ହେଡଲାଇନସ୍:

ସହରାଞ୍ଚଳ ବିକାଶରେ ଓଡିଶା ହେବ ରୋଲ ମଡେଲ – ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସହାରାଞ୍ଚଳର ଯୋଜନାବଦ୍ଧ ବିକାଶ ଦିଗରେ ନୂଆ ପଦକ୍ଷେପ

ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଗ୍ରାମବାସୀଙ୍କୁ ପଟ୍ଟା ବଣ୍ଟନ

ଭୁବନେଶ୍ବର, (ଶାସକ ପ୍ରଶାସକ)- ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି |

 ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ପଟ୍ଟା ଆବଣ୍ଟନ କରିଛନ୍ତି | ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରାଞ୍ଚଳ ବିକାଶରେ ନାଗରିକ ଓ ଗୋଷ୍ଠୀଗତ ଭାଗିଦାରୀ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା |  ଲୋକଙ୍କ ସହଯୋଗରେ ସହରାଞ୍ଚଳରେ ଏହିଭଳି ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ଦେଶର ରୋଲମଡେଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି  ସେ କହିଥିଲେ|  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ବର କେବଳ ରାଜ୍ୟ ନୁହେଁ, ସାରା ଦେଶର ଏକ ଆକର୍ଷଣୀୟ ସହର | ଏହାର ଲୋକସଂଖ୍ୟା ଓ ପରିସୀମା କ୍ରମାଗତଭାବେ ବୃଦ୍ଧି ପାଉଛି | ଏ ଦୃଷ୍ଟିରୁ ଏହାର ସାମଗ୍ରିକ (holistic) ବିକାଶ ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ସହରର ଉପକଣ୍ଠରେ ଜନସାଧାରଣଙ୍କ ଭାଗିଦାରୀରେ ଟାଉନ ପ୍ଲାନିଂ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି | ଏଥିପାଇଁ ସେ  ଗାଁର ଲୋକ ମାନଙ୍କୁ  ଧନ୍ୟବାଦ ଦେଇଥିଲେ |  କ୍ରମବର୍ଦ୍ଧିଷ୍ଣୁ ସହର ଗୁଡିକର ଯୋଜନାବଦ୍ଧ ବିକାଶ ପାଇଁ ଏହା ସଂପୂର୍ଣ୍ଣ ଭାବେ ଏକ ସ୍ବଚ୍ଛ ଓ ବାସ୍ତବବାଦୀ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ |

ସୂଚନାଯୋଗ୍ୟ ଯେ ଟାଉନ ପ୍ଲାନିଂ କାର୍ଯ୍ୟକ୍ରମରେ ଯୋଜନା ଅଞ୍ଚଳର ୪୦ ପ୍ରତିଶତ ଜମିକୁ ରାସ୍ତାଘାଟ ଆଦି ବିଭିନ୍ନ ଭିତ୍ତିଭୂମିର ବିକାଶ ପାଇଁ ରଖାଯାଏ | ଭିତ୍ତିଭୂମି ବିକାଶ ସହିତ ଜମିର ଦର ବୃଦ୍ଧି ଯୋଗୁ ଜମି ମାଲିକମାନେ ଉପକୃତ ହୁଅନ୍ତି | ରାଜ୍ୟରେ ବର୍ତ୍ତମାନ ୫୮ଟି ରାଜସ୍ବ ଗ୍ରାମରେ ୪୫ଟି ଟାଉନ ପ୍ଲାନିଂ କରାଯାଇଛି | ପ୍ରାଥମିକଭାବେ ୪ଟି ଗାଁର ଯୋଜନା ଅନୁମୋଦିତ ହୋଇଛି | ଏଥିରେ ସମୁଦାୟ ୭୪୬ ଏକର ଜମିରେ ଭିତ୍ତିଭୂମିର ବିକାଶ କରାଯାଉଛି |

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଜନାବଦ୍ଧ ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି | ଏହି କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବ ଏବଂ ଅନ୍ୟ ସହରମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ |  ସହର ଗୁଡିକ ହେଉଛି ଅର୍ଥନୈତିକ ବିକାଶର ଇଞ୍ଜିନ | ଏହାର ନିରନ୍ତର, ସାମଗ୍ରିକ ବିକାଶ ପାଇଁ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏକ ଆର୍ଥିକ ସୁରକ୍ଷାବଳୟ ସୃଷ୍ଟି ସହିତ ବିକାଶ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି  ମୁଖ୍ୟମନ୍ତ୍ରୀ।ମତ ଦେଇଥିଲେ |

ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ରାଜ୍ୟରେ ପ୍ରଥମ ଥର ପାଇଁ ବିଡିଏ ପକ୍ଷରୁ ଭୁବନେଶ୍ବରରେ ଏଭଳି  ଅଭନବ ଯୋଜନା କାର୍ଯ୍ୟକାରୀ କରାଯାଇଛି | ସହରର ଭିତ୍ତିଭୂମି ବିକାଶ ପାଇଁ ଏହି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ  କରିଥିଲେ |   ଏହି ଅବସରରେ ଯୋଜନା ସମ୍ପର୍କରେ  ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା

ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ୍, ରାଜସ୍ବ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଓ ପୂର୍ତ୍ତ ବିଭାଗର ସଚିବ ଡ଼  କିଶନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ | ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ | ବିଡିଏର ଉପାଧ୍ୟକ୍ଷ ସ୍ୱାଗତ ଭାଷଣ ଦେଇଥିଲେ

 

0
0
0
s2sdefault