ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଓଡ଼ିଆ ଭଣ୍ଡାରୀ ସାହି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ରଙ୍କ କବିତା ସଙ୍କଳନ "ବଦଳି ଯାଉଥିବା ଋତୁ ସମ୍ପର୍କରେ"ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ଲୋକାର୍ପଣ ତଥା ସାରସ୍ୱତ କାର୍ଯ୍ୟକ୍ରମ ସାହିତ୍ୟିକ ତଥା ଉପାନ୍ତ-ପ୍ରହରୀ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ କୈଳାସ ପଟ୍ଟନାୟକ ଏବଂ ପଣ୍ଡିତ ନରସିଂହ ଗୌଡ଼ ମନ୍ତ୍ର ପାଠ କରିଥିବା ବେଳେ ସ୍ୱାଗତ ସମ୍ଭାଷଣ ଏବଂ ପରିଚୟ ପ୍ରଦାନ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁରୁ-ଗୌରବ ଗୌରଚନ୍ଦ୍ର ପଣ୍ଡା ମୁଖ୍ୟ ଯୋଗଦାନ କରି କବିତା ସଙ୍କଳନ ପୁସ୍ତକ ଉନ୍ମୋଚନ କରି ସାମ୍ପ୍ରତିକ ସମୟରେ ମୁଦ୍ରଣ ବହିର ଚାହିଦା ଅପେକ୍ଷାକୃତ କମିଯିବାର ନଜିରକୁ ଆସୁଛି। ନିଜସ୍ଵ ସ୍ୱରଚିତ କବିତା ହେଉ କିମ୍ବା ଲେଖା ହେଉ ଲେଖି ସାରିଲା ପରେ ମୁଦ୍ରଣ ବହିକୁ ଲେଖକ ନିଜେ ଦେଖୁ ଦେଖୁ ଆତ୍ମ-ବିଭୋର ହୋଇ ପଡିଥାଏ ।
ପୁସ୍ତକର ସମୀକ୍ଷକ ଡ. ଚନ୍ଦ୍ରଶେଖର ଦାସ ବହିଟିର ସାମଗ୍ରିକ ଅନ୍ତଃସ୍ଵରକୁ ସଂକ୍ଷିପ୍ତରେ ବୁଝାଇଥିଲେ। ସାହିତ୍ୟ ଏକାଡେମୀ ସଦସ୍ୟ କବି ବିଚିତ୍ରାନନ୍ଦ ବେବର୍ତ୍ତା ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ସାରସ୍ୱତ ସାଧକ ଏବଂ ସଂସ୍କୃତି ପ୍ରେମୀଙ୍କ ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ତଥା ଜିଲ୍ଲା ସୂଚନା ଓ ଲୋକ-ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ କାର୍ଯକ୍ରମ'ରେ ଯୋଗଦେଇ ସାରସ୍ୱତ ସାଧକ- ସାଧିକା ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଶରତ ସାହୁ , ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଓ ଶ୍ରୀ ମୁରଲୀଧର ପରିଛା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।