ରାଜ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କଲେ ଚାଷୀ
ବରଗଡ :- କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ତିନିଗୋଟି ବିଲର ପ୍ରତିବାଦ କରି ଆଜି ଚାଷୀ ସମାଜ ରାଜରାସ୍ତାରେ । ଏହି ତ୍ରୁଟିପୂର୍ଣ୍ଣ କୃଷିବିଲକୁ ଫେରେଇ ନେବା ପାଇଁ ଗତ ଏଗାର ଦିନ ହେଲା ବିଭିନ୍ନ କୃଷକ ସଙ୍ଗଠନ ର ହଜାର ହଜାର ଚାଷୀ ଦେଶର ରାଜଧାନୀକୁ ଘେରି ବସିଛନ୍ତି । ବାରମ୍ବାର ସରକାରଙ୍କ ସହିତ ଆଲୋଚନା କରି ମଧ୍ୟ ନିରାଶ ହେଉଛନ୍ତି ଅନ୍ନଦାତା । ଚାଷୀସମାଜର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଅନ୍ନଦାତା ଙ୍କୁ ଭୁଆଁ ବୁଲେଇବାର ପ୍ରୟାସ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ତିନିଗୋଟି କୃଷକ ବିରୋଧୀ ବିଲ କୁ ଫେରେଇ ନେବାପାଇଁ ଆଜି ଚାଷୀ ସମାଜ ତରଫରୁ ଭାରତ ବନ୍ଦ ର ଡାକରା ଦିଆଯାଇଛି । ଦେଶର ଅନେକ ରାଜନୈତିକ ଦଳ , ବିଭିନ୍ନ ଶ୍ରମିକ ସଂଗଠନ , ଅନେକ ଅନ୍ୟାନ୍ୟ ସଂଗଠନ ଏହି ବନ୍ଦ ଡାକରାକୁ ସମ୍ମର୍ଥନ କରିଛନ୍ତି । ବରଗଡ଼ ଜିଲ୍ଲା ରେ ଏହି ବନ୍ଦ ଡ଼ାକରାର ପ୍ରଭାବ ଦେଖିବାକୁ ମିଳିଛି । ବରଗଡ଼ ମୁଖ୍ୟାଳୟ ରେ ରାଜରାସ୍ତାରେ ଟାୟାର ଜାଳି ପ୍ରତିବାଦ କରାଯାଇଥିବା ବେଳେ ଜିଲ୍ଲାର ଦୋକାନ, ବଜାର ବନ୍ଦ ବରଗଡ଼ ପଦ୍ମପୁର, ପାଇକମାଳ, ଅତାବିରା ଆଦି ଅଞ୍ଚଳରେ ରାସ୍ତା ଅବରୋଧ କରାଯାଇଛି। ବରଗଡ଼ ଗାନ୍ଧୀଛକ ସମେତ ଅନେକ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରାଯାଇଛି। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନୱୟ ସମିତି, ଜୟ କିଶାନ ଆନ୍ଦୋଳନ, ଆଞ୍ଚଳିକ କୃଷକ ମହାସଂଘ, ମାଣ୍ଡୋସିଲ, ରାଜବୋଡାସମ୍ବର କୃଷକ ସଂଗଠନ, ପାଇକମାଳ, ନବର୍ନିମାଣ କୃଷକ ସଂଗଠନ ସମେତ ବିଭିନ୍ନ ଚାଷୀ ସଂଗଠନ ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି। ସେହିପରି କଂଗ୍ରେସ, ଆମ୍ ଆଦମୀ ପାର୍ଟି ଭଳି ଅନେକ ରାଜନୈତିକ ସଂଗଠନ ଗୁଡ଼ିକ ମଧ୍ୟ ଏହାକୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।