ହେଡଲାଇନସ୍:

‘ସାରଳା ଦାସ ଓଡିଆ ଭାଷାକୁ ଜୀବନୀ ଶକ୍ତି ଦେଇଥିଲେ’

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସାରଳା ସାହିତ୍ୟ ସଂସଦ ତରଫରୁ ବଲାଙ୍ଗିରରେ ସାହିତ୍ୟ ଆସର

କବି ଜ୍ୟୋତିର୍ମୟୀ ଓ ଅନୁବାଦକ ତୁଳସୀ ସମ୍ମାନିତ

 

ବଲାଙ୍ଗିର(ନିରୋଜ ମିଶ୍ର )- ସମ୍ପ୍ରତି ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇସାରିବା ପରେ ଓଡିଆ ଭାଷାକୁ ସଙ୍କୁଚିତ କରିଦେବାର ଉଦ୍ୟମ ଚାଲିଛି । ସାରଳା ଦାସ ଗୋଟିଏ ଜାତିର ସନ୍ଧିକ୍ଷଣରେ ବିପୁଳକାୟ ସାରସ୍ୱତ ସୃଷ୍ଟିର ଅନନ୍ୟତା କୁ ପ୍ରଦାନ କରି ମାଟିର ମହାକବି ହୋଇଥିଲେ । ସମଗ୍ର ଓଡିଶାର ଲୋକ ମୁଖର ଭାଷାକୁ ମହାଭାରତରେ ସ୍ଥାନିତ କରି ସେ ଓଡିଆ ଜାତିକୁ ଏକତ୍ରିତ କରିବାର ଉଦ୍ୟମ ଆରମ୍ଭ କରିଥିଲେ । ସାରଳାଙ୍କ ମାଟି ପ୍ରତି ମମତ୍ୱ ବୋଧ ଓ ନିଜ ଭାଷାପ୍ରତି ସମ୍ବେଦନଶୀଳ ମାନସିକତା ଆଜି ଓଡିଆ ଜାତି ଦ୍ୱାରା ଗୃହିତ ହେଲେ ଓଡିଆ ଭାଷା ମର୍ଯ୍ୟାଦାବନ୍ତ ହେବ ବୋଲି ସାରଳା ସାହିତ୍ୟ ସଂସଦ ତରଫରୁ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସାରସ୍ୱତ ସମାବେଶରେ ମତ ପ୍ରକାଶ ପାଇଛି । ଆଜି ସନ୍ଧ୍ୟାରେ ସାରଳା ସାହିତ୍ୟ ସଂସଦର ସମ୍ବଲପୁର ଶାଖା ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଆସରକୁ ପ୍ରବୀଣ ଶିକ୍ଷାବିତ ଓ ଅତିବଡ଼ୀ ପୁରସ୍କାର ପ୍ରାପ୍ତ ସାହିତି୍ୟକ ପ୍ରଫେସର ଡ.ମଧୁସୂଦନ ପତି ଆନୁଷ୍ଠାନିକ  ଭାବେ ଉଦ୍ଘାଟନ କରିଥିଲେ ।  ସାରଳା ସାହିତ୍ୟ ସଂସଦରପ୍ରତିଷ୍ଠାତା  ଓ ସଭାପତି ପ୍ରଫେସର ଇଂପ୍ରଭାକର ସ୍ୱାଇଁଙ୍କ  ଅଧ୍ୟକ୍ଷତାରେ ଏହିଉତ୍ସବରେ   ଖ୍ୟାତନାମା ସାହିତି୍ୟକ ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍ଗାତା ମୁଖ୍ୟ ଅତିଥି, କବି କଥାକାର ଡ. ହରିଶଙ୍କର ବଡପଣ୍ଡା ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ । ଏହି ଅବସରରେ ବିଶିଷ୍ଟ  କବି ଡ. ଜ୍ୟୋତିର୍ମୟୀ ସାହୁଙ୍କୁ ‘କବିତା ସମ୍ମାନ’ ଓ ଯଶସ୍ୱୀ ଅନୁବାଦକ ତୁଳସୀ ଜୈନଙ୍କୁ ‘ଅନୁବାଦ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ।

  ପ୍ରଫେସର ମଧୁସୂଦନ ପତି ତାଙ୍କର ଉଦ୍ଘାଟନୀ ଭାଷଣରେ କହିଲେ ଯେ, ସାହିତ୍ୟ ହେଉଛି ଜୀବନ ଓ ସମାଜର ମାର୍ଗଦର୍ଶକ । ଆଦିକବି ସାରଳା ଦାସ ପଞ୍ଚଦଶ ଶତାଦ୍ଧୀରେ ‘ମହାଭାରତ’ ରଚନା କରି ଶତାବ୍ଦୀ  ଶତାଦ୍ଧୀ ପାଇଁ ଓଡିଆ ଜାତିକୁ ମାର୍ଗ ପ୍ରଦର୍ଶନ କରିଛନ୍ତି । ସାରଳା ଦାସଙ୍କ ମହାଭାରତ ଓଡିଆ ଜାତିର ଜୀବନବେଦ ଓ ବିଶ୍ୱ ସାହିତ୍ୟର ଅନନ୍ୟ ସୃଷ୍ଟି ବୋଲି ଅଭିହିତ କରି ସମ୍ପ୍ରତି ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡିଆ ଭାଷାକୁ ବଞ୍ଚାଇବାକୁ ସାରଳାଙ୍କ ଆଦର୍ଶ ଗ୍ରହଣୀୟ ବୋଲି ପ୍ରଫେସର ପତି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା ତାଙ୍କ ଭାଷଣରେ କହିଲେ ଯେ ସାହିତ୍ୟ ସଂପର୍କର ସେତୁ । ଏହା ସମାଜରେ ସୌହାର୍ଦ୍ଧ୍ୟ ସ୍ଥାପନ କରେ । ସମଗ୍ର ଓଡିଶାର ଲୋକ ମୁଖର ଭାଷା ଯେତେବେଳେ ଓଡିଆ ସାହିତ୍ୟର ଅଙ୍ଗମଣ୍ଡନ କରିବ ସେତେବେଳେ ହିଁ ସାରଳାଙ୍କ ସୃଷ୍ଟି ମୁଖର ହେବ । ମୁଖ୍ୟବକ୍ତା ଡ. ବଡପଣ୍ଡା କହିଲେ, ସାହିତ୍ୟ ଜୀବନରୁ ସୃଷ୍ଟି ଓ ଜୀବନ ପାଇଁ ଉଦ୍ଧିଷ୍ଟ । ସେ ଓଡିଆ ସାହିତ୍ୟର ଆଦିସ୍ରଷ୍ଟା ସାରଳା ଦାସଙ୍କ ମହାଭାରତ, ରାମାୟଣ, ଚଣ୍ଡୀପୁରାଣ ଉପରେ ଆଲୋକପାତ କରି ତାଙ୍କୁ ଜଣେ କାଳଜୟୀ ସ୍ରଷ୍ଟା ଭାବେ ଆଲୋଚନା କରିଥିଲେ । ସଭାପତି ଇଂ ଶ୍ରୀ ପ୍ରଭାକର ସ୍ୱାଇଁ ତାଙ୍କ ଅଭିଭାଷଣରେ କହିଲେ, ଆଦିକବି ସାରଳା ଦାସ, ସନ୍ଥକବି ଭୀମ ଭୋଇ,ସ୍ୱଭାବ କବି ଗଙ୍ଗାଧର ମେହେର ଓଡିଆ ଜାତିକୁ ଯେଉଁ ଅମର ବାଣୀ ଶୁଣାଇଛନ୍ତି ତାହା କାଳ କାଳ ପାଇଁ ଏହି ଜାତିକୁ ଉଜ୍ଜିବୀତ କରି ରଖିଥିବ । ସେମାନଙ୍କ ଅନବଦ୍ୟ ଅବଦାନ ପାଇଁ ଓଡିଆ ଭାଷା ଶାସ୍ତ୍ରୀୟ ଭାଷା ଲାଭ କରିଛି ବୋଲି ସେ ମତ ଦେଇଥିଲେ । 

ପ୍ରାରମ୍ଭରେ ସଂସଦର ସମ୍ବଲପୁର ଶାଖା ଆବାହକ କଥାଶିଳ୍ପୀ ଇଂ ତରଣ ବଲ୍ଲଭ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ନାଟ୍ୟକାର ସଂଜିତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସମସ୍ତଙ୍କୁ ସନ୍ଦୀପ କୁମାର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault