ହେଡଲାଇନସ୍:

"ଭାରତୀୟ ପରମ୍ପରାର ପ୍ରକୃତ  ଅଧିକାରୀ ବିଜେପି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପିର କର୍ମୀ ପ୍ରଶିକ୍ଷଣ ଶିବିର ଉଦଯାପନୀ ଉତ୍ସବରେ ବକ୍ତାଙ୍କ ମତ

ବଡ଼ବିଲ/ ଯୋଡ଼ା : ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୋଡା, ବାମେବାରୀ ଓ ଭଦ୍ରାସାହି ମଣ୍ଡଳରେ ଦୁଇଦିନିଆ କର୍ମୀ ପ୍ରଶିକ୍ଷଣ ଶିବିର ସୋମବାର ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ପ୍ରମୁଖ ବକ୍ତାମାନେ ଦଳର କର୍ମୀମାନଙ୍କୁ ବିଜେପିର ନୀତି ଓ  ଆଦର୍ଶ କଥା କହିବା ସହ  କର୍ମୀମାନଙ୍କୁ ସମାଜଦେବାରେ ବ୍ରତୀ ହେବା ପାଇଁ ଉତ୍ସାହିତ କରିଥିଲେ ।  ଗୋଟିଏ ରାଜନୈତିକ ଦଳ ନିଜର ନୀତି ଓ ଆଦର୍ଶରୁ ବିଚ୍ୟୁତ  ନହୋଇ ଲୋକଙ୍କ ସମସ୍ୟା ସମାଧାନ କରିବା ସହ ରାଷ୍ଟ୍ରବାଦ ଓ ଦେଶର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ଉଚିତ ବୋଲି ସେମାନେ କହିଥିଲେ ।  ଏହି ଅବସରରେ ରାଜ୍ୟ ବିଜେପିର ପୂର୍ବତନ ସାଧାରଣ ସମ୍ପାଦକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡଃ. ମୁରଲି ମନୋହର ଶର୍ମା କହିଥିଲେ  ଯେ, କିଛି ଦଳ  ନୀତି ଓ ଆଦର୍ଶରୁ  ବିଚ୍ୟୁତ  ହୋଇ ଶସ୍ତା ଉପାୟରେ ଭୋଟ ସାଉଁଟିବାରେ ବିଶ୍ୱାସ କରନ୍ତି । କିନ୍ତୁ ବିଜେପି ଲୋକଙ୍କ ସହିତ ରହି ସେମାନଙ୍କ  ବିଶ୍ୱାସଭାଜନ ହେବାକୁ ଚେଷ୍ଟା  କରେ । ଅନ୍ୟ ରାଜନୈତିକ ଦଳ ଲୋକଙ୍କ ସମସ୍ୟାକୁ ନେଇ ରାଜନୀତି କରନ୍ତି କିନ୍ତୁ ବିଜେପି ଲୋକଙ୍କ ସମସ୍ୟାର ସମାଧାନରେ ନିଜକୁ ନିୟୋଜିତ କରିଥାଏ । ଏହି କାରଣରୁ ଦଳପ୍ରତି ଲୋକଙ୍କ ସମର୍ଥନ ବଢ଼ିବାରେ ଲାଗିଛି । କିଛି ଦଳ ଅର୍ଥ ବଦଳରେ ଭୋଟ କିଣିବାରେ ବିଶ୍ୱାସ କରନ୍ତି କିନ୍ତୁ ବିଜେପି ନୈତିକତାକୁ ନିଜର ‘ରାଜନୈତିକ ସମ୍ବଳ’ ଭାବେ ଗ୍ରହଣ କରି ଥାଏ ।  ଏହା ସତ୍ୱେ ଦଳ ନିକଟରେ ଅର୍ଥର ଅଭାବ ରହିବା  ଉଚିତ ନୁହେଁ କିମ୍ବା  ଦଳ ଉପରେ ଅର୍ଥର ପ୍ରଭାବ ମଧ୍ୟ ସୃଷ୍ଟି ହେବା ଉଚିତ ନୁହେଁ ବୋଲି ସେ କହିଥିଲେ । ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଥିଲେ ଯେ, ବିଜେପିର କର୍ମୀମାନେ ନିରନ୍ତର ଭାବେ ଦଳ ପାଇଁ କାର୍ଯ୍ୟ କରନ୍ତି । ଏଠାରେ ପକେଟ ଗରମ କରିବାର ସୁଯୋଗ ନଥାଇ ପାରେ କିନ୍ତୁ ଦେଶ ଓ ସମାଜ ପାଇଁ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ସୁଯୋଗ ରହିଛି । ଏହି ଦଳରେ ପୋଷ୍ଟର ମାରୁଥିବା ଜଣେ ଯୁବକ ଦେଶର ଗୃହମନ୍ତ୍ରୀ ହୋଇପାରେ । ଦଳ ପାଇଁ ପ୍ରଚାର କରୁଥିବା ଜଣେ ମାମୁଲି ଚା’ ବିକାଳି ପ୍ରଧାନମନ୍ତ୍ରୀ ହୋଇପାରେ ଓ ସାଧାରଣ ବୁଥର ଜଣେ କର୍ମକର୍ତ୍ତା  ଦଳର ସଭାପତି ହୋଇପାରେ । ତେଣୁ ବିଜେପିକୁ ସେ ‘ସମ୍ଭାବନାର ଦଳ’ ବୋଲି କହିଥିଲେ । ବଡବିଲ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲିପ ମିଶ୍ର କହିଥିଲେ ଯେ, କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ  ନିଷ୍ପତି ସମଗ୍ର ବିଶ୍ୱକୁ ଆସ୍ଥା ଓ ଭରଷା ଦେଇଥିଲା ତଥା ଦେଶବାସୀଙ୍କୁ ବିପଦ ସମୟରେ ଲଢ଼ିବାର ଦମ୍ଭ ଦେଇଥିଲା । ଏହା ଦଳର କର୍ମୀମାନଙ୍କୁ ନେତୃତ୍ୱ ନେବାର ମାର୍ଗଦର୍ଶନ କରିଛି । କେନ୍ଦୁଝର ସଦର ବିଧାୟକ ମୋହନ ମାଝି  ପ୍ରଶିକ୍ଷାର୍ଥୀମାନଙ୍କୁ ଅନ୍ତ୍ୟଦୟୀ ପ୍ରଯତ୍ନ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ, ବାଜପେୟୀ ସରକାରଙ୍କ ଠାରୁ ଆରମ୍ଭ ହୋଇଥିବା ‘ଅନ୍ତେ୍ୟାଦୟୀ ଯୋଜନା’କୁ ମୋଦି ସରକାର ଦେଶର ଦରିଦ୍ରତମ ବ୍ୟକ୍ତି ନିକଟରେ ପହଁଚାଇବାକୁ ଉଦ୍ୟମ କରୁଛନ୍ତି । ସୋମବାର ପ୍ରଶିକ୍ଷଣ ଶିବିରର ସମାପନ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିଷଦ ସଦସ୍ୟ ଦେବପ୍ରସାଦ ମିଶ୍ର , ରାଜ୍ୟ ଯୁବମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂହ , ଜିଲ୍ଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟା ମମତା ସିଂହ ଓ ଖଗେଶ୍ୱର ମହାନ୍ତ ପ୍ରମୁଖ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଯୋଡା ନଗର ସଭାପତି ସୁଶାନ୍ତ ବେବର୍ତା, ତଥା ଜିଲ୍ଲା ଜିଲ୍ଲା ପ୍ରତିନିଧି ଚର୍ଚିଲ ମହାକୁଡ ଯୋଡାରେ ପ୍ରଶିକ୍ଷଣ ଶିବିର ପରିଚାଳନା କରିଥିବା ବେଳେ ବାମେବାରୀରେ ମଣ୍ଡଳ ସଭାପତି କୁଳମଣୀ ମହା ସହଯୋଗ କରିଥିଲେ ।  ସମାପନ ଉତ୍ସବରେ  କର୍ମୀମାନେ ନିଷ୍ଠାପର  ଭାବେ କାର୍ଯ୍ୟ କରିବାର ସଙ୍କଳ୍ପ ନେଇଥିଲେ ଓ ଜାତୀୟ ସଙ୍ଗୀତ ଗାନ ସହ ଶିବିର ଉଦଯାପିତ ହୋଇଥିଲା । 

 

 

0
0
0
s2sdefault