ହେଡଲାଇନସ୍:

ଦେଖିରଖନ୍ତୁ ହେ ପୋଲିସ ମହାନିର୍ଦ୍ଦେଶକ ମହୋଦୟ: ଇଏ ଆପଣଙ୍କ ଲୋକାଭିମୁଖୀ ପୋଲିସ କୁନି ଝିଅଟିକୁ ବି ଛାଡିଲେନି, ମରଣ ମୁହଁରୁ ବଂଚିଗଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା- ସେ ପୋଲିସ ନା ଯମଦୂତ ନା ତାଲିବାନୀ ଆତଙ୍କବାଦୀ । ହେଲମେଟ୍ ଚେକିଂ କରିବା ନାଁରେ ଦାଦାଗିରି ଗୁଣ୍ଡାଙ୍କ ଭଳି ଲୋକଙ୍କୁ ପିଟିବ  । କୁନି ଝିଅଟାର ଅଜାଗାରେ ଯଦି ବାଜି ଯାଇଥାନ୍ତା  । ଯୋଡ ଜୋରରେ ପାହାର ଗୋଡରେ ପଡିଛି ସେଇ ମାଡଟା ଯଦି କୁନିଝିଅଟିର ମୁଣ୍ଡରେ କି ବେକରେ କି ଛାତିରେ ବାଜିଥାନ୍ତା, କଣ ହେଇଥାନ୍ତା ସେ ନୀରୀହ ଜୀବନର  ।  ଅପରାଧଟା କଣ, ହେଲମେଟ୍ ପିନ୍ଧିନି କି ନିୟମ ମାନିନି ତ  ! ତାକୁ ଧରିବ, ଜରିମାନା କରିବ, ତା ଗାଡି ସିଜ୍ କରିବ, କେସ କରିବେ ସେ ଲୋକଅଦାଲତକୁ ଦଉଡିବ । ହେଲେ ଅତ୍ୟନ୍ତ ବର୍ବର ଭଳି ପିଟିବ ଅମଣିଷ ଭଳି  । ଆଉ ସେ ପୁଣି ଜଣେ ନାବାଳିକାକୁ  । ଛି ...ଛି...ଯେତେଥର ଛେପ ପକାଇଲେ ବି ପୋଲିସର ଏପରି ଚରିତ୍ର ପାଇଁ କମ୍ ହେବ । ଏଭଳି କିଛି ଅସାମାଜିକ ମାନସିକତା ସମ୍ପନ୍ନ କିଛି ଅମଣିଷ ପୋଲିସ ବାହିନୀରେ ପଶି ସମଗ୍ର ପୋଲିସ ସମୂଦାୟକୁ ବଦନାମ କରୁଛନ୍ତି  । ଏଭଳି ଅସାମାଜିକ ମଣିଷଗୁଡାକ ଜନସାଧାରରଙ୍କ ସୁରକ୍ଷା ଦେବାଭଳି ଦାୟିତ୍ୱ ବହନ କରୁଥିବା ପୋଲିସ ବାହିନୀରେ ରହିବା ପାଇଁ ଯୋଗ୍ୟ ନୁହନ୍ତି  । ଏଭଳି ପଶୁ ପ୍ରବୃତିସମ୍ପନ୍ନ ପୋଲିସଙ୍କୁ ନିଲମ୍ବନ ନୁହେଁ, ସମ୍ପୂର୍ଣ୍ଣ ଭାବେ ଚାକିରୀରୁ ବହିଷ୍କାର କରାଯିବା ଉଚିତ । ଜଣେ ଭଦ୍ର ଆମାୟିକ ତଥା ମଣିଷପ୍ରେମୀ ଅଫିସର ଭାବେ ଜଣାଶୁଣା ପୋଲିସ ମହାନିର୍ଦ୍ଦେଶକ ଡାକ୍ତର ଆର ପି ଶର୍ମା ଆଖିଖୋଲି ଦେଖନ୍ତୁ ତାଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଲୋକାଭିମୁଖୀ ପୋଲିସର ଚରିତ୍ର । ନିରୀହ ନିଷ୍ପାପ ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜରେ ଗତ କିଛି ଦିନ ଧରି ବୃଦ୍ଧି ପାଉଥିବା ପୋଲିସର ଆତଙ୍କ ନମୂନା ଦେଖିବାକୁ ମିଳିଛି ବାରିପଦାରେ । ପୋଲିସ ମହାନିଦେ୍ର୍ଧଶକ ସେଭଳି ବର୍ବର ପୋଲିସକୁ କେବଳ ନିଲମ୍ବନ ନୁହେଁ, ଠିକଣା ଦଣ୍ଡ ଦେବା ଉଚିତ, ଯାହା ଫଳରେ କି କୌଣସି ପୋଲିସ ଏଭଳି କୁକର୍ମ କରିବେ ନାହିଁ । ପୋଲିସ ବାହିନୀ ରେ ଅନେକ ଭଲ ଅଫିସର ଓ କର୍ମଚାରୀ ଅଛନ୍ତି, ହେଲେ ଏଭାଲି କିଛି ଅମଣିଷଙ୍କ ପାଇଁ ପୋଲିସ ଜାତି ପ୍ରତି ଲୋକଙ୍କ ଆସ୍ଥା ତୁଟି ଯାଉଛି 

