ହେଡଲାଇନସ୍:

ଏବେ ୭୫ ହେଲାଣି , କେବେ ସରକାରୀ ସହାୟତା ପାଇବ "ସାରସ ମାଆ" !!

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଜରିପାଲ ତଳେ କଟୁଛି  ଜୀବନ ; ସରକାରୀ ଯୋଜନା ସାତ ସପନ 

ଭଞ୍ଜନଗର ( ନିଲୁ ବିଷୋୟୀ) - ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାରୁଡା ଗ୍ରାମପଂଚାୟତ ଅନ୍ତର୍ଗତ ଗୁଜୁରାଳି ଗ୍ରାମର ୭୫ ବର୍ଷୀୟ ବୃଦ୍ଧା ସରସ୍ବତୀ ଡାକୁଆ ବା ସମସ୍ତଙ୍କ ପ୍ରିୟ ସାରସ ମାଆ। ନା ଅଛନ୍ତି ସ୍ୱାମୀ ନା ଅଛନ୍ତି ପିଲା ଛୁଆ। ସ୍ୱାମୀ କେଉଁ ଆଡେ ଦୀର୍ଘ ବର୍ଷ ହେବ ଚାଲି ଯାଇଥିବା ବେଳେ ସମସ୍ତଙ୍କୁ ହରାଇ ଭଗବାନ ଭରସା ରେ ଜରିପାଲ ତଳେ  ପଡିରହିଛନ୍ତି। ପେଟକୁ ଦୁଇଓଳା ଦି'ମୁଠା ଯୋଗାଡିବା ତାଙ୍କ ପକ୍ଷରେ କଷ୍ଟକର। ପେଟକଷ୍ଟକୁ ତେଣେ ଭଙ୍ଗାକୁଡ଼ିଆର ଦୁଃଖ ପାଖରୁ ନ ଦେଖିଲେ ସତ୍ୟତା ଉପଲବ୍ଧ କରି ହେବନି। ମାତ୍ର ଏପରି ଜଣେ ବୃଦ୍ଧାଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡରେ ମାତ୍ର ୫ କେଜି ରାସନ ମିଳୁଥିବା ବେଳେ ଘର ଖଣ୍ଡିଏ ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ "ସାରସ ମାଆ" ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ସବୁଠି ନେହୁରା ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ନିଘୋଡ଼ ନିଦ୍ରାରେ ଶୋଇଛି। ବ୍ଳକ ପ୍ରଶାସନର ଆନ୍ତ୍ରରିକତାର ଅଭାବ ଯୋଗୁଁ ଏବେ ବି ସେ ଭଙ୍ଗାକୁଡ଼ିଆ ଘରେ ପଡ଼ି ରହିଛନ୍ତି ସାରସ ମାଆ। ଏ ନେଇ ସାରସ ମାଆ କହିଛନ୍ତି ପକା ଘର ଓ ବାର୍ଦ୍ଧକ୍ୟ ଭତ୍ତା ମୋ ଭଳି ଅସହାୟ ଙ୍କ ପାଇଁ ସାତ ସପନ । ବାରମ୍ବାର ସରପଞ୍ଚ ଓ ବ୍ଳକ ପ୍ରଶାସନ ନିକଟରେ ନେହୁରା ହେଲେ ମଧ୍ୟ କୌଣସି ସାହାଯ୍ୟ ସହଯୋଗ ମିଳିନାହିଁ। ଫଳରେ ଭାଗ୍ୟକୁ ଆଦରି ନେଇ ଏ ଭଙ୍ଗାକୁଡ଼ିଆରେ ହିଁ ଜୀବନ କାଟୁଛି। ଏ ନେଇ ବାରୁଡା ସରପଞ୍ଚ ହର ପ୍ରସାଦ ଗୌଡ଼ କହିଛନ୍ତି ସେ ବିରୋଧୀ ଦଳର ନିର୍ବାଚିତ ସଦସ୍ୟ ହୋଇଥିବାରୁ ରାଜନୈତିକ ଆକ୍ରୋଶ ରଖି ତାଙ୍କର କୌଣସି କାମ ବ୍ଳକ ପ୍ରଶାସନ ପକ୍ଷରୁ କରାଯାଉନାହିଁ। ସେ ନିର୍ବାଚିତ ହେବା ପରେ ଉକ୍ତ ମହିଳାଙ୍କ ନିମନ୍ତେ ଭତ୍ତା ଓ ଘରଟିଏ କରାଇବା ପାଇଁ ବହୁବାର ବ୍ଳକରେ ଚେଷ୍ଟା କରିଥିଲେ ମଧ୍ୟ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ତାହା ହୋଇପାରୁନି। ଏପରିକି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଉକ୍ତ ସମସ୍ୟାକୁ ପକାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ହେଲେ ଏଠାରେ ସାଧାରଣ ରେ ପ୍ରଶ୍ନ ଉଠୁଛି ଗରିବ ଅସହାୟ ମୁଖ୍ୟମନ୍ତ୍ରୀ ତଥା ସରକାର ମାଳମାଳ ଯୋଜନା କରିଥିବା ବେଳେ ସାରସ ମା କାହାର କି ଦୋଷ କରିଛି  ?  ମୁଖ୍ୟମନ୍ତ୍ରୀ ବା ରାଜ୍ୟ ସରକାରଙ୍କ ଘୋଷିତ ସହାୟତା ଜଣେ ଅସହାୟ ବୟସ୍କା ମହିଳାଙ୍କୁ ଦେବାରେ ବି ରାଜନୀତି କାହିଁକି ହେଉଛି ତାହା ବୁଝି ହେଉନି | ଯଦି  ସରପଞ୍ଚ କହୁଥିବା କଥା ସତ ତେବେ କାହା ଚାପ ରେ ପ୍ରଶାସନ କରି ପାରୁନି ସହଯୋଗ ? ଆମ ଗାଁ ଆମ ବିକାଶର କଥା କହୁଥିବା ସରକାରଙ୍କ ଏହା କଣ ପ୍ରକୃତ ବିକାଶ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରୁଛନ୍ତି ?  ତୁରନ୍ତ ଏହି ଅସହାୟ ବରିଷ୍ଠ ନାଗରିକଙ୍କୁ ସହାୟତା କରିବା ପାଇଁ ଆଉ କେବେ ପ୍ରଶାସନ ଆଗେଇ ଆସିବ !! ଏବେ ତାଙ୍କୁ ୭୫ ବର୍ଷ ହେଲାଣି ଯଦି ସରକାରଙ୍କ ସହାୟତା ପହଂଚାଇବାରେ ପ୍ରଶାସନ ଯଦି ବିଫଳ, ତେବେ କେବେ ପହଂଚିବ ପ୍ରଶାସନର ସହାୟତାର ହାତ ସାରସ ମା ପାଖରେ ??

0
0
0
s2sdefault