ସଚେତନ ନାଗରକ ମଂଚ ଓ ବୁଦ୍ଧିଜୀବୀଙ୍କ ଚେତାବନୀ ।
ବାରିପଦା (ଦିଲ୍ଲୀପ ମହାନ୍ତି )- - ବାରିପଦାଠାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବା ବହୁ ସଂଗ୍ରାମର ଫଳ । କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଖଣ୍ଡବିଖଣ୍ଡିତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ରାଜ୍ୟ ସରକାର ସଚେତନ ନ ହେଲେ, ଜନସାଧାରଣ ଛାତ୍ର ସମାଜ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ବାରିପଦାର ପୂର୍ବତନ ବିଧାୟକ କିଶୋର ଦାଶ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ, ୧୯୯୮ ମସିହାରେ ରାଜ୍ୟ ସରକାର ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ନେଇ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ନୋଟିଫିକେସନ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ଅସ୍ଥାୟୀଭାବେ ଭୂବନେଶ୍ୱରରେ ସ୍ଥାପନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ନେଇ ଏଫ.ଏମ. ୟୁନିର୍ଭରସିଟି ଏବଂ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ନେଇ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ୧୯୯୯ ମସିହାରେ ସ୍ଥାପନ କରାଯାଇଥିଲା ।
ଏହାପରେ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କର ସୁବିଧା ନିମନ୍ତେ କେନ୍ଦୁଝରଠାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକ ଏକ୍ସଟେନସନ କାଉଣ୍ଟର ଖୋଲାଯାଇଥିଲା । ଉଦେ୍ଧଶ୍ୟ ଥିଲା ମହାବିଦ୍ୟାଳୟମାନେ ଫର୍ମ ଫିଲପ ପରେ ସମସ୍ତ କାଗଜପତ୍ର କେନ୍ଦୁଝର ଏକ୍ସଟେନସନ କାଉଣ୍ଟରରେ ଦାଖଲ କରିବେ ଏବଂ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ପିଲାମାନଙ୍କର ପ୍ରଭିଜନାଲ ମାର୍କସିଟ ଏବଂ ସାର୍ଟିଫିକେଟ ମହାବିଦ୍ୟାଳୟମାନେ ସେହି ଏକ୍ସଟେନସନ କାଉଣ୍ଟରୁ ନେଇ ପାରିବେ । କିନ୍ତୁ ସମୟକ୍ରମେ ରାଜ୍ୟ ସରକାରଙ୍କ ବିନା କୌଣସି ନୋଟିଫିକେସନରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏକ୍ସଟେନସନ କାଉଣ୍ଟରକୁ ଦ୍ୱିତୀୟ କ୍ୟାମ୍ପସର ମାନ୍ୟତା ଦେଇ ସେଠାରେ ୫ଟି ନିୟମିତ ବିଭାଗ ଖୋଲି ଦେଲେ ଏବଂ ରାଜ୍ୟ ସରକାର ଯେଉଁ ଟଙ୍କା ମଞ୍ଜୁର କଲେ ତାହା ସବୁ କେନ୍ଦୁଝର ଏକ୍ସଟେନସନ କାଉଣ୍ଟରରେ ଖର୍ଚ୍ଚ କରି ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଧିରେ ଧିରେ ଦୁର୍ବଳ କରିବାର ଚକ୍ରାନ୍ତ ଆରମ୍ଭ କଲେ । ରାଜ୍ୟ ସରକାରଙ୍କର କୌଣସି ନୋଟିଫିକେସନ ନ ଥାଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କେଉଁ ଆଧାରରେ କେନ୍ଦୁଝର ଏକ୍ସଟେନସନ କାଉଣ୍ଟରକୁ ଦ୍ୱିତୀୟ କ୍ୟାମ୍ପସର ମାନ୍ୟତା ଦେଲେ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ କେଉଁ ଆଧାରରେ ଦ୍ୱିତୀୟ କ୍ୟାମ୍ପସର ମାନ୍ୟତା ଦେଲେ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ କେଉଁ ଆଧାରରେ ଦ୍ୱିତୀୟ କ୍ୟାମ୍ପସ ପାଇଁ ଟଙ୍କା ମଞ୍ଜୁର କଲେ ବୋଲି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପାଇଁ ସଂଗ୍ରାମ କରିଥିବା ଏମ.ପି.ସି. କଲେଜର ପୂର୍ବତନ ଛାତ୍ର ସଭାପତି ତଥା ବାରିପଦାର ପୂର୍ବତନ ବିଧାୟକ କିଶୋର ଦାଶ ପ୍ରଶ୍ନ କରିଛନ୍ତି ।