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ସଦର ମହକୁମା ବାରିପଦା । ଶାନ୍ତ ସରଳ ସହରବାସୀ । ଏମାନଙ୍କର ସରଳତାର ସୁଯୋଗ ନେଇ ପୁଲିସ ସେମାନଙ୍କ ଉପରେ ଅତ୍ୟାଚାର ଚଳାଇଛି । ବିଭିନ୍ନ ସମୟରେ ଏମାନେ ପୁଲିସ ଦ୍ୱାରା ଅତ୍ୟାଚାରର ଶିକାର ହେଉଥିଲେ ମଧ୍ୟ ସବୁ କିଛି ଆଖିବୁଜି ସହ୍ୟ କରିଆସୁଥିଲେ । ସହିବାର ଗୋଟାଏ ସରହଦ ରହିଥାଏ । ସେପ୍ଟେମ୍ବର ୨୫ ତାରିଖ ରାତି ପ୍ରାୟ ୧୦ଟା ପାଖାପାଖି ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ନାବାଳିକାକୁ ପୁଲିସ ପିଟିଥିବାର ଖବର ସହରରେ ପ୍ରଚାରିତ ହେବା ପରେ ଶାନ୍ତ ସରଳ ସହରବାସୀ ହଠାତ୍ ତାତି ଉଠିଥିଲେ । ପୁଲିସର ଏହି ବର୍ବରୋଚିତ ଓ ଅମାନବୀୟ କାର୍ଯ୍ୟକୁ ବରଦାସ୍ତ କରି ନପାରି ରାଜ ରାସ୍ତାକୁ ଉହ୍ଲାଇ ଆସିଥିଲେ । ସହର ଉପକଣ୍ଠ ଦେଇ ଯାଇଥିବା ରାଜ ରାସ୍ତାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟାୟାର ଆଦି ଜାଳି ଅବରୋଧ କରିଥିଲେ ନ୍ୟାୟ ପାଇଁ । ଶେଷରେ ଅଭିଯୁକ୍ତ ପୁଲିସ ଏଏସଆଇ ସୁଶାନ୍ତ ମହାକୁଡ଼ଙ୍କୁ ତାଙ୍କ କାର୍ଯ୍ୟରୁ ଏସପି ଅନିରୁଦ୍ଧ ସିଂ ନିଲମ୍ବିତ କରିଛନ୍ତି ଏବଂ ପିଡ଼ିତା ନାବାଳିକାର ଚିକିତ୍ସା ଖର୍ଚ୍ଚ ବହନ କରିବାର ବାରିପଦା ସଦର ଏସଡ଼ିପିଓ ଅଭିମନୁ୍ୟ ନାୟକ ଘୋଷଣା କରିବା ପରେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । ହଟିଯାଇଥିଲା ରାସ୍ତା ଅବରୋଧ । ମାତ୍ର ପୁଲିସ ଉପରୁ ରାଗ କମି ନଥିଲା । 

               ବାରିପଦା ସହର ଉପକଣ୍ଠ ମଧ୍ୟ ଦେଇଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ରହିଛି ବାରିପଦା ସଦର ଥାନା । ଥାନା ଦାୟିତ୍ୱରେ ରହିଛନ୍ତି ବିବାଦୀୟ ଆଇଆଇସି ତିଳୋତ୍ତମା ରାଉତ । ଥାନାରେ ତାଙ୍କର ରେକଡର଼୍ ସୁବିଧାଜନକ ନୁହେଁ । ସେପ୍ଟେମ୍ବର ୨୫ ରବିବାର ଥାନାର ଡ଼ିସିଓ ଦାୟିତ୍ୱରେ ରହିଥିଲେ ଏଏସଆଇ ସୁଶାନ୍ତ ମହାକୁଡ଼ । ରାତି ପ୍ରାୟ ୧୦ଟା ପାଖାପାଖି ଥାନା ସମ୍ମୁଖ ୧୮ ନମ୍ବର ଜାତୀୟ ରାଜପଥରେ ନିଜର ୭ ବର୍ଷର ନାବାଳିକା ଝିଅକୁ ଧରି ନିଜର ବାଇକରେ ଆସୁଥିଲେ ବାରିପଦା ସହରର ୱାଡର଼୍ ନମ୍ବର ୨୩ ତୁଳସୀଚୌରାର ଶେକ୍ ସଫିରୁଦ୍ଦିନ  । ଏହି ସମୟରେ ରାଜପଥ ଉପରେ ବାରିପଦା ସଦରଥାନା ପୁଲିସ ହେଲମେଟ ଚେକିଂ କରୁଥାନ୍ତି । ସେହି ଚେକିଂରେ ମଧ୍ୟ ଥାନାର ଡ଼ିସିଓ ଦାୟିତ୍ୱରେ ରହିଥିବା ସୁଶାନ୍ତ ମହାକୁଡ଼ ମଧ୍ୟ ସାମିଲ ରହିଥିଲେ । ରାସ୍ତା ଟିକିଏ ଅନ୍ଧାରୁଆ ରହିଥିବାରୁ ସେଠାରେ ହେଲମେଟ ଚେକିଂ ହେଉଥିବାର ସୁରାକ ପାଇ ନ ଥିଲେ ଶେକ ସଫିରୁଦ୍ଦିନ । ତେଣୁ ସେ ନିଜର ବାଇକରେ ଆଗକୁ ଯିବା ସମୟରେ ସଦରଥାନା ଡ଼ିସିଓ ଦାୟିତ୍ୱରେ ରହିଥିବା ସୁଶାନ୍ତ ମହାକୁଡ଼ ହାତରେ ଧରିଥିବା ବାଡ଼ିରେ ଶେକ୍ ସଫିରୁଦ୍ଦିନଙ୍କ ପଛରେ ବସିଥିବା ନାବାଳିକା ଝିଅର ଡ଼ାହାଣ ଜଙ୍ଘରେ ଜୋରରେ ପ୍ରହାର କରିଥିଲେ । ଏଥିରେ ନାବାଳିକାର ଜଙ୍ଘ ଫିଟି ଯାଇଥିଲା । ତାକୁ ଚିକିତ୍ସା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା । 

                       ନାବାଳିକାକୁ ଆକ୍ରମଣକୁ ସହଜରେ ହଜମ କରିପାରି ନ ଥିଲେ ସହରବାସୀ । ନ୍ୟାୟ ପାଇଁ ଆନ୍ଦୋଳନ ହେଲା । ଶେଷରେ ବଳି ପଡ଼ିଲେ ଏଏସଆଇ ସୁଶାନ୍ତ ମହାକୁଡ଼ । ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବାର ଘୋଷଣା ହେଲା । କିନ୍ତୁ ଏଏସଆଇ ସୁଶାନ୍ତ ମହାକୁଡ଼ ଥାନାରେ ଡ଼ିସିଓ ଦାୟିତ୍ୱରେ ରହିଥିବା ବେଳେ ସେ ନିଜର ଆସନ ଛାଡ଼ି କିପରି ରାସ୍ତାରେ ହେଲମେଟ ଚେକିଂରେ ସାମିଲ ହେଲେ । ଏଥି ନିମନ୍ତେ କିଏ ଆଦେଶ ଦେଇଥିଲେ । ନିୟମ ଅନୁସାରେ ଥାନାରେ ଯିଏ ଡ଼ିସିଓ ଦାୟିତ୍ୱରେ ରହିଥାନ୍ତି ସେ ସକାଳ ୮ରୁ ପରବର୍ତ୍ତି ଦିନ ସକାଳ ୮ ପର୍ଯ୍ୟନ୍ତ ନିଜ ସିଟରେ କେବଳ ରହିବେ । ଏହି ସମୟରେ କାହାର ଆଦେଶ ବଳରେ ସେ ନିୟମକୁ ଉଲ୍ଲଙ୍ଘମ କରିଥିଲେ ଏହା ଉପରେ କୌଣସି ତଦନ୍ତ ନ ହେବା ପୁଲିସର ସ୍ୱଚ୍ଛତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରାଇଛି । ସୂଚନା ଯୋଗ୍ୟଯେ, ଶାମାଖୁଣ୍ଟା ବ୍ଲକର ବଜ୍ରତୁଣ୍ଡି ଗ୍ରାମର କମଳ ଲୋଚନ ମହାନ୍ତ ଏକ ଯୁବତୀଙ୍କୁ ପ୍ରେମ ବିବାହ କରିବା ପରେ ଯୁବତୀ ଜଣଙ୍କୁ ଧୋକ୍କା ଦେଇଥିବା ବିଷୟରେ ସମ୍ପୃକ୍ତ ଯୁବତୀ ବାରିପଦା ସଦର ଥାନାରେ ନ୍ୟାୟ ପାଇବା ନିମନ୍ତେ ୨୦୧୫ ଜୁଲାଇ ୨୨ରେ ଅଭିଯୋଗ କରିଥିଲେ । ସେହି ସମୟରେ ଥାନା ଅଧିକାରୀ ଦାୟିତ୍ୱରେ ବର୍ତ୍ତମାନର ଆଇଆଇସି ରହିଥିଲେ । ସେ ନ୍ୟାୟ ଦେବା ବଦଳରେ ଯୁବତୀ ସହିତ ଯୁବତୀକୁ ସମର୍ଥନ କରୁଥିବା ଗ୍ରାମବାସୀଙ୍କ ନାମରେ ଚୋରୀ ମାମଲା ରୁଜୁ କରିବା ସଂଗେସଂଗେ ଯୁବତୀକୁ ଥାନାରେ ପିଟିପିଟି ସଂଜ୍ଞାହୀନ କରିପକାଇଥିଲେ । ଏହି ସମସ୍ତ ଅଭିଯୋଗକୁ ନେଇ ମା କୀଚକେଶ୍ୱରୀ ମହିଳା ସମିତି ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ୦୬/୧୧/୨୦୧୫ରେ ନ୍ୟାୟ ପାଇଁ ଧାରଣାରେ ବସିଥିଲେ । ସେହିପରି ବାରିପଦା ସଦର ଆଇଆଇସି ତିଳୋତ୍ତମା ରାଉତ ବାରିପଦା ଟାଉନ ଥାନା ଅଧିକାରୀ ଦାୟତ୍ୱରେ ରହିଥିବା ବେଳେ କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ଏହି ସମୟରେ ସୁରକ୍ଷା ଦାୟିତ୍ୱରେ ସେ ରହିଥିଲେ ; ମାତ୍ର ନିଜ ଦାୟିତ୍ୱ ସଠିକ୍ ଭାବେ ସମ୍ପାଦନ କରିପାରି ନ ଥିବାରୁ କଂଗ୍ରେସ ସମର୍ଥକମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । 

           ପୁଲିସର ଏହି ପ୍ରକାରର ବର୍ବରୋଚିତ ଓ ଅମାନବୀୟ କାର୍ଯ୍ୟକଳାପ ବିରୁଦ୍ଧରେ ନାବାଳିକାର ପିତା ଶେକ୍ ସଫିରୁଦ୍ଦିନ ମୁଖ୍ୟମନ୍ତ୍ରୀଙ୍କର ହସ୍ତକ୍ଷେପ ଲୁଡ଼ିଛନ୍ତି । ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଥିବାରୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛନ୍ତି । ଏଥି ସହିତ ଜିଲାରେ ନୂତନ ଏସପି ଭାବେ ଅନିରୁଦ୍ଧ ସିଂ ଦାୟିତ୍ୱ ଭାର ଗ୍ରହଣ କରିବା ପରେ ପୁଲିସ ଅଧିକ ଉତ୍ସୃଙ୍ଖଳିତ ହୋଇଉଠିଛି ବୋଲି ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ବାରିପଦା ସଦରଥାନା ଆଇଆଇସି ତିଳୋତ୍ତମା ରାଉତ ଓ ସଦର ଏସଡ଼ିପିଓ ଅଭିମନ୍ୟୁ ନାୟକଙ୍କର ପ୍ରତିକ୍ରିୟା ଜାଣିବାପାଇଁ ଯୋଗାଯୋଗ ନିମନ୍ତେ ବାରମ୍ବାର ଉଦ୍ୟକ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା । 

0
0
0
s2sdefault