ହେଡଲାଇନସ୍:

ହିର୍ମାସ୍ଥିତ ଏସ ଏମ ସି ସମ୍ମୁଖରେ ସ୍ଥାନୀୟନିବାସୀଙ୍କ ବିରୋଧ ପ୍ରଦର୍ଶନ । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ହିର୍ମାଠାରେ ସ୍ଥାପିତ ଏସ ଏମ ସି ପାୱାର ଜେନେରେସନ କମ୍ପାନୀ ସମ୍ମୁଖରେ ସ୍ଥାନୀୟ ପଞ୍ଚାୟତର ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ସେମାନେ ବିଭିନ୍ନ ଦାଵୀକୁ ପୂରଣ କରିବା ପାଇଁ ଚାପ ପ୍ରୟୋଗ କରିଛନ୍ତି। କିନ୍ତୁ ଶେଷ ଖବର ମିଳିବା ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ କୌଣସି ସମାଧାନର ବ୍ୟବସ୍ଥା କରାଯାଇ ନାହିଁ। 

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ନିବାସୀଙ୍କ ଅନୁଯାୟୀ କମ୍ପାନୀ ତରଫରୁ ହିର୍ମା ପଞ୍ଚାୟତରେ ସ୍ବାସ୍ଥ୍ୟ ଶିବିରର ବ୍ୟବସ୍ଥା, ଏସ ଏମ ସି ରୁ ବଡ଼ମାଲ ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା,ସ୍ଥାନୀୟ ବିଦ୍ୟାର୍ଥୀଙ୍କୁ ମାଗଣା ଶିକ୍ଷାଦାନର ବ୍ୟବସ୍ଥା ଓ ସ୍ଥାନୀୟ ଯୋଗ୍ୟ ତଥା ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ପାଇଁ ଏକ ଦାବିପତ୍ର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ। ଏତଦବ୍ୟତୀତ, ବଡ଼ମାଲଠାରେ ଗୋଲଛକ ତିଆରି କରି ଚବିଶ ଘଣ୍ଟା ପାଇଁ ସୁରକ୍ଷା ବ୍ୟବସ୍ଥା କରିବାକୁ,ହିର୍ମାଠାରେ ୨୦୧୧ ମସିହାରେ ନିର୍ମିତ ହୋଇ ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ବ୍ୟବସ୍ଥାର ପୁନର୍ବାର କାର୍ଯ୍ୟକ୍ଷମ  କରିବାକୁ,ଭାରୀଯାନର ଗତିକୁ ୨୦ କିମି ଘଣ୍ଟା ପ୍ରତି ନିର୍ଦ୍ଧାରଣ କରିବାକୁ ଓ ପ୍ରତ୍ୟେକ ଦିନ ରାସ୍ତାରେ ଜଳ ସିଞ୍ଚନ କରିବାକୁ,କମ୍ପାନୀର ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଠିକାଦାରମାନଙ୍କୁ ଅଗ୍ରାଧିକାର ଦେବାକୁ, ଶ୍ରମିକମାନଙ୍କ କାର୍ଯ୍ୟ ନିର୍ଘଣ୍ଟକୁ ବାର ଘଣ୍ଟା ବଦଳରେ ଆଠ ଘଣ୍ଟା କରିବାକୁ ଓ ପ୍ରତ୍ୟେକ କର୍ମଚାରୀଙ୍କୁ ମାସିକ ୪ଟି ଛୁଟି ପ୍ରଦାନ କରିବାକୁ ମଧ୍ୟ ଦାବୀ କରାଯାଇଛି। 

ଏହି ସମସ୍ତ ଦାବିକୁ ଶୀଘ୍ର ପୂରଣ କରିବା ପାଇଁ ସେମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ଜଣାଇଥିଲେ। ମାତ୍ର କେଇ ଘଣ୍ଟାର ଧାରଣା ପରେ ମଧ୍ୟ କମ୍ପାନୀ ପକ୍ଷରୁ କେହି ଆଲୋଚନାକୁ ଆସି ନ ଥିଲେ। ଶେଷରେ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଧାରଣାସ୍ଥଳକୁ ପହଞ୍ଚିବା ପରେ କମ୍ପାନୀ କର୍ତ୍ତୃପକ୍ଷ ପ୍ରଦର୍ଶନକାରୀଙ୍କ ଦାବିପତ୍ର ଗ୍ରହଣ କରିବା ସହ ଆଗାମୀ ୨୪ ତାରିଖ ମଧ୍ୟରେ ଆଲୋଚନା କରି ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। 

ଅନ୍ୟପକ୍ଷରେ,ପ୍ରଦର୍ଶନକାରୀମାନେ ଚେତାଇ ଦେଇଛନ୍ତି ଯେ ଖୁବ ଶୀଘ୍ର ଏହି ଦାବୀଗୁଡ଼ିକୁ କମ୍ପାନୀ ପୂରଣ ନ କଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ଏବଂ ଏଥିପାଇଁ କମ୍ପାନୀ ଦାୟୀ ରହିବ।

0
0
0
s2sdefault