ଛାତ୍ର ବିଜେଡି ଛାତ୍ର ବା ରାଜ୍ୟ ସ୍ୱାର୍ଥ ପାଇଁ କେବେ ଲଢ଼ିନି : ୟାସିର ନୱାଜ
ଭୁବନେଶ୍ୱର (ଶାସକ ପ୍ରଶାସକ)– ବିଜେଡିର ଛାତ୍ର ସଂଗଠନ ଛାତ୍ର ସ୍ୱାର୍ଥ ପାଇଁ କେବେ ଲଢ଼ି ନଥିବା ଏକ ମସ୍ତକବିହୀନ ସଂଗଠନ । ରାଜ୍ୟରେ ୨୦ ବର୍ଷର ନବୀନ ଶାସନର ଭ୍ରଷ୍ଟାଚାର ଓ ଦୁର୍ନୀତି ଓ ମୋଦିଙ୍କର ନାଜୀବାଦୀ ଶାସନ ବିରୁଦ୍ଧରେ ବିଜେଡି ଛାତ୍ର ସଂଗଠନ କେବେ ସ୍ୱର ଉତୋଳନ କରିନି । କେବଳ ମୁଣ୍ଡଗଣତି ପାଇଁ ଏହି ସଂଗଠନ ଗଠିତ । ରାଜ୍ୟ ସ୍ୱାର୍ଥ ବା ରାଜ୍ୟର ଛାତ୍ର ଓ ଯୁବକମାନଙ୍କର ସ୍ୱାର୍ଥ ପାଇଁ ଏହି ସଂଗଠନ କେବେ ପ୍ରତିକ୍ରିୟା ପ୍ରକାଶ କରିନି । ୨୦ ବର୍ଷ ଧରି ଏକ ସ୍ଥାଣୁ ସଂଗଠନ ଭାବରେ ଏହା ଶୋଇ ରହିଛି ବୋଲି ଛାତ୍ର ବିଜେଡିର କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଶ ଓ ମନ୍ତ୍ର ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି |
ୟାସିର କହିଛନ୍ତି ଯେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯିଏକି କାଲି ବିଜେଡିର ଛାତ୍ରମାନଙ୍କୁ ଉପଦେଶ ଦେଉଥିଲେ ସିଏ ମଧ୍ୟ ୨୦ ବର୍ଷ ଭିତରେ ଛାତ୍ରଙ୍କର ସ୍ୱାର୍ଥ ପ୍ରତି ଅଣଦେଖା କରିଛନ୍ତି । ବିଶେଷକରି କରୋନା ସମୟରେ ଅଭିଭାବକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସେମାନେ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଚଢ଼ା ଫିସ୍ ଦେବାକୁ ଅସମର୍ଥ ହେଉଥିବା ବେଳେ ଏଥିପ୍ରତି ମୁଖ୍ୟମନ୍ତ୍ରୀ ନଜର ଦେଉନାହାନ୍ତି । ଅଭିଭାବକମାନଙ୍କ ଚଢ଼ା ଫିସ୍ ହ୍ରାସ ଦାବିକୁ ମୁଖ୍ୟମନ୍ତ୍ରୀ ଏଡାଇ ଯାଉଛନ୍ତି । ଓଡିଶାରେ ପ୍ରାଇଭେଟ୍ ସ୍କୁଲ କଲେଜମାନଙ୍କର ମାଲିକ ଓ ମୁଖ୍ୟମନ୍ତ୍ରୀ ମଧୁଚନ୍ଦ୍ରିକାରେ ଅଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନ ଭୁଷୁଡିବାରେ ଲାଗିଛି । ଛାତ୍ରଛାତ୍ରମାନେ ବେସରକାରୀ ଶିକ୍ଷାନୁଷ୍ଠାନ ଯାଉଛନ୍ତି । ଅନ୍ୟପକ୍ଷରେ ବିଜେଡି ସରକାର ୧୪ ହଜାର ସ୍କୁଲ ବନ୍ଦ ନିଷ୍ପତି ଶିକ୍ଷା ବିକାଶ କ୍ଷେତ୍ରରେ ବିଜେଡି ସରକାରର ଦୁର୍ବଳତାକୁ ପରିପ୍ରକାଶ କରୁଛି । ଓଡିଶାରେ ୨୦ ବର୍ଷରେ ହୋଇଥିବା ଖଣିଦୁର୍ନୀତି, ଚିଟ ଫଣ୍ଡ ଦୁର୍ନୀତି, ଜଳସଂପଦ ଦୁର୍ନୀତି, ଜମି ଦୁର୍ନୀତି, ଇନ୍ଦିରା ଆବାସ ଦୁର୍ନୀତି, ସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତି ବିରୁଦ୍ଧରେ ବିଜେଡିର କେହି ଛାତ୍ର ନେତା ପଦେ କହିଛନ୍ତି କି? ତେବେ ଏ ଛାତ୍ର ସଂଗଠନ କେଉଁ କାର୍ଯ୍ୟ କରିବା ପାଇଁ ଉଦ୍ଧିଷ୍ଟ ବୋଲି ପ୍ରଶ୍ନ କରିଛନ୍ତି ୟାସିର |
