ପୁରନ୍ଦେଶ୍ୱରୀଙ୍କ ଏଭଳି ମିଛ ଓ ପ୍ରବଞ୍ଚନା ଓଡିଶାବାସୀଙ୍କ ନିକଟରେ କାମ ଦେବନାହିଁ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଦୁଇ ଦୁଇଟି ଉପନିର୍ବାଚନରେ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମନୋବଳ ଭାଙ୍ଗିଯାଇଥିବା ବିଜେପି କର୍ମକର୍ତ୍ତାଙ୍କ ଉତ୍ସାହ ବଢାଇବାପାଇଁ ରାଜ୍ୟ ଗସ୍ତରେ ଆସିଥିବା ବିଜେପିର ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ମିଛର ସାହାରା ନେଉଛନ୍ତି | ପୁରନ୍ଦେଶ୍ୱରୀଙ୍କ ଏଭଳି ମିଛ ଓ ପ୍ରବଞ୍ଚନା ଓଡିଶାବାସୀଙ୍କ ନିକଟରେ କାମ ଦେବନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ରାଜ୍ୟ ବିଜେପି ପ୍ରଭାରୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି "ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାପାଇଁ ସେ ଏଠାକୁ ଆସିଛନ୍ତି । ବିଶେଷକରି ବାଲେଶ୍ୱର ପରାଜୟ ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଛି ।"
ଡକ୍ଟର ପାତ୍ର କହିଛନ୍ତି " ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ବଦଳରେ ଯଦି ଶ୍ରୀମତୀ ପୁରନ୍ଦେଶ୍ୱରୀ ଚାଷୀ ପ୍ରସଙ୍ଗରେ ଅଧିକ କହିଥାନ୍ତେ ତେବେ ଭଲ ହୋଇଥାନ୍ତା । ବିଶେଷକରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ୨୯୩୦ ଟଙ୍କା ବୃଦ୍ଧିପାଇଁ ଓଡିଶା ବିଧାନସଭାରେ ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଯେଉଁ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା ସେ ସଂକ୍ରାନ୍ତରେ ମତ ରଖିବାର ଥିଲା । ବିଜେପିର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଗତକାଲି ସାଧାରଣ ସଭାରେ ଜଣେ ମହିଳା ସମାଜସେବୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି ଓ ସେଥିପାଇଁ ପୋଲିସରେ ଅଭିଯୋଗ ହୋଇଥିବା ନେଇ ବୋଧେ ଶ୍ରୀମତୀ ପୁରନ୍ଦେଶ୍ୱରୀ ଅବଗତ ନାହାନ୍ତି ।"
" ଅତୀତରେ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାରେ ଜୟରାମ ପାଙ୍ଗିଙ୍କ ସମ୍ପୃକ୍ତିର ତଦନ୍ତ ସିବିଆଇ ଦ୍ୱାରା କରିବାଲାଗି ବିଜେପି ଲଗାତାର ଆନେ୍ଦାଳନ ଚଳାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଶ୍ରୀ ପାଙ୍ଗି ବିଜେପିରେ ଯୋଗଦେଲେ ଏବଂ ବିଜେପି ତାଙ୍କୁ ସ୍ୱାଗତ କରିବା ସହିତ ଟିକଟ ଦେଇ ନିର୍ବାଚନ ଲଢାଇଲା । ଓଡିଶା ବିଜେପି ବୋଧହୁଏ ତାଙ୍କ ରାଜ୍ୟ ପ୍ରଭାରୀଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିନାହାନ୍ତି" ବୋଲି ଡକ୍ଟର ପାତ୍ର କହିଛନ୍ତି ।
ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ଘର ତିଆରି କରିଥିବାରୁ କେନ୍ଦ୍ରରେ ଶାସନ କରୁଥିବା ତାଙ୍କରି ଦଳ ଓଡିଶାକୁ ୫ଟି ପୁରସ୍କାର ଦେଇଥିବା ନେଇ ଶ୍ରୀମତୀ ପୁରନ୍ଦେଶ୍ୱରୀ ଅବଗତ ନଥିବା ଲକ୍ଷ୍ୟ କରାଯାଉଛି । ଏଭଳି ସ୍ଥିତିରେ ନିଜ ସ୍ତରରେ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାପାଇଁ ସେ ଯେଭଳି ମିଛ କହୁଛନ୍ତି ଓଡିଶାବାସୀ ତାହାକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି ଡକ୍ଟର ପାତ୍ର ସ୍ପଷ୍ଟ କରିଛନ୍ତି ।