନ 11 ଟା ସମୟରେ ଏହାର ଶିଳାନ୍ୟାସ କରିବେ ବୋଲି ଆଇଆଇଏମ ସମ୍ବଲପୁର ପକ୍ଷରୁ ସୂଚାନା ଦିଆଯାଇଛି । ଏହି ଭର୍ଚୁଆଲ ମୋଡ଼ ଶିଳାନ୍ୟାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେସି ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ପ୍ରମୁଖ ସାମିଲ ହେବେ । ସମ୍ବଲପୁର ସାଂସଦ, ବିଧାୟକ ଏହି ଅବସରରେ ଉପସ୍ଥିତ ରହିବା ସହିତ 5000 ରୁ ଅଧିକ ନିମନ୍ତ୍ରିତ ଅତିଥି ଅନଲାଇନ ରେ ଉପସ୍ଥିତ ରହିବେ ।
ସମ୍ବଲପୁର ସହର ଉପକଣ୍ଠସ୍ଥ ବସନ୍ତପୁର ଠାରେ ଆଇଆଇଏମ କ୍ୟାମ୍ପସ ପାଇଁ ମୋଟ 401.97 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଓ ଏହି କ୍ୟାମ୍ପସ ଆସନ୍ତା 2022 ଅପ୍ରେଲ ମଧ୍ୟରେ ଶେଷ ହେବାର ଲକ୍ଷ ରହିଛି । ଆଇଆଇଏମ କ୍ୟାମ୍ପସ ପାଇଁ ରାଜ୍ୟ ସରକାର ଦୁଇ ଶହ ଏକର ଜମି ଯୋଗାଇ ଦେଇଥିବା ସମ୍ବଲପୁର ଆଇଆଇଏମ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସମ୍ବଲପୁର ରେ ଆଇଆଇଏମ ପ୍ରତିଷ୍ଠା ଦିନ ଠାରୁ ଏହା ବୁର୍ଲା ଜ୍ୟୋତି ବିହାର ୟୁନିଭରସିଟି ସ୍ଥିତ ଏକ ଅସ୍ଥାୟୀ କ୍ୟାମ୍ପସ ରେ ଚାଲୁଛି । ନିଜସ୍ୱ କ୍ୟାମ୍ପସ ହେଲେ ଅଧିକ ଗବେଷଣା ଭିତିକ ଶିକ୍ଷା ପ୍ରଦାନ ଉପରେ ଫୋକସ କରାଯିବ ବୋଲି ସମ୍ବଲପୁର ଆଇଆଇଏମ ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।