ହେଡଲାଇନସ୍:

 ସାଧାରଣ ଲୋକ ମୁହଁରେ ହସ ଓ ମନରେ ବିଶ୍ବାସ ଆମପାଇଁ ସବୁଠାରୁ ବଡ ସଂପତ୍ତି : ନବୀନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟ ପରିଷଦରେ ନବୀନଙ୍କ ଘୋଷଣା : ଦୁର୍ନୀତି ବିରୋଧରେ ଲଢେଇ ହେବ ଜୋରଦାର 

ତଳୁ ଉପର ପର୍ଯ୍ୟନ୍ତ ସବୁ ଲୋକ ପ୍ରତିନିଧିଙ୍କ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ 

ସବୁ ସମ୍ପତ୍ତି ତାଲିକା ପଠାଯିବ ଲୋକାୟୁକ୍ତଙ୍କ ନିକଟକୁ 

ବୈଠକରେ ଆଜି ଗୃହୀତ ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ସମ୍ପୃକ୍ତ ବିଭାଗ ସହ ସଂଯୋଜିତ କରିବେ ବବି 

ଭୁବନେଶ୍ୱର (ଶାସକ ପ୍ରଶାସକ ) : ଦୁର୍ନୀତି ବିରୋଧରେ ଲଢେଇ ଆହୁରି ଜୋରଦାର ହେବ | ମୁଖ୍ୟମନ୍ତ୍ରୀଙ୍କ ସମେତ ତଳ ଠାରୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ ସବୁ ଲୋକ ପ୍ରତିନିଧିଙ୍କ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ | ସବୁ ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କ ପାଖକୁ ପଠାଯିବ ବୋଲି ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଉଦବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ପରିଷଦ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ହେଉ ପ୍ରସ୍ତାବ ଗୃହୀତ ହେଲା ସେସବୁକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ସେସବୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନଙ୍କ ପାଖକୁ ପଠାଯିବ| ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି ) ବ୍ୟକ୍ତିଗତ ଭାବେ  ସେଗୁଡିକୁ ସଂଯୋଜିତ କରିବେ ବୋଲି ଘୋଷଣା କରିଛନ୍ତି ବିଜେଡି ମୁଖ୍ୟ | 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ " ଦୁର୍ନୀତି  ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ । ଆମେ ଯଦି ସ୍ବଚ୍ଛତା ବଜାୟ ନ ରଖିବା ତେବେ ଅସମାନତା, ଦାରିଦ୍ର୍ୟ, ଆଞ୍ଚଳିକ ବୈଷମ୍ୟ, ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ ଆମେ ଜାରି ରଖିଥିବା ଲଢେଇ ନିରର୍ଥକ ହୋଇଯିବ । ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ ଶତ୍ରୁ |  ଆମେ ଲଢେଇ କରୁଛୁ, ଗରିବୀ ବିରୁଦ୍ଧରେ | ଆମେ ଲଢେଇ କରୁଛୁ, ରୋଗ ବିରୁଦ୍ଧରେ | ଆମେ ଲଢେଇ କରୁଛୁ, ଆଂଚଳିକ ଅସମତା ବିରୁଦ୍ଧରେ | ଆମେ ଲଢେଇ କରୁଛୁ, ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ |ଆମେ ଲଢେଇ କରୁଛୁ, ଅସମାନତା ବିରୁଦ୍ଧରେ ଅନ୍ୟାୟ ବିରୁଦ୍ଧରେ ଏବଂ ଅପାରଗତା ବିରୁଦ୍ଧରେ  |  ଦୁର୍ନୀତି ବିରୋଧୀ ଲଢେଇରେ ରାଜ୍ୟ ସାରା ଦେଶରେ ଆଗୁଆ ରହିଆସିଛି । ଦୁର୍ନୀତି ମାମଲା ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ହେଉ କି ଦୁର୍ନୀତିଗ୍ରସ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେଉ, ଓଡିଶା ଏ କ୍ଷେତ୍ରରେ ଆଗୁଆ | କ୍ଷମତାପନ୍ନ ଲୋକାୟୁକ୍ତ ଗଠନ କରିବାରେ ଓଡିଶା ଆଗୁଆ ରାଜ୍ୟ |  ଦୁର୍ନୀତି କରୁଥିବା କର୍ମଚାରୀ ଯେତେ ଉଚ୍ଚପଦରେ ଥାଆନ୍ତୁ ବା କାହିଁକି, ସେମାନଙ୍କ ବିରୁଦ୍ଧରେ ଆମେ ସବୁବେଳେ କଠୋର ତଥା ଦୃଷ୍ଟନ୍ତମୂଳକ ଆଭିମୁଖ୍ୟ ନେଇଆସିଛୁ | ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ପ୍ରାୟ ୯୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ସହ ସେମାନଙ୍କ ପେନସନ ବନ୍ଦ କରିଛନ୍ତି । ଏହି ଦୁର୍ନୀତି ବିରୋଧୀ ଲଢେଇକୁ ଆଗକୁ ନେବାକୁ ସେ କେତେକ ପ୍ରସ୍ତାବ ବିଜେଡ଼ି ରାଜ୍ୟ ପରିଷଦ ଆଗରେ ରଖିଛନ୍ତି । ଏହି ପ୍ରସ୍ତାବ ଅନୁସାରେ ସରପଂଚଙ୍କଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଧାୟକ,ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ ଓ ତାହାକୁ ପ୍ରତିବର୍ଷ ସର୍ବସାଧାରଣରେ ପ୍ରକାଶ କରାଯିବ । ସେହିପରି ରାଜ୍ୟର ସାଂସଦମାନେ ସ୍ବେଚ୍ଛାକୃତଭାବେ ନିଜର ସଂପତ୍ତି  ତାଲିକା ପ୍ରଦାନ କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିବେ । ଅନ୍ୟପକ୍ଷରେ ସାଧାରଣ କର୍ମଚାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ନିଜର ସଂପତ୍ତି ତାଲିକା ଦେବେ ଓ ତାହାକୁ  ତାହାକୁ ପ୍ରତିବର୍ଷ ସର୍ବସାଧାରଣରେ ପ୍ରକାଶ କରାଯିବ । ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ସଂପତ୍ତି ତାଲିକା ଲୋକାୟୁକ୍ତଙ୍କ ଆଗରେ ରଖାଯିବ ।" 

 ବିଜୁ ଜନତା ଦଳର  ରାଜ୍ୟ ପରିଷଦ ବୈଠକରେ ଆସିଥିବା ପ୍ରସ୍ତାବ ଗୁଡିକୁ ଅନୁମୋଦନ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ "ମୁଁ ବ୍ୟକ୍ତିଗତ ଖୁସି ଯେ ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କ ପାଇଁ   ମେଡିକାଲ କଲେଜ  ଓ  ଇଂଜିନିୟରିଙ୍ଗ  କଲେଜ ରେ ସ୍ଥାନ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଆସିଛି | ସେହିପରି ପଛୁଆ ବର୍ଗ ସର୍ଭେ  ସଂପର୍କରେ ମଧ୍ୟ ବହୁତ ଭଲ ପ୍ରସ୍ତାବ ଆସିଛି | ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ମୋର ବିଶ୍ବାସ | ମହିଳାମାନଙ୍କ ସଶକ୍ତିକରଣ ମୋର ସବୁଠାରୁ ପ୍ରିୟ ବିଷୟ |  ଆଜି ଏହି ସଂପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଆମେ ଚେଷ୍ଟା କରିବା | ଆଜି ବୈଠକରେ ଯାହାସବୁ ପ୍ରସ୍ତାବ ପାରିତ ହେବ, ସେଥିରୁ ଯାହା ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ଦରକାର, ସେଗୁଡିକୁ ସଂପୃକ୍ତ ମନ୍ତ୍ରୀ ମାନଙ୍କ ପାଖକୁ ପଠାଯିବ |    ଆମର ସଂଗଠନ ସମ୍ପାଦକ  ସେଗୁଡିକୁ coordinate କରିବେ |" ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | 

ବିଜେଡ଼ି ସଭାପତି ଏହି ପରିପ୍ରେକ୍ଷୀରେ  ମହାତ୍ମାଗାନ୍ଧୀଙ୍କର ପ୍ରସିଦ୍ଧ talisman ସଂପର୍କରେ ଉକ୍ତିକୁ ଉଦ୍ଧାର କରିଛନ୍ତି  |  “ Whenever you are in doubt or when the self become too much with you apply the following test. Recall the face of the poorest and the weakest man/woman whom you may have seen and ask yourself if, the step you contemplated is going to be of any use to him/her." 

"ସାଧାରଣ ଲୋକ ମୁହଁରେ ହସ ଓ ମନରେ ବିଶ୍ବାସ ଗୋଟିଏ ରାଜନୈତିକ ଦଳର ସବୁଠାରୁ ବଡ ସଂପତ୍ତି |  ତାକୁ ବଜାୟ ରଖିବା ପାଇଁ ଆସନ୍ତୁ ଆମେ କାମ କରିଚାଲିବା "ବୋଲି ବିଜେଡି ସୁପ୍ରିମୋ ଦଳର କର୍ମୀ ଓ ନେତୃବୃନ୍ଦଙ୍କୁ ଆହ୍ୱାନ ଜଣାଇଛନ୍ତି | 

0
0
0
s2sdefault