ହେଡଲାଇନସ୍:

ପ୍ରଶାସନର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଜିଲ୍ଲାସ୍ତରୀୟ ସମନ୍ୱୟ ସମିତି ବୈଠକ ତଥା ଔଷଧ ଉପଚାରିତ ମସାରି ବଣ୍ଟନ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସଭାଗୃହରେ  ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଅଧିକାରୀଙ୍କୁ ଜିଲ୍ଲାରୁ ମ୍ୟାଲେରିଆ ତଥା ଫାଇଲେରିଆ ନିରାକରଣ ପାଇଁ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେବା ସହ ସବୁ ବିଭାଗ କୋଭିଡ ନିର୍ଦ୍ଦେଶାବଳୀର ଅନୁପାଳନ ସହ ଏ ଦିଗରେ  ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ  ସଠିକ ପ୍ରସ୍ତୁତି   ଓ କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଧିକାରୀ ଡାକ୍ତର ମଦନମୋହନ ପ୍ରଧାନ ଏଥିରେ ଅଂଶ ଗ୍ରହଣ କରି ଝାରସୁଗୁଡାକୁ ମ୍ୟାଲେରିଆ ତଥା ଫାଇଲେରିଆ ନିରାକରଣ କ୍ଷେତ୍ରରେ ଏକ ଆଦର୍ଶ ଜିଲ୍ଲା ଭାବରେ ପରିଗଣିତ କରିବା ଦିଗରେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ସେହିପରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଶିଳ୍ପାନୁଷ୍ଠାନ ଏ ଦିଗରେ ସହଯୋଗ କରିବା ସହ ଜଣେ ଜଣେ ଅଧିକାରୀଙ୍କୁ  ଏହି ଦାୟିତ୍ୱ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଏ କ୍ଷେତ୍ରରେ ସମସ୍ତ ବୈଷୟିକ ସହାୟତା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରଦାନ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।  ପ୍ରତି ବ୍ଲକ ତଥା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ  ମଶା ଲାର୍ଭାଖିଆ ମାଛ କୁଣ୍ଡ ତିଆରି କରିବାକୁ କୁହାଯାଇଛି । ସେହିପରି ଔଷଧ ଉପଚାରିତ ମଶାରୀର ବଣ୍ଟନ ଓ ଏହାର ନିୟମିତ ବ୍ୟବହାରର ଉପକାରିତା ସମ୍ପର୍କରେ ଘରକୁ ଘର ବୁଲି ସଚେତନତା ସୃଷ୍ଟି କରିବା ପାଇଁ  ଆଲୋଚନା କରାଯାଇଥିଲା । ପ୍ରତି ଗ୍ରାମ ତଥା ପଞ୍ଚାୟତ ସ୍ତରରେ କିପରି ସୁରୁଖୁରୁରେ ଏହା ବଣ୍ଟନ କରାଯାଇପାରିବ, ସେ ଦିଗରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସ୍ତୁତି ବୈଠକ କରି ମାଇକ୍ରୋପ୍ଲାନ ପ୍ରସ୍ତୁତ କରିବେ । ସେହିପରି ବ୍ଲକ ତଥା ଜିଲ୍ଲା ସ୍ତରୀୟ ତଦାରଖ କମିଟିରେ ବ୍ଲକ ଓ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ,ବିଭିନ୍ନ ବିଭାଗୀୟ ଅଧିକାରୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଶିଳ୍ପାନୁଷ୍ଠାନର ଅଧିକାରୀବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ ,ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ବିରାଟ ରାଜା ପଧାନ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ଏଥିରେ ନିୟୋଜିତ ହେବାକୁ ଥିବା ଅଙ୍ଗନୱାଡ଼ି କର୍ମଚାରୀ , ଆଶା , ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ ଓ  ସୁପରଭାଇଜରମାନଙ୍କ ଦାୟିତ୍ୱ ଓ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

0
0
0
s2sdefault