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାକ୍ - ବି ଗ୍ରେଡ ପାଇଥିବାରୁ କେନ୍ଦ୍ର ସରକାର ଦୂରନିରନ୍ତର ଶିକ୍ଷା ଖୋଲିବାକୁ ଅନୁମତି ଦେଇନାହାନ୍ତି । କାରଣ ବର୍ତମାନର ନିୟମ ଅନୁସାରେ ଦୂରନିରନ୍ତର ଶିକ୍ଷା ଖୋଲିବାକୁ ହେଲେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ନାକ୍ ଏକ୍ରିଡେସନ - ଏ ଗ୍ରେଡ ପାଇବାକୁ ହେବ । ରାଜ୍ୟ ସରକାର ଯଦି ସବୁ ଟଙ୍କା କେନ୍ଦୁଝର ଏକ୍ସଟେନସନ କାଉଣ୍ଟରରେ ଖର୍ଚ୍ଚ କରିବେ ଏବଂ ଡେପୁଟି ରେଜିଷ୍ଟ୍ରାର, ଡେପୁଟି କଣ୍ଟେ୍ରାଲାର ଓ ଅନ୍ୟ ପଦବୀରେ ଥିବା କର୍ମଚାରୀମାନଙ୍କୁ ଏକ୍ସଟେନସନ କାଉଣ୍ଟରକୁ ବଦଳି କରିବେ, ତାହା ହେଲେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଗାମୀ ଦିନରେ ବି ଗ୍ରେଡ ଏକ୍ରିଡେସନ ପାଇବାରେ ଅସୁବିଧା ହେବ ବୋଲି ପୂର୍ବତନ ସିନେଟ ମେମ୍ବର ପ୍ରଦୀପ ନାୟକ, ସଂଘମିତ୍ରା ରାଉତ, ଜ୍ୟୋତି ପ୍ରକାଶ ରଥ, ରଂଜିତା ନାୟକ, ସନ୍ତୋଷ ମହାନ୍ତି, ସଂଜିବ ଆଚାର୍ଯ୍ୟ, କଳ୍ପନା ଷଢଙ୍ଗୀ ଓ ସିଣ୍ଡିକେଟ ମେମ୍ବର ଓ ଏମ.ପି.ସି. କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୀପକ କୁମାର ଷଢଙ୍ଗୀ କହିଛନ୍ତି । ଦୀର୍ଘ ବର୍ଷ ଧରି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱାରା ସିନେଟ ଓ ସିଣ୍ଡିକେଟ ନିର୍ବାଚନ କରା ନ ଯିବାରୁ କେବଳ ବିଶ୍ୱବିଦ୍ୟାଳୟ କର୍ମଚାରୀମାନେ ସିଣ୍ଡିକେଟର ମେମ୍ବର ରହିଲେ, ତେଣୁ ସେତେବେଳର ସିଣ୍ଡିକେଟ ବୋଧ ହୁଏ ଚାପର ବଶବର୍ତ୍ତୀ ହୋଇ କେନ୍ଦୁଝରସ୍ଥିତ ଏକ୍ସଟେନସନ କାଉଣ୍ଟରକୁ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ମାନ୍ୟତା ଦେଇ ଦେଇଥିଲେ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପୂର୍ଣ୍ଣାଙ୍ଗ ସିଣ୍ଡିକେଟ ଗଠନ କରିବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ମତ ପ୍ରକାଶ ପାଉଛି ।
ରାଜ୍ୟ ସରକାର କେନ୍ଦୁଝରବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଡି.ଡି. ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ କରିବା ସହିତ ନିୟମିତ ପି.ଜି. ଶ୍ରେଣୀ ସେଠାରେ ଖୋଲନ୍ତୁ , କିନ୍ତୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଖଣ୍ଡ ବିଖଣ୍ଡିତ କରିବା ପ୍ରଚେଷ୍ଟାରୁ ବିରତ ନ ରହିଲେ ସଚେତନ ନାଗରିକ ମଂଚ ଓ ଛାତ୍ର ସମାଜକୁ ନେଇ ଆନେ୍ଦାଳନ କରାଯିବାକୁ ବାରିପଦାର ପୂର୍ବତନ ବିଧାୟକ କିଶୋର ଦାଶ ଚେତାବନୀ ଦେଇଛନ୍ତି ଓ ଅନ୍ୟାନ୍ୟ ଅଗ୍ରଣୀ ଛାତ୍ର ସଂଗଠନ ଓ ରାଜନୈତିକ ବ୍ୟକ୍ତି ବିଶେଷ ଏଥିରେ ନିହାତି ସହଯୋଗ କରିବେ ବୋଲି ଶ୍ରୀ ଦାଶ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।