ୟାସିର ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି "ବେବିନା, ଇତିଶ୍ରୀ, କୁନ୍ଦୁଲି ଛାତ୍ର, ମାଧବୀଲତା, ସ୍ମିତାରାଣୀ, ପରୀ, ପିହୁ ପ୍ରସଙ୍ଗରେ ଅପରାଧିଙ୍କୁ ନବୀନ ସରକାର ଘଂଟ ଘୋଡାଉଥିବା ବେଳେ ଛାତ୍ର ବିଜେଡିର ପ୍ରତିବାଦ ଅଛିକି? ମୁଖ୍ୟମନ୍ତ୍ରୀ ମା'କୁ ସମ୍ମାନର ଡାକରା ଦେଇଛନ୍ତି । ନବୀନ ଶାସନରେ ଦିନକୁ ୭ ଜଣ ମହିଳା ଗଣଦୁଷ୍କର୍ମର ଶିକାର, ଥାନା ପୀଡିତାର ଏତଲା ରଖୁନି । ଏକଥା କଣ ଛାତ୍ର ବିଜେଡି ଜାଣିନି? ତେବେ ପ୍ରତିବାଦ କାହିଁ?"
ଛାତ୍ର କଂଗ୍ରେସ ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ "ଉପାସରକାର ଅମଳରେ ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ ପିଛା ୧୩୦ ଡଲାର ଥିବା ବେଳେ ଦେଶରେ ଡିଜେଲ ୫୫ ଟଙ୍କା, ପେଟ୍ରୋଲ ୭୦ ଟଙ୍କାରେ ମିଳୁଥିଲା । ଏବେ ମୋଦି ସରକାରରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୪୬ ଡଲାର ଥିବାବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ଉଭୟ ଲିଟର ପିଛା ୪୦ ଟଙ୍କାରେ ମିଳିବା କଥା । ସେତେବେଳେ ଉପା ସରକାରଙ୍କ ବିରୁଦ୍ଧରେ ବିଜେଡି ରାସ୍ତାଘାଟରେ ଚିକ୍ରାର କରୁଥିଲା । ମାତ୍ର ଆଜି ଛାତ୍ର ବିଜେଡି ନୀରବ । ଏଣୁ ଏହି ଛାତ୍ର ସଂଗଠନ ଲୋକଙ୍କ ସ୍ୱାର୍ଥ ଲଢ଼ୁଛି କି?"
ବିଜେଡି ଦଳର ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କର୍ମୀ ଚିଟ୍ ଫଣ୍ଡ ଦୁର୍ନୀତିରେ ସଂପୃକ୍ତ । ସେ ପ୍ରସଙ୍ଗରେ ଛାତ୍ର ବିଜେଡି କ’ଣ କହିବ? ଏ ରାଜ୍ୟ ଶିଶୁ ମୃତ୍ୟୁ ହାର, ନାରୀ ଦୁଷ୍କର୍ମ, ଅପପୃଷ୍ଟି, ବେକାରୀ ଓ ଦାରିଦ୍ର୍ୟରେ ଦେଶରେ ୧ ନମ୍ବର । ଏଣୁ ବିଜେଡି ଛାତ୍ର ସଂଗଠନ କଣ ସ୍ୱର ଉଠାଇ ପାରିବ । ଅନ୍ୟପକ୍ଷରେ ବିଜେଡି-ବିଜେପି ଅଘୋଷିତ ଭାଗୁଆଳି ଶାସନ ଚାଲିଛି । ମୋଦି ସରକାରର ଓଡିଶା ପ୍ରତି ବୈମାତୃକ ମନୋଭାବ ଓ କୁଶାସନ ବିରୁଦ୍ଧରେ ମଧ୍ୟ ବିଜୁ ଛାତ୍ର ଜନତା ନୀରବ । ଅନ୍ୟ ପକ୍ଷରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଓଡିଆ ଜଣାନାହିଁ । ସେ ଓଡିଶାର ଐତିହ୍ୟ କଥା କହିବା ହାସ୍ୟାସ୍ପଦ ବୋଲି ଶ୍ରୀ ନୱାଜ କହିଛନ୍ତି । ଏଣୁ ଛାତ୍ର ବିଜେଡି ଏକ ମସ୍ତକ ବିହୀନ ସଂଗଠନ ବୋଲି ଶ୍ରୀ ନୱାଜ କହିଛନ୍ତି ।