ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ
ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ସରକାରୀ ଚାକିରୀ ପାଠ ଶେଷ ହୋଇପାରେ | ଦୁର୍ନୀତିରେ ଛନ୍ଦି ହୋଇପଡିଥିବା ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ପତ୍ର ଲେଖିଥିବା ଜଣାପଡିଛି | ସୂଚନାଯୋଗ୍ୟ ଯେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ନାମରେ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା । ଏହାପରେ ଉଭୟ ପାଠକ ବାପ ପୁଅଙ୍କ ଅମାପ ସମ୍ପତ୍ତି, ଭଳିକି ଭଳି ଦାମୀ ଗାଡ଼ି, ଦେଶର ବିଭିନ୍ନ ସ୍ଥାନରେ ଫ୍ଲାଟ, ଚାଟାର୍ଡ ଫ୍ଲାଇଟରେ ଉଡ଼ାଣ ଆଦି କେଳେଙ୍କାରୀର ପର୍ଦ୍ଦାଫାଶ ହୋଇଥିଲା ।
କେନ୍ଦ୍ରକୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଅଭୟକାନ୍ତଙ୍କ ଦୁର୍ନୀତିକୁ କଡା ଭାଷାରେ ନିନ୍ଦା କରିଛନ୍ତି । ୨୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜମା କରିବାର ପ୍ରମାଣ ପାଇବା ପରେ ରାଜ୍ୟ ଭିଜିଲାନ୍ସ ବିଭାଗ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି। ଉଭୟ ବାପା ଓ ପୁଅ ଏବେ ଜେଲରେ ଅଛନ୍ତି। ଅଭୟକାନ୍ତଙ୍କ ପୁଅ ଆକାଶଙ୍କୁ ଜାଲିଆତି, ପ୍ରତାରଣା ଏବଂ ନକଲି ମାମଲାରେ କ୍ରାଇମ ବ୍ରାଞ୍ଚ ଗିରଫ କରିଥିବା ବିଷୟ ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ଲକଡାଉନ୍ ସମୟରେ ଅଭୟକାନ୍ତ ଏବଂ ତାଙ୍କ ପୁଅ ଚାର୍ଟାର୍ଡ ବିମାନରେ ଉଦିବା ସହ ବିଳାସପୂର୍ଣ୍ଣ ତାରକା ହୋଟେଲରେ ରହିଥିଲେଏହି ଚିଠିରେ ଉଲ୍ଲେଖ କରାଯାଇଛି।