ପ୍ରଥମ ୫ ଦିନ ସମ୍ବଲପୁରବାସୀଙ୍କୁ ଦର୍ଶନ ସୁଯୋଗ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ) :ମାଁ ସମଲେଶ୍ବରୀଙ୍କ ମନ୍ଦିର ଦୀର୍ଘ ୮ ମାସ ପରେ ଆସନ୍ତା ଜାନୁଆରୀ ୩ ତାରିଖରେ ଖୋଲିବ । କେIଭିଡ କଟକଣା ମଧ୍ୟରେ ମନ୍ଦିରରେ ମାଁଙ୍କ ଦର୍ଶନ ପାଇଁ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସରକାରଙ୍କୁ ଏସଓପିରେ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି । ମନ୍ଦିର ଖୋଲିବାର ପ୍ରଥମ ୫ ଦିନ ଅର୍ଥାତ ୭ ତାରିଖ ଯାଏ ପରିଚୟ ପତ୍ର ସହ ସମ୍ବଲପୁରବାସୀ ଏବଂ ସମ୍ବଲପୁରରେ ରହୁଥିବା କର୍ମଜୀବି ଦର୍ଶନ କରିପାରିବେ । ଏହାପରେ ୮ ତାରିଖରୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନେ ମାଁଙ୍କ ଦର୍ଶନ କରିପାରିବେ ବୋଲି ଏସଓପିରେ ଉଲ୍ଲେଖ କରାଯାଇଥିବା ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବୟସ୍କ ବ୍ୟକ୍ତି ଏବଂ ୧୦ ବର୍ଷ ବୟସରୁ କମ ଶିଶୁମାନଙ୍କୁ ମନ୍ଦିରକୁ ନଆଣିବାକୁ ଅନୁରୋଧ କରାଯାଇଛି । ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତଙ୍କ ଥର୍ମାଲ , ହାତ ସାନିଟାଇଜେସନ କରିବା ସହ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ବାରୋପ କରାଯାଇଛି । ମନ୍ଦିରର ପୂଜକ ମାନଙ୍କ ସକାଶେ ମଧ୍ୟ ମାସ୍କ ବାଧ୍ୟତାମୂଳକ । ଗମ୍ଭୀରା ଭିତରେ ଏକସମୟରେ ଦୁଇଜଣ ପୂଜକ ରହିବେ । ସେମାନେ କାହାରିକୁ ଫୁଲ, ସିନ୍ଦୁର, ପ୍ରସାଦ ଆଦି ଦେବେ ନାହିଁ କାରଣ ଏଥିରେ ସଂକ୍ରମଣ ଆଶଙ୍କା ରହିଛି । ସମସ୍ତେ ସଙ୍ଗରେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଆଦି ଯେକୌଣସି ପରିଚୟ ପତ୍ର ସାଙ୍ଗରେ ନେଇ ଆସିବାକୁ କୁହାଯାଇଛି।ଏହାସହିତ ବିନା ମାସ୍କରେ ମନ୍ଦିରରେ ଦର୍ଶନ ଅନୁମତି ଦିଆଯିବ ନାହିଁ । ସଂପ୍ରତି ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଫୁଲ, ଦୀପ, ଧୂପ, ନୈବେଦ୍ୟ ଆଦି ନେଇପାରିବେ ନାହିଁ । କୋଭିଡ କଟକଣା ଯୋଗୁଁ ବେଢ଼ା ଦର୍ଶନ ଏବଂ ମନ୍ଦିରର ଗମ୍ଭୀରା ପ୍ରବେଶକୁ ନିଷିଦ୍ଧ କରାଯାଇଛି । ଅନ୍ୟପକ୍ଷରେ ଏକ ସମୟରେ ମନ୍ଦିର ଭିତରେ ମାତ୍ର ୫ ଜଣ ରହିପାରିବେ